ୱାଶିଂଟନ: ରଦ୍ଦ ହେଲା ଆମେରିକା ରାଷ୍ଟ୍ରପତି ନିର୍ବାଚନର ଦ୍ବିତୀୟ ଡିବେଟ । ଭର୍ଚୁଆଲ ଯୋଗେ ବିତର୍କରେ ସାମିଲ ନ ହେବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜିଦ ଧରିଥିବାରୁ ଏହାକୁ ବର୍ତ୍ତମାନ ବାତିଲ କରିଦିଆଯାଇଛି । ଆମେରିକା ରାଷ୍ଟ୍ରପତିଙ୍କ ଦ୍ବିତୀୟ ବିତର୍କ ଅକ୍ଟୋବର 15 ତାରିଖ କରାଯିବ ନାହିଁ ବୋଲି ପ୍ରେସିଡେଣ୍ଟାଲ ଡିବେଟର ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି । ଶେଷ ବିତର୍କ ଅକ୍ଟୋବର 22 ତାରିଖରେ ଟେନେସିର ନାଶଭିଲରେ ଆୟୋଜିତ କରାଯିବ । ଏହା ପୂର୍ବରୁ ଆୟୋଗ ଡେମାକ୍ରାକ୍ଟି ପାର୍ଟିର ରାଷ୍ଟ୍ରପତି ପ୍ରତିଦ୍ବନ୍ଦୀ ଜୋ ବିଡେନ ଓ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଆଗୁଆ ନିଜର ଯୋଜନା ଜଣାଇବାକୁ ସୂଚିତ କରିଛନ୍ତି ।
ଗତ ଗୁରୁବାର ଡୋନାଲ୍ଡ ଟ୍ରମ୍ପ କୋଭିଡ ପଜିଟିଭ ଜଣାପଡିବା ପରେ ଆୟୋଗ ପକ୍ଷରୁ ବିତର୍କକୁ ଭର୍ଚୁଆଲରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ରାଷ୍ଟ୍ରପତି ପଦ ପାଇଁ ଲଢୁଥିବା ଦୁଇ ପ୍ରାର୍ଥୀଙ୍କୁ ଅଲଗା ଅଲଗା ସ୍ଥାନରେ ରହି ବିତର୍କ କରାଯିବ ବୋଲି ଯୋଜନା କରିଥିଲେ । କିନ୍ତୁ ସେହି ଦିନ ହିଁ ଟ୍ରମ୍ପ ଭର୍ଚୁଆଲ ବିତର୍କ କରିବେ ନାହିଁ ବୋଲି ସଫା ସଫା କହିଥିଲେ । ଏପରିକି ଭର୍ଚୁଆଲ କରି ସେ ତାଙ୍କର ସମୟ ନଷ୍ଟ କରିବେ ନାହିଁ ସ୍ପଷ୍ଟ ଦାବି ରଖିଥିଲେ ।
ସେପଟେ, ଟ୍ରମ୍ପଙ୍କ ପ୍ରତିଦ୍ବନ୍ଦୀ ଜୋ ବିଡେନ କହିଛନ୍ତି, ରାଷ୍ଟ୍ରପତିଙ୍କ ଭିତରେ କଣ ଚାଲିଛି କିଛି ଜଣାପଡୁନାହିଁ, ପ୍ରତି ସେକେଣ୍ଡରେ ତାଙ୍କ ମନ ପରିବର୍ତ୍ତନ ହେଉଛି । ତେବେ ସେ ପ୍ରେସିଡେଣ୍ଟାଲ ଡିବେଟ କମିଶନଙ୍କ ନିଷ୍ପତ୍ତି ସମ୍ମାନ ଜଣାଇବା ସହ ଭର୍ଚୁଆଲରେ ସାମିଲ ହେବାକୁ କହିଥିଲେ ଜୋ ବିଡେନ ।