ୱାସିଂଟନ: ରାତି ପାହିଲେ ଦଶହରା । ମା' ଜଗତଜନନୀଙ୍କ ପୂଜା ପାଇଁ ଗାଁଠୁ ସହର ସବୁ ଉତ୍ସବମୁଖର । ରୀତିନୀତି ଓ କୋଭିଡ କଟକଣା ଭିତରେ ଚାଲିଛି ମା'ଙ୍କ ପୂଜାର୍ଚ୍ଚନା । ତେବେ କେବଳ ଯେ ଓଡିଶା ତଥା ଭାରତରେ ମା' ଦୁର୍ଗାଙ୍କ ଆବାହନ କରାଯାଉଛି ତାହା ନୁହେଁ, ଶାରଦୀୟ ଦୂର୍ଗାପୂଜା ଅବସରରେ ସୁଦୂର ବିଦେଶରେ ବି ଜମିଛି ପୂଜାର ଆସର । ଆମେରିକା ଫ୍ଲୋରିଡା ରାଜ୍ୟରେ ବସବାସ କରୁଥିବା ପ୍ରବାସୀ ଓଡିଆଙ୍କ ଅନୁଷ୍ଠାନ 'ଫ୍ଲୋରିଆ' ପକ୍ଷରୁ ଟାମ୍ପା ସହରରେ ଶାରଦୀୟ ଦୁର୍ଗୋତ୍ସବର ଭବ୍ୟ ଆୟୋଜନ କରାଯାଇଛି । ସ୍ଥାନୀୟ ଆୟାପ୍ପା ମନ୍ଦିରରେ ଅକ୍ଟୋବର ୧୧ ତାରିଖରୁ ଅକ୍ଟୋବର ୧୬ ତାରିଖ ଯାଏଁ ଦୁର୍ଗାପୂଜାର ବ୍ୟବସ୍ଥା କରିଛନ୍ତି ପ୍ରବାସୀ ।
ବ୍ୟକ୍ତିଗତ ଜୀବନର କର୍ମଭାର ମଧ୍ୟରେ ବି ଫ୍ଲୋରିଆ ପରିବାରର ସଦସ୍ୟମାନେ ତିଥି ଅନୁଯାୟୀ ଦୁର୍ଗାପୂଜା ସଞ୍ଚାଳନ କରୁଛନ୍ତି । ଓଡିଶାରେ ପ୍ରଚଳିତ ଦୁର୍ଗାପୂଜା ଭଳି ସମସ୍ତ ପ୍ରକାର ନୀତିକାନ୍ତି ସହ କଟକଣା ମଧ୍ୟରେ ଏଠାରେ ଦୁର୍ଗାପୂଜା ପାଳନ କରାଯାଉଛି । ଟାମ୍ପା ନିକଟବର୍ତ୍ତୀ ସହରରେ ରହୁଥିବା ବହୁସଂଖ୍ୟକ ପ୍ରବାସୀ ଭାରତୀୟମାନେ ମଧ୍ୟ ପୂଜାରେ ସାମିଲ ହୋଇଛନ୍ତି ।