ୱାସିଂଟନ: ମିଳିତ ଜାତିସଙ୍ଘରେ ପୁଣି ଥରେ ପାକିସ୍ତାନକୁ ଟାର୍ଗେଟ କଲା ଭାରତ । ପାକକୁ ଆତଙ୍କୀଙ୍କ କେନ୍ଦ୍ରସ୍ଥଳୀ ଭାବେ ଆକ୍ଷେପ କରି ଭାରତ କହିଛି, ପାକିସ୍ତାନ ଜାତିସଙ୍ଘରେ ସବୁବେଳେ ଶାନ୍ତି ଓ ସୁରକ୍ଷାର କଥା କହେ । ହେଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅଲ-କାଏଦା ନେତା ଓସାମା ବିନ୍ ଲାଡେନଙ୍କୁ ଶହୀଦ ମାନନ୍ତି । କହିରଖୁଛୁ କି, ଗତ ବର୍ଷ ଅଲ-କାଏଦା ଆତଙ୍କୀ ସଙ୍ଗଠନର ଓସାମାଙ୍କୁ ଶହୀଦ ବୋଲି ସମ୍ବୋଧିତ କରିଥିଲେ ଇମ୍ରାନ ଖାନ । ଯାହାକୁ ନେଇ ସାରା ବିଶ୍ବରେ ଖୁବ୍ ଅପମାନିତ ହୋଇଥିଲେ ପାକ୍ ପ୍ରଧାନମନ୍ତ୍ରୀ ।
ଏହାପୂର୍ବରୁ ମଧ୍ୟ ମିଳିତ ଜାତିସଙ୍ଘରେ ପ୍ରଧାନମନ୍ତ୍ରୀ ମୋଦି କାହାର ନାଁ ନ ନେଇ ପାକିସ୍ତାନକୁ ଶକ୍ତ ଚାପୁଡା ମାରିଥିଲେ । ଭାରତ ସ୍ପଷ୍ଟ ଭାବେ କହିଥିଲା, ପାକିସ୍ତାନର ସ୍ଥାୟୀ ପ୍ରତିନିଧି ଏଠି ଶାନ୍ତି, ସୁରକ୍ଷାର କଥା କହୁଛନ୍ତି, ଯେତେବେଳେ କି ତାଙ୍କର ପ୍ରଧାନମନ୍ତ୍ରୀ ଓସାମା ବିନ ଲାଡେନ ଭଳି ବୈଶ୍ବିକ ଆତଙ୍କବାଦୀଙ୍କୁ ଶହୀଦ ରୂପରେ ମହିମାମଣ୍ଡିତ କରୁଛନ୍ତି । ବୈଶ୍ବିକ ଆତଙ୍କବାଦର କେନ୍ଦ୍ର ରୂପେ ପାକିସ୍ତାନ ମିଳିତ ଜାତିସଙ୍ଘର ସିଦ୍ଧାନ୍ତକୁ ଖାତିର୍ ନ କରି ବାରମ୍ବାର ନିଜ ପଡୋଶୀ ରାଷ୍ଟ୍ରର ବିରୋଧୀ ହୋଇ ସୀମାରେ ଆତଙ୍କୀଙ୍କ ସହ ମିଶି କାର୍ଯ୍ୟ କରୁଛି । ତେଣୁ ମଞ୍ଚରେ ଶାନ୍ତି, ସୁରକ୍ଷାର ଏଭଳି ମିଥ୍ୟା ପ୍ରଚାର ପ୍ରସାର ନେଇ ପାକିସ୍ତାନରର ପ୍ରୟାସ ସାମୂହିକ ଅବମାନନାର ପାତ୍ର ଅଟେ ।