ଓଡିଶା

odisha

ETV Bharat / international

ଭୂତାଣୁ କବଳରୁ ଟ୍ରମ୍ପ୍‌ଙ୍କ ଆରୋଗ୍ୟଲାଭ ସମୟରେ ଉନ୍ମୁକ୍ତ ହେବ ପେନ୍‌ସ-ହାରିସ୍‌ ବିତର୍କ - ଆମେରିକା ଉପରାଷ୍ଟ୍ରପତି ମାଇକ୍‌ ପେନ୍‌ସ

ଆମେରିକା ଉପରାଷ୍ଟ୍ରପତି ମାଇକ୍‌ ପେନ୍‌ସ ଏବଂ ତାଙ୍କ ଡେମୋକ୍ରାଟିକ୍‌ ଦଳ ପ୍ରତିଦ୍ବନ୍ଦ୍ବୀ ତଥା କାଲିଫର୍ଣ୍ଣିଆ ସିନେଟର କମଲା ହାରିସ୍‌ଙ୍କ ମଧ୍ୟରେ ବୁଧବାର ଦିନ ଆୟୋଜିତ ବିତର୍କରେ, ଦେଶ ସମ୍ମୁଖୀନ ହୋଇଥିବା ବିଭିନ୍ନ ସଂକଟ ସଂପର୍କରେ ସଂପୂର୍ଣ୍ଣ ଭିନ୍ନ ଭିନ୍ନ ଦୃଷ୍ଟିକୋଣ ଉପସ୍ଥାପିତ ହେବ । ତେବେ ଗତ ସପ୍ତାହରେ କୋରୋନାଭାଇରସ୍‌ ସଂକ୍ରମିତ ବୋଲି ପରୀକ୍ଷଣରୁ ଜଣାପଡ଼ିବା ପରେ କିଛି ଦିନ ହସ୍‌ପିଟାଲରେ ବିତାଇ ଆରୋଗ୍ୟଲାଭ କରିଥିବା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ହ୍ବାଇଟ୍‌ ହାଉସ୍‌କୁ ଫେରିଆସିବା ସମୟରେ ଏହି ବିତର୍କ ଆରମ୍ଭ ହେବାକୁ ଯାଉଛି । ଅଧିକ ପଢନ୍ତୁ...

ଭୂତାଣୁ କବଳରୁ ଟ୍ରମ୍ପ୍‌ଙ୍କ ଆରୋଗ୍ୟଲାଭ ସମୟରେ ଉନ୍ମୁକ୍ତ ହେବ ପେନ୍‌ସ-ହାରିସ୍‌ ବିତର୍କ
ଭୂତାଣୁ କବଳରୁ ଟ୍ରମ୍ପ୍‌ଙ୍କ ଆରୋଗ୍ୟଲାଭ ସମୟରେ ଉନ୍ମୁକ୍ତ ହେବ ପେନ୍‌ସ-ହାରିସ୍‌ ବିତର୍କ

By

Published : Oct 8, 2020, 6:36 AM IST

ସଲ୍‌ଟ ଲେକ୍‌ ସିଟି: ଆମେରିକା ଉପରାଷ୍ଟ୍ରପତି ମାଇକ୍‌ ପେନ୍‌ସ ଏବଂ ତାଙ୍କ ଡେମୋକ୍ରାଟିକ୍‌ ଦଳ ପ୍ରତିଦ୍ବନ୍ଦ୍ବୀ ତଥା କାଲିଫର୍ଣ୍ଣିଆ ସିନେଟର କମଲା ହାରିସ୍‌ଙ୍କ ମଧ୍ୟରେ ବୁଧବାର ଦିନ ଆୟୋଜିତ ବିତର୍କରେ, ଦେଶ ସମ୍ମୁଖୀନ ହୋଇଥିବା ବିଭିନ୍ନ ସଂକଟ ସଂପର୍କରେ ସଂପୂର୍ଣ୍ଣ ଭିନ୍ନ ଭିନ୍ନ ଦୃଷ୍ଟିକୋଣ ଉପସ୍ଥାପିତ ହେବ । ସଲ୍‌ଟ ଲେକ୍‌ ସିଟିରେ ଆୟୋଜିତ ଏହି ମୁକାବିଲା ନିକଟ ଅତୀତରେ ସଂଘଟିତ ଯେ କୌଣସି ଉପରାଷ୍ଟ୍ରପତି ପଦ ପାଇଁ ବିତର୍କ ତୁଳନାରେ ସର୍ବାଧିକ ପ୍ରତ୍ୟାଶାପୂର୍ଣ୍ଣ ମନେହୁଏ ।

ଗତ ସପ୍ତାହରେ କୋରୋନାଭାଇରସ୍‌ ସଂକ୍ରମିତ ବୋଲି ପରୀକ୍ଷଣରୁ ଜଣାପଡ଼ିବା ପରେ କିଛି ଦିନ ହସ୍‌ପିଟାଲରେ ବିତାଇ ଆରୋଗ୍ୟଲାଭ କରିଥିବା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ହ୍ବାଇଟ୍‌ ହାଉସ୍‌କୁ ଫେରିଆସିବା ସମୟରେ ଏହି ବିତର୍କ ଆରମ୍ଭ ହେବାକୁ ଯାଉଛି । ଟ୍ରମ୍ପ୍‌ଙ୍କ ସଂକ୍ରମଣ ଯୋଗୁଁ ତାଙ୍କ ପ୍ରଚାର ଅଭିଯାନ ପ୍ରତି ଶକ୍ତ ଧକ୍କା ଲାଗିଥିବା ସମୟରେ, ଏହି ବିତର୍କରେ ବିଶ୍ବ ମହାମାରୀ ମୁକାବିଲାରେ ତାଙ୍କ ପ୍ରଶାସନର ଭୂମିକାକୁ ସଠିକ ପ୍ରତିପାଦିତ କରିବା ଲାଗି ପେନ୍‌ସ ପ୍ରବଳ ଚାପର ସମ୍ମୁଖୀନ ହେବେ ।

ହାରିସ୍‌ଙ୍କ ପାଇଁ ଏହି ବିତର୍କ ହିଁ ସର୍ବୋଚ୍ଚ ଧରଣର ସୁଯୋଗ ଆଣିଦେବ । ବିଶେଷତଃ, ସଂପ୍ରତି ଦେଖାଦେଇଥିବା ବିଶ୍ବ ମହାମାରୀ ଓ ଜାତିଆଣ ଅନ୍ୟାୟ ସଂପର୍କିତ ସମସ୍ୟାର ସମାଧାନ ଦିଗରେ ତାଙ୍କ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ ନୀତି ସଂପର୍କରେ ପ୍ରଚାର କରିବାକୁ ତାଙ୍କୁ ଅବସର ମିଳିବ । ଅତୀତରେ ଜଣେ ଆଇନଜୀବୀ ହିସାବରେ ତାଙ୍କ ଭୂମିକାକୁ ଆଖିରେ ରଖି ତାଙ୍କ ଦୃଷ୍ଟିରେ କିଛିଟା ପ୍ରଗତିଶୀଳ ବୋଲି ବିବେଚିତ ଆଇନର କାର୍ଯ୍ୟକାରିତା କ୍ଷେତ୍ରରେ ସେ ତାଙ୍କ ଦୃଷ୍ଟିକୋଣ ଉପସ୍ଥାପନ କରିବେ ।

ପରିଶେଷରେ, ପେନ୍‌ସ ଓ ହାରିସ୍‌ଙ୍କ ମଧ୍ୟରୁ କିଏ ନିକଟ ଭବିଷ୍ୟତରେ ରାଷ୍ଟ୍ରପତି ପଦମଣ୍ଡନ କରିବାର ଯୋଗ୍ୟତା ରଖିଛନ୍ତି, ଏହି ବିତର୍କରେ ହିଁ ଭୋଟରମାନେ ସେ ସଂପର୍କରେ ନିଷ୍ପତ୍ତି ନେବାର ସୁଯୋଗ ପାଇବେ । ଏହା ଏକ ତାତ୍ତ୍ବିକ ପ୍ରସଙ୍ଗ ଯେ 74 ବର୍ଷୀୟ ଟ୍ରମ୍ପ୍‌ ଭୂତାଣୁ ସହ ସଂଗ୍ରାମ କରୁଥିବା ବେଳେ 77 ବର୍ଷ ବୟସ୍କ ବାଇଡେନ୍‌ ଯଦି ନିର୍ବାଚିତ ହୁଅନ୍ତି, ତେବେ ସେ ଆମେରିକାର ରାଷ୍ଟ୍ରପତି ପଦବୀ ଗ୍ରହଣ କରିବାରେ ସବୁଠାରୁ ବୟସ୍କ ବ୍ୟକ୍ତି ହେବେ ।

ଏହି ବିତର୍କରେ ଅନେକ ପ୍ରସଙ୍ଗରେ ମତାମତ ବିନିମୟ ହେବାର ଥିଲେ ହେଁ କୋରୋନା ଭୂତାଣୁ ହିଁ ମୁଖ୍ୟ ପ୍ରସଙ୍ଗ ରୂପେ ଆଗରେ ରହିବ । ପେନ୍‌ସ ଓ ହାରିସ୍‌ ଏଭଳି ମଞ୍ଚରେ ଉପସ୍ଥିତ ହେବେ ଯେଉଁଥିରେ ସେମାନଙ୍କୁ ‘ପ୍ଲେକ୍‌ସିଗ୍ଲାସ୍‌’ କାଚ ଲଗାଇ ପୃଥକ୍‌ କରାଯାଇଥିବ ଏବଂ ଦୁହେଁ ଠିକ୍‌ 12.25 ଫୁଟ୍‌ (3.7 ମିଟର) ଦୂରତାରେ ରହିବେ । ଦର୍ଶକମାନଙ୍କ ମଧ୍ୟରୁ ଯଦି କେହି ମାସ୍କ ପିନ୍ଧିବାକୁ ମନା କରିବେ ତେବେ ତାଙ୍କୁ ସେହି ସ୍ଥାନ ଛାଡ଼ି ଚାଲିଯିବାକୁ କୁହାଯିବ ।

ଗତ ସପ୍ତାହରେ ଟ୍ରମ୍ପ୍‌ ଓ ଅନ୍ୟମାନଙ୍କ ସହିତ ପେନ୍‌ସ ବିଭିନ୍ନ ସ୍ଥାନକୁ ଯାଇଥିଲେ ଏବଂ ସେମାନେ ଭୂତାଣୁ ସଂକ୍ରମିତ ବୋଲି ପରୀକ୍ଷଣରୁ ଜଣାପଡ଼ିବା ପରେ ପେନ୍‌ସ ଏହି ବିତର୍କରେ ଯୋଗ ଦେବା ଉଚିତ ହେବ କି ବୋଲି ତାଙ୍କୁ ବିଭିନ୍ନ ସମୟରେ ପ୍ରଶ୍ନ କରାଯାଇଥିଲା । ହେଲେ, ଉପରାଷ୍ଟ୍ରପତି ପେନ୍‌ସ ସଂକ୍ରମିତ ନୁହନ୍ତି ବୋଲି ବାରମ୍ବାର ପରୀକ୍ଷଣରୁ ପ୍ରମାଣିତ ହୋଇଛି । ତାଙ୍କ କର୍ମଚାରୀ ଓ ଡାକ୍ତରମାନେ କହନ୍ତି ଯେ, ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସନର ନିର୍ଦ୍ଦେଶାବଳୀ ଅନୁସାରେ ସେ ପୃଥକ୍‌ବାସରେ ରହିବା ଜରୁରୀ ନୁହେଁ ।

ସିଡିସି ଦ୍ବାରା ନିର୍ଦ୍ଧାରିତ ପରିଭାଷା ଅନୁସାରେ, ପଜିଟିଭ୍‌ ବୋଲି ପରୀକ୍ଷଣରୁ ଜଣାପଡ଼ିବା କିମ୍ବା ସଂକ୍ରମଣର ଲକ୍ଷଣ ପ୍ରକାଶ ପାଇବାର ଦୁଇ ଦିନ ପୂର୍ବରୁ ଆରମ୍ଭ କରି ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ସହ ଅତି କମ୍‌ରେ 15 ମିନିଟ୍‌ ପାଇଁ 6 ଫୁଟ୍‌ (1.8 ମିଟର) ପରିସର ମଧ୍ୟରେ ରହିଥିଲେ ତାହାକୁ ‘ଘନିଷ୍ଠ ସଂସ୍ପର୍ଶରେ ଆସିଥିବ ବ୍ୟକ୍ତି’ଙ୍କ ଜରିଆରେ ସଂକ୍ରମଣ ସମ୍ଭାବନା ରହିଛି ବୋଲି ଧରାଯିବ ।

ହାରିସ୍‌ ଓ ପେନ୍‌ସଙ୍କ ମଝିରେ ପ୍ଲେକ୍‌ସିଗ୍ଲାସ୍‌ କାଚ ଲଗାଇ ସେମାନଙ୍କୁ ପୃଥକ୍‌ କରିବା ଲାଗି ହାରିସ୍‌ଙ୍କ ଅନୁରୋଧ ଉପରେ ପେନ୍‌ସଙ୍କ ଟିମ୍‌ ଆପତ୍ତି କରିଥିଲା ଏବଂ ଏହା ଡାକ୍ତରୀ ବିଜ୍ଞାନ ଅନୁସାରେ ଅନାବଶ୍ୟକ ବୋଲି କହିଥିଲା । ହେଲେ, ସେତେବେଳକୁ ରାଷ୍ଟ୍ରପତି ନିର୍ବାଚନ ସଂପର୍କିତ ବିତର୍କ ଲାଗି ଗଠିତ କମିସନ ଏଭଳି କାଚ ଲଗାଇବା ଲାଗି ସମ୍ମତି ପ୍ରକାଶ କରିସାରିଥିଲେ । ଏଭଳି କାଚର ପ୍ରତିବନ୍ଧକ ଦ୍ବାରା ପେନ୍‌ସ ଏହି ବିତର୍କରେ ଯୋଗ ଦେବା ଲାଗି ନିରୁତ୍ସାହିତ ହେବେ ନାହିଁ ବୋଲି ତାଙ୍କ ସହକର୍ମୀମାନେ କହିଥିଲେ ।

ପେନ୍‌ସଙ୍କ ମୁଖ୍ୟ ସହଯୋଗୀ ମାର୍କ ଶର୍ଟ କହିଥିଲେ ଯେ, ପ୍ଲେକ୍‌ସିଗ୍ଲାସ୍‌ ପ୍ରତିବନ୍ଧକକୁ ନେଇ ଉପୁଜିଥିବା ବିବାଦ ଯୋଗୁଁ ଉପ ରାଷ୍ଟ୍ରପତି ଏହି ବିତର୍କରୁ ଓହରି ଯିବାର ‘ଆଦୌ ଆଶଙ୍କା ନାହିଁ’ । ସେ କହିଥିଲେ ଯେ, ପେନ୍‌ସ “ସେଠାରେ ଉପସ୍ଥିତ ରହିବେ” କାରଣ, “ଆମେରିକାର ଲୋକଙ୍କ ପାଇଁ ଏହା ଖୁବ୍‌ ଗୁରୁତ୍ବପୂର୍ଣ୍ଣ ।” ସେ ଆହୁରି କହିଥିଲେ ଯେ, “ଏହି ଦ୍ବିଧାବୋଧ ପ୍ରତିପକ୍ଷ ପାଖରେ ରହିଥିବା ଭଳି ମନେ ହେଉଛି ।”

ହାରିସ୍‌ଙ୍କର ଜଣେ ମୁଖପାତ୍ର ସାବ୍ରିନା ସିଂହ କହିଥିଲେ ଯେ, ସିନେଟର ହାରିସ୍‌ “ସଂପୃକ୍ତ ସବୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କ୍ଲିଭ୍‌ଲ୍ୟାଣ୍ଡ କ୍ଲିନିକ୍‌ ଜାରି କରିଥିବା ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ ସମ୍ମାନ ଜଣାଇ ବିତର୍କରେ ଯୋଗ ଦେବେ”। ରାଷ୍ଟ୍ରପତିଙ୍କ ବିତର୍କ ନିମନ୍ତେ ଗଠିତ କମିସନଙ୍କ ସ୍ବାସ୍ଥ୍ୟ ଉପଦେଷ୍ଟା ଭାବେ କ୍ଲିଭ୍‌ଲ୍ୟାଣ୍ଡ କ୍ଲିନିକ୍‌ କାର୍ଯ୍ୟ କରେ । ପୂର୍ବରୁ ବିବାଦୀୟ ସ୍ଥିତି ଦେଖାଦେଇଥିଲେ ହେଁ, ଏହି ବିତର୍କ ଗତ ସପ୍ତାହରେ ଟ୍ରମ୍ପ୍‌ ଓ ବାଇଡେନ୍‌ଙ୍କ ମଧ୍ୟରେ ଅନୁଷ୍ଠିତ ବିତର୍କ ଭଳି ବିଶୃଙ୍ଖଳିତ ହେବ ନାହିଁ ବୋଲି ଆଶା କରାଯାଉଛି ।

ହାରିସ୍‌ ଓ ବାଇଡେନ୍‌ଙ୍କ ଉଦାରବାଦୀ ନୀତିକୁ ସମାଲୋଚନା କରିବା ଲାଗି ପେନ୍‌ସ ଆଗ୍ରହୀ ହେବେ । କିନ୍ତୁ ଏହା ଯୋଗୁଁ ବିଶ୍ବ ମହାମାରୀର ମୁକାବିଲା କ୍ଷେତ୍ରରେ ରିପବ୍ଲିକାନ୍‌ ପ୍ରଶାସନର କାର୍ଯ୍ୟକଳାପ ସଂପର୍କିତ ଆଲୋଚନାକୁ ଦୂରେଇ ଦେଇପାରିବେ ନାହିଁ । ରାଷ୍ଟ୍ରପତିଙ୍କ କୋରୋନା ଭାଇରସ୍‌ ଟାସ୍କ ଫୋର୍ସର ଅଧ୍ୟକ୍ଷ ଭାବରେ ପେନ୍‌ସ କାର୍ଯ୍ୟରତ । ହେଲେ ଏହି ଟାସ୍କ୍‌ ଫୋର୍ସ ଏକ ବିସ୍ତୃତ ଜାତୀୟ ନୀତି କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛି ଏବଂ ଟ୍ରମ୍ପ୍‌ ନିଜେ ଏହି ରୋଗରୁ ଆରୋଗ୍ୟଲାଭ କରୁଥିବା ସମୟରେ ଏବଂ ସାରା ଦେଶରେ ମୃତ୍ୟୁସଂଖ୍ୟା 2,10,000 ଅତିକ୍ରମ କରିଥିବା ବେଳେ ନିକଟରେ ଏହି ଭୂତାଣୁ ସମସ୍ୟାର ଅନ୍ତ ଘଟିବା ସମ୍ଭାବନା ଦୃଷ୍ଟିଗୋଚର ହେଉନାହିଁ ।

ଟ୍ରମ୍ପଙ୍କ ସହିତ ତାଙ୍କର ପରବର୍ତ୍ତୀ ବିତର୍କରେ ସେ ଅଂଶଗ୍ରହଣ କରିବେ କି ନାହିଁ ବୋଲି ବାଇଡେନ୍‌ ପ୍ରଶ୍ନ ଉଠାଇଛନ୍ତି । ମଙ୍ଗଳବାର ଦିନ ସେ ସାମ୍ବାଦିକାମାନଙ୍କୁ କହିଛନ୍ତି ଯେ. “ଯଦି ସେ ଏବେ ବି କୋଭିଡ୍‌ରେ ଆକ୍ରାନ୍ତ, ତେବେ ଆମେ ଏକ ବିତର୍କରେ ଯୋଗ ଦେବା ଉଚିତ ହେବ ନାହିଁ ବୋଲି ମୁଁ ଭାବୁଛି ।” ଆମେରିକାର 61 ବର୍ଷୀୟ ଉପରାଷ୍ଟ୍ରପତି ଇଣ୍ଡିଆନାର ପୂର୍ବତନ ଗଭର୍ଣ୍ଣର ଏବଂ ଜଣେ ପୂର୍ବତନ ରେଡିଓ ସଂଚାଳକ, ଜଣେ ନୀତିନିଷ୍ଠ ଖ୍ରୀଷ୍ଟିଆନ୍‌. ଯେ କି ତାଙ୍କର ସୌମ୍ୟଦର୍ଶୀ ଚେହେରାର ଆକର୍ଷଣ ଏବଂ ଟ୍ରମ୍ପଙ୍କ ପାଇଁ ଗଭୀର ଆନୁଗତ୍ୟ ନିମନ୍ତେ ସୁପରିଚିତ ।

55 ବର୍ଷୀୟା ହାରିସ୍‌ କାଲିଫର୍ଣ୍ଣିଆର ଗଭର୍ଣ୍ଣର ଏବଂ ଜାମାଇକା ନିବାସୀ ବାପା ଓ ଭାରତୀୟ ମାଆଙ୍କର ଝିଅ । ସେ ମଧ୍ୟ ଜଣେ ପୂର୍ବତନ ଆଇନଜୀବୀ । ବିଭିନ୍ନ ପଦବୀରେ ଟ୍ରମ୍ପଙ୍କ ଦ୍ବାରା ନିଯୁକ୍ତିପ୍ରାପ୍ତ ବ୍ୟକ୍ତି ଏବଂ ଅଦାଲତଙ୍କ ଦ୍ବାରା ମନୋନୀତ ବ୍ୟକ୍ତିଙ୍କ ସଂପର୍କରେ ତାଙ୍କର ଶାଣିତ ପ୍ରଶ୍ନ ଏବଂ ପ୍ରଚାର ସମୟରେ ତାଙ୍କର ଶାନ୍ତ ସରଳ ସ୍ବଭାବ ତାଙ୍କୁ ଡେମୋକ୍ରାଟିକ୍‌ ଦଳର ଜଣେ ବିଶିଷ୍ଟ ବ୍ୟକ୍ତିତ୍ବରେ ପରିଣତ କରିଛି ।

ଉପ ରାଷ୍ଟ୍ରପତି ନିର୍ବାଚନର କୌଣସି ବିତର୍କରେ ଅଂଶଗ୍ରହଣ କ୍ଷେତ୍ରରେ ପ୍ରଥମ କୃଷ୍ଣକାୟ ମହିଳା ରୂପରେ ସେ ଇତିହାସ ରଚିବେ । ତାଙ୍କ ପ୍ରାର୍ଥିତ୍ବର ଏହି ଐତିହାସିକ ଦିଗ ଯୋଗୁଁ ତାଙ୍କୁ ସମ୍ଭାବ୍ୟ ଡେମୋକ୍ରାଟିକ୍‌ ସମର୍ଥକ ତଥା ଆଫ୍ରିକୀୟ-ଆମେରିକୀୟମାନେ, ବିଶେଷତଃ ଯୁବଗୋଷ୍ଠୀ ଏବଂ ବାଇଡେନ୍‌ଙ୍କ ପ୍ରାର୍ଥିତ୍ବ ପ୍ରତି ସେତେଟା ଆଗ୍ରହ ପ୍ରଦର୍ଶନ କରି ନଥିବା ଭୋଟରମାନେ ଭୋଟ ଦେବେ ବୋଲି ଡେମୋକ୍ରାଟ୍‌ମାନେ ଆଶା କରନ୍ତି ।

ଉଭୟ ପ୍ରାର୍ଥୀ ପରସ୍ପର ପ୍ରତି କେତେଦୂର ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରିବେ ତାହା ସ୍ପଷ୍ଟ ହୋଇନାହିଁ । ଉଭୟ ନିଜ ନିଜର ପ୍ରଚାରରେ ସତର୍କତା ଅବଲମ୍ବନ କରିଛନ୍ତି । ଅତୀତର ନିର୍ବାଚନୀ ସାଥୀମାନଙ୍କୁ ସାଙ୍ଗରେ ରଖିଛନ୍ତି ଏବଂ ସର୍ବୋପରି ସେମାନଙ୍କୁ, ପାର୍ଟି ଟିକେଟ ପାଇବା ସମ୍ଭାବନା କ୍ଷୁଣ୍ଣ ନ କରିବାର ଦାୟିତ୍ବ ଦେଇଛନ୍ତି । ରକ୍ଷଣଶୀଳ ଆଭିମୁଖ୍ୟ ଯୋଗୁଁ ତାଙ୍କ ପ୍ରାର୍ଥିତ୍ବ ମଳିନ ପଡ଼ିଯିବ ବୋଲି ହାରିସଙ୍କ କେତେକ ସହଯୋଗୀ ଆଶଙ୍କା ପ୍ରକାଶ କରନ୍ତି ।

ସିନେଟ୍‌ରେ ଏବଂ ସେ କାଲିଫର୍ଣ୍ଣିଆର ଆଟର୍ଣ୍ଣି ଜେନେରାଲ ଥିବା ସମୟରେ ହାରିସ୍‌ଙ୍କ ମୁଖ୍ୟ ସହଯୋଗୀ ରହିଥିବା ନାଥନ୍‌ ବାରାନ୍‌କିନ୍‌ କହିଲେ, “ପ୍ରକାଶ୍ୟ ଭାବେ ବର୍ଣ୍ଣନା କଲେ, କମଲା ହାରିସ୍‌ ଅର୍ଥ କୌଣସି ଗୁଳି ବିନିମୟ ପୂର୍ବରୁ ଯାହାଙ୍କ ଶରୀରରୁ ପାଞ୍ଚଟି ଗୁଳି ବାହାର କରିବାକୁ ପଡ଼େ ତାହା ସହ ସମାନ ।”

ଏହି ବିତର୍କରୁ ବହୁତ ଫାଇଦା ମିଳିବ ବୋଲି କେତେକ ଡେମୋକ୍ରାଟ୍‌ ଆଶା ରଖିଥିବା ବେଳେ ହାରିସ୍‌ ଓ ତାଙ୍କ ସହଯୋଗୀମାନେ ସେମାନଙ୍କୁ ନିରବ ରଖିବା ଲାଗି ଚେଷ୍ଟା କରୁଛନ୍ତି । ଗତ ମାସରେ, ଏକ ‘ଜୁମ୍‌ କଲ୍‌’ ସମୟରେ ଯେତେବେଳେ କାଲିଫର୍ଣ୍ଣିଆର ଷ୍ଟେଟ୍‌ ସିନେଟ୍‌ ପ୍ରେସିଡେଣ୍ଟ ହାରିସଙ୍କୁ କହିଲେ ଯେ ତାଙ୍କ ନିଜ ରାଜ୍ୟର ସମର୍ଥକମାନେ ଏହି ବିତର୍କକୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି, ସେତେବେଳେ ହାରିସ୍‌ ତୁରନ୍ତ ତାଙ୍କ କଥାର ମୋଡ଼ ବଦଳାଇ ଦେଇଥିଲେ । ହସି ହସି ସେ କହିଲେ, “ସେ ଜଣେ ଭଲ ବିତର୍କକାରୀ । ମୁଁ ତ ଏତେ ଉଦ୍‌ବିଗ୍ନ, ଏଇ ଯେମିତି କି ମୁଁ ହୁଏତ ନିରାଶ କରିପାରେ । ଏହି ବିତର୍କରେ ଲିଙ୍ଗଭେଦର ଏକ ଭୂମିକା ରହିପାରେ ବୋଲି ନିକଟରେ ଏକ ପାଣ୍ଠି ସଂଗ୍ରହ ଅଭିଯାନ ଅବସରରେ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରିଥିବା ପ୍ରଥମ ମହିଳା ହିଲାରୀ କ୍ଲିଣ୍ଟନ କହିଥିଲେ ।

ସେ କହିଥିଲେ ଯେ ହୁଏତ ପେନ୍‌ସ ହାରିସ୍‌ଙ୍କୁ “ଜଣେ ଅନୁଭୂତିବିହୀନ ମହିଳା ପ୍ରାର୍ଥୀ” ରୂପେ ଚିତ୍ରିତ କରିପାରନ୍ତି । କ୍ଲିଣ୍ଟନ କହିଥିଲେ ଯେ, ଉତ୍ତର ଦେବା ବେଳେ ରାଜନୀତିରେ ମହିଳାଙ୍କ ପ୍ରତି ରହିଥିବା ଦୋମୁହାଁ ନୀତି ପ୍ରତି ହାରିସ୍‌ଙ୍କୁ ସତର୍କ ରହିବାକୁ ପଡ଼ିବ । କ୍ଲିଣ୍ଟନ କହିଲେ, “ପ୍ରତିପକ୍ଷର ମତାମତରେ ଯେ କୌଣସି ନିହିତାର୍ଥକୁ ସେ ଦୃଢ଼ ଓ ପ୍ରଭାବଶାଳୀ ଢଙ୍ଗରେ ଖଣ୍ଡନ କରିବା ଆବଶ୍ୟକ । କିନ୍ତୁ ଏହା ଏପରି କରିବା ଦରକାର ଯେପରି କି ଭୋଟରମାନେ ଭୟ ନ କରନ୍ତି କିମ୍ବା ଦୂରେଇ ନଯାଆନ୍ତି ।”

ଏହି ବିତର୍କ ପାଇଁ ହାରିସ୍‌ ଶନିବାର ଦିନରୁ ସଲ୍‌ଟ ଲେକ୍‌ ସିଟିରେ ପ୍ରସ୍ତୁତି ଚଳାଇଛନ୍ତି । ବିତର୍କ ପାଇଁ ତାଙ୍କ ପ୍ରସ୍ତୁତିର ନେତୃତ୍ବ ନେଉଛନ୍ତି ୱାଶିଂଟନର ଜଣେ ଆଇନଜୀବୀ କାରେନ୍‌ ଡୁନ୍‌, ଯିଏକି 2016ରେ ଟ୍ରମ୍ପ୍‌ଙ୍କ ବିରୋଧରେ କ୍ଲିଣ୍ଟନଙ୍କ ବିତର୍କ ପ୍ରସ୍ତୁତ କରିଥିଲେ ।

ଟ୍ରମ୍ପ୍‌-ପେନ୍‌ସଙ୍କ ନେତୃତ୍ବରେ ସରକାରଙ୍କ ବିଫଳତା ଉପରେ ଧ୍ୟାନକେନ୍ଦ୍ରିତ କରିବାକୁ ହାରିସ୍‌ ଯୋଜାନା କରିଛନ୍ତି । କିନ୍ତୁ ଟ୍ରମ୍ପଙ୍କ ବିରୋଧରେ ବ୍ୟକ୍ତିଗତ ଆକ୍ରମଣ ନକରିବାକୁ ସ୍ଥିର କରିଛନ୍ତି । ହେଲେ, ନିଜ ନାମ ପ୍ରକାଶ ନକରିବା ସର୍ତ୍ତରେ, ବିତର୍କର ଯୋଜନା ସଂପର୍କରେ ସାଧାରଣରେ ଆଲୋଚନା କରିବାକୁ ଅଧିକାର ପାଇ ନଥିବା ଜଣେ ପ୍ରଚାର ସହଯୋଗୀଙ୍କ କହିବା ଅନୁସାରେ ରାଷ୍ଟ୍ରପତି ଟ୍ରମ୍ପ୍‌ ହସ୍‌ପିଟାଲରେ ଭର୍ତ୍ତି ହେବା ପରଠାରୁ ବାଇଡେନ୍‌ ତାହା ହିଁ କରିଆସିଛନ୍ତି ।

ବିତର୍କର ପ୍ରସ୍ତୁତି ସଂପର୍କରେ ସାଧାରଣରେ ଆଲୋଚନା କରିବାକୁ ପେନ୍‌ସଙ୍କ ଟିମ୍‌ ଅନିଚ୍ଛା ପ୍ରକାଶ କରିଥିବା ବେଳେ ସେ ଯାହା ସବୁ କରନ୍ତି ‘ମନଯୋଗ’ ସହକାରେ କରନ୍ତି ବୋଲି କହିଛନ୍ତି । ଗତ ଚାରି ବର୍ଷ ହେଲା, ପ୍ରାୟ ସବୁଦିନ ରାଷ୍ଟ୍ରପତିଙ୍କ କାର୍ଯ୍ୟକୁ ପେନ୍‌ସ ଯୁକ୍ତିସିଦ୍ଧ କରିଆସିଛନ୍ତି ଏବଂ ଟ୍ରମ୍ପଙ୍କ ଗୋଳମାଳିଆ ଉକ୍ତିକୁ ସମ୍ବେଦନଶୀଳ, ଗ୍ରହଣଯୋଗ୍ୟ କରିବାର କଳାକୌଶଳରେ ପାରଙ୍ଗମ ହୋଇପାରିଛନ୍ତି ।

ସହଯୋଗୀମାନଙ୍କ ମତରେ ପେନ୍‌ସଙ୍କ ସମାଲୋଚନା ହାରିସଙ୍କ ବଦଳରେ ପ୍ରାୟତଃ କେବଳ ବାଇଡେନ୍‌ଙ୍କ ପାଇଁ ଉଦ୍ଦିଷ୍ଟ । ବୁଧବାର ଦିନ ବି ସେ ତାହା ହିଁ କରିବେ, କିନ୍ତୁ ହାରିସଙ୍କୁ ସଂପୂର୍ଣ୍ଣ ଅଣଦେଖା କରିବେ ନାହିଁ । ଗତ ସପ୍ତାହରେ ଆୟୋୱାରେ ଏକ ରକ୍ଷଣଶୀଳ ଟକ୍‌ ଶୋ’କୁ ସାକ୍ଷାତକାର ଦେଇ କାଲିଫର୍ଣ୍ଣିଆର ସିନେଟରଙ୍କୁ ଜଣେ ବାମପନ୍ଥୀ ଉଗ୍ରବାଦୀ ରୂପରେ ଉପରାଷ୍ଟ୍ରପତି ବର୍ଣ୍ଣନା କରିଥିଲେ । ପେନ୍‌ସ ଏହା ବି କହିଥିଲେ ଯେ, “ସେ ବିତର୍କ ଲାଗି ଦିନ ଗଣୁଛନ୍ତି ।”

ପେନ୍‌ସ କହିଲେ, “କମଲା ହାରିସ୍‌ଙ୍କ ଭିତରେ ଆପଣ 2019ରେ ଯୁକ୍ତରାଷ୍ଟ୍ର ଆମେରିକା ସିନେଟ୍‌ର ଜଣେ ସର୍ବାଧିକ ଉଦାରବାଦୀ ସଦସ୍ୟଙ୍କୁ ପାଇବେ ।” “ମୁଁ ଆମେରିକାର ଲୋକଙ୍କ ଆଗରେ ଆମ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରିବା ଏବଂ ଜୋ ବାଇଡେନ ଓ ତାଙ୍କ କାର୍ଯ୍ୟକ୍ରମ ସହିତ ଲଢ଼ିବାକୁ ଯାଉଥିବା ସମୟରେ, ମୁଁ ଏହା ମଧ୍ୟ ନିଶ୍ଚିତ କରିବାକୁ ଯାଉଛି ଯେ ଲୋକେ ଉପ ରାଷ୍ଟ୍ରପତି ପଦ ପାଇଁ ତାଙ୍କ ସାଥୀଙ୍କ ପୂର୍ବ ରେକର୍ଡ ଏବଂ ସେ ଗ୍ରହଣ କରିଥିବା ଆଭିମୁଖ୍ୟ ସଂପର୍କରେ ଜାଣନ୍ତୁ।’’

ABOUT THE AUTHOR

...view details