ମେଡେଲ୍ଲିନ(କଲୋମ୍ବିଆ): କୋରୋନା ଭୟ ସାରା ବିଶ୍ବକୁ ଗ୍ରାସ କରିଛି । ୟୁରୋପ ଓ ଆମେରିକାରେ ସ୍ଥିତି ସଙ୍ଗୀନ ହୋଇଛି । ପରିସ୍ଥିତିର ଭୟାବହତା ଦେଖି ଅଧିକାଂଶ ଦେଶରେ ଲକଡାଉନ ଘୋଷଣା ହୋଇଛି । ଏପରି ସ୍ଥିତିରେ ବିଦେଶରେ ବିଭିନ୍ନ ଫୁଡ ଡେଲିଭରୀ କମ୍ପାନୀ ନିଜ ସାଇଟ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି । ସଂକ୍ରମଣ ଭୟ ସହ ଡେଲିଭରୀ ବୟ କମ ଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ।
ତେବେ ଏହି ସଙ୍କଟରୁ ଉଦ୍ଧାର ପାଇବାକୁ କଲୋମ୍ବିଆର ଏକ ଡେଲିଭରୀ କମ୍ପାନୀ ନୂଆ ଉପାୟ ଆପଣାଇଛି । କୋରୋନା ମହାମାରୀ ବ୍ୟାପିବାରୁ ରକ୍ଷା ପାଇବା ପାଇଁ ଏହା ରୋବଟ୍ ଦ୍ବାରା ଡେଲିଭରୀ କରୁଛି । ଗ୍ରାହକଙ୍କ ସହ ସଂସ୍ପର୍ଶରେ ନ ଆସିବା ପାଇଁ କମ୍ପାନୀ ଏହି ପଦ୍ଧତି ବାହାର କରିଛି । ଡେଲିଭରୀ ସର୍ଭିସ କମ୍ପାନୀ ରାପ୍ପି ଓ ଟେକ୍ନୋ କମ୍ପାନୀ କିୱିବୋଟ୍ ଏକାଠି ମିଶି 15ଟି ରୋବଟ୍ ତିଆରି କରିଛନ୍ତି । ଏହି ସମସ୍ତ ରୋବଟ୍ ମେଡେଲ୍ଲିନ ସହରରେ ଫୁଡ ଡେଲିଭରୀ ପାଇଁ ମୁତୟନ ହୋଇଛନ୍ତି ।