2001 ସେପ୍ଟେମ୍ବର 11 ତାରିଖରେ ଦୁଇଟି ବିମାନ ନ୍ୟୁୟର୍କ ସ୍ଥିତ ବିଶ୍ବ ବାଣିଜ୍ୟ କେନ୍ଦ୍ରର ବିଖ୍ୟାତ ଟ୍ବିନ ଟାୱାର ଦେଇ ଉଡିଥିଲା । ଆଉ ଘଟିଯାଇଥିଲା ଏକ ଲୋମହର୍ଷଣକାରୀ ଘଟଣା । ଇସଲାମିକ ଉଗ୍ରବାଦୀ ଗୋଷ୍ଠୀ ଅଲ-କାଏଦା ସହ ଜଡିତ 19 ଜଣ ଆତଙ୍କବାଦୀ ଚାରିଟି ବିମାନକୁ ଅପହରଣ କରି ଆମେରିକା ଉପରେ ଆତ୍ମଘାତୀ ଆକ୍ରମଣ କରିଥିଲେ। ତୃତୀୟ ବିମାନ ୱାଶିଂଟନ୍, ଡିସି ବାହାରେ ପେଣ୍ଟାଗନ୍ ଉପରେ ଧକ୍କା ହୋଇଥିଲା ଏବଂ ଚତୁର୍ଥ ବିମାନ ପେନସିଲଭାନିଆର ଏକ କ୍ଷେତରେ ଖସିପଡିଥିଲା । 9/11 ଆତଙ୍କବାଦୀ ଆକ୍ରମଣରେ 3000 ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । 9/11 ଆକ୍ରମଣ ପରେ ଆତଙ୍କବାଦ ମୁକାବିଲା ପାଇଁ ଆମେରିକା ଦୃଢ଼ ପଦକ୍ଷେପ ଗ୍ରହଣ କରିଥିଲା।
19 ବର୍ଷ ପୂର୍ବେ ଏକ ମଙ୍ଗଳବାର ସକାଳ 8.45 ରେ, 20,000 ଗ୍ୟାଲନ୍ ଜେଟ୍ ଇନ୍ଧନ ଥିବା ୟୁନାଇଟେଡ ଏୟାରଲାଇନ୍ସ ବୋଇଙ୍ଗ 767 ବିମାନ ବିଶ୍ବ ବାଣିଜ୍ୟ କେନ୍ଦ୍ରର ଉତ୍ତରରେ ଖସିପଡିଥିଲା। 110 ମହଲା ବିଶିଷ୍ଟ ଆକାଶ ଛୁଆଁ ଅଟ୍ଟାଳିକାର 80 ତମ ମହଲା ଜଳି ଯାଇଥିଲା ଏବଂ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ । ଉଚ୍ଚ ଏହି ଅଟ୍ଟାଳିକାରେ ଶହ ଶହ ଲୋକ ଫସି ରହିଥିଲେ। 18 ମିନିଟ୍ ପରେ, ଦ୍ବିତୀୟ ବୋଇଙ୍ଗ 767-ୟୁନାଇଟେଡ ଏୟାରଲାଇନ୍ସ ବିମାନ 175 ଡବ୍ଲ୍ୟୁଟିସିର ଦକ୍ଷିଣ ଟାୱାରରେ ଖସିପଡି 60 ତମ ମହଲାରେ ଏକ ଫାଟ ସୃଷ୍ଟି କଲା ।
9/11 ଆକ୍ରମଣ ପାଇଁ ସାଉଦି ପଳାତକ ଓସାମା ବିନ୍ ଲାଦେନର ଅଲ-କାଏଦା ଆତଙ୍କବାଦୀ ସଂଗଠନ ଆର୍ଥିକ ସହାୟତା ଦେଇଥିବା ଜଣାପଡ଼ିଥିଲା।
ତେବେ ଆସନ୍ତୁ ଜାଣିବା 9/11 ଆକ୍ରମଣ ବିଷୟରେ ଏମିତି କିଛି ତଥ୍ୟ ଯାହା ଆପଣ ଜାଣି ନାହାନ୍ତି ।
99 ଦିନ ପର୍ଯ୍ୟନ୍ତ ଜଳିଥିଲା ନିଆଁ
ଏହି ଭୟାନକ ଆକ୍ରମଣରେ ଲାଗିଥିବା ଭୟଙ୍କ ନିଆଁ 99 ଦିନ ପର୍ଯ୍ୟନ୍ତ ଜଳିଥିଲା । ସେପ୍ଟେମ୍ବର 11ରେ ଲାଗିଥିବା ଏହି ନିଆଁ ଜଳିଥିଲା ଡିସେମ୍ବର 19 ପର୍ଯ୍ୟନ୍ତ ।
1998ରେ ବିମାନ ଅପହରଣ ନେଇ ରାଷ୍ଟ୍ରପତି କ୍ଲିଣ୍ଟନଙ୍କୁ ଚେତାବନୀ ଦେଇଥିଲା CIA
ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି ରାଷ୍ଟ୍ରପତି କ୍ଲିଣ୍ଟନଙ୍କୁ ଚେତାବନୀ ଦେଇଥିଲା ଯେ, ‘‘ବିନ ଲାଦେନ ଆମେରିକୀୟ ଏୟାରକ୍ରାଫ୍ଟକୁ ଅପହଣ ପାଇଁ ଯୋଜନା କରୁଛି ।’’ ଡିସେମ୍ବର 4, 1998 ରେ ସିଆଇଏ ନିଜ ଦୈନିକ ସଂକ୍ଷିପ୍ତ ବକ୍ତବ୍ୟରେ ରାଷ୍ଟ୍ରପତିଙ୍କୁ କହିଥିଲା ଯେ ୟୁସେଫ ଏବଂ ଅନ୍ୟ ଆତଙ୍କବାଦୀଙ୍କ ମୁକ୍ତି ପାଇଁ ସେ ବିମାନ ଅପହରଣ କରିବାକୁ ଯୋଜନା କରୁଛି।
ପୂର୍ବରୁ ମଧ୍ୟ ବିଶ୍ବ ବାଣିଜ୍ୟ କେନ୍ଦ୍ର ଉପରେ ହୋଇଥିଲା ଆକ୍ରମଣ