ନୂଆଦିଲ୍ଲୀ: ପୁଲୱାମା ଘଟଣାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ଆମେରିକା ରାଷ୍ଟ୍ରପତି ।ବର୍ତ୍ତମାନ ଭାରତ-ପାକ୍ ମଧ୍ୟରେ ଏକ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଥିବା ଟ୍ରମ୍ପ କହିଛନ୍ତି । ଉଭୟ ଦେଶର ସମ୍ପର୍କରେ କିପରି ସୁଧାର ଅଣାଯାଇପାରିବ, ସେ ଉପରେ ଗୁରୁତ୍ବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ପାକିସ୍ତାନ ଉପରେ ନିଜର ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଛନ୍ତି ।
'ଅନ୍ୟଦେଶକୁ ଦ୍ରବ୍ୟ ରପ୍ତାନି କରୁ ପାକିସ୍ତାନ, ଆତଙ୍କବାଦୀ ନୁହେଁ' - US
ଆତଙ୍କବାଦୀଙ୍କ ପେଣ୍ଠସ୍ଥଳୀ ପାଲଟିଥିବା ପାକିସ୍ତାନ ବିରୋଧରେ ବିଶ୍ବ ସମୁଦାୟକୁ ଏକଜୁଟ କରିବାରେ ସଫଳ ହେଉଛି ଭାରତ । ବହୁଦେଶ ଏହି ସମୟରେ ଭାରତ ସହ ଛିଡା ହୋଇଛନ୍ତି । ପୁଲୱାମା ହମଲା ପରେ ଭାରତ-ପାକ ସମ୍ପର୍କରେ ସୃଷ୍ଟି ହୋଇଛି ତିକ୍ତତା । ଯାହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ । ଏପରିକି ପାକିସ୍ତାନ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
!['ଅନ୍ୟଦେଶକୁ ଦ୍ରବ୍ୟ ରପ୍ତାନି କରୁ ପାକିସ୍ତାନ, ଆତଙ୍କବାଦୀ ନୁହେଁ'](https://etvbharatimages.akamaized.net/etvbharat/images/768-512-2525203-933-23019bc3-f273-4d91-a6ae-46b5bd5d2330.jpg)
ଟ୍ରମ୍ପ କହିଛନ୍ତି, ଆମେରିକାଠାରୁ ବହୁ ଫାଇଦା ପାଇ ଆସିଛି ପାକିସ୍ତାନ । ପାକ୍ ସହ ଭଲ ସମ୍ପର୍କ ସୃଷ୍ଟି କରିବାର ପଦକ୍ଷେପ ନେଇଥିଲା ଆମେରିକା । ହେଲେ ପାକିସ୍ତାନ ଯେଉଁସବୁ ପ୍ରତିଶୃତି ପୂରଣ କରିବା କଥା, ତାହା କଲା ନାହିଁ ।ଫଳରେ ପାକିସ୍ତାନକୁ ମିଳୁଥିବା 1.3 ବିଲିୟନ ଡଲାର ସହାୟତାକୁ ଆମେରିକା ବନ୍ତ କରିସାରିଥିବା ଟ୍ରମ୍ପ ସୂଚନା ଦେଇଛନ୍ତି । ଆଗକୁ ପାକିସ୍ତାନ ସହ ବୈଠକ ନେଇ ସୂଚନା ଦେଇଛନ୍ତି ଟ୍ରମ୍ପ । ଭାରତ-ପାକ ସମ୍ପର୍କରେ ସୁଧାର ଆଣିବା ପାଇଁ ଆମେରିକା ଚାହୁଁଥିବା କହିଛନ୍ତି ଟ୍ରମ୍ପ ।
ସେପଟେ ପୁଲୱାମା ହମଲା ପରେ ଆମେରିକାରେ ବି ଶୁଭିଛି ପାକିସ୍ତାନ ବିରୋଧୀ ନାରା । ପ୍ରବାସୀ ଭାରତୀୟମାନେ ନ୍ୟୁୟର୍କରେ ଥିବା ପାକିସ୍ତାନର ବାଣିଜ୍ୟ ଦୂତବାସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ''ଦେଶକୁ ବିକାଶ କରୁ ପାକିସ୍ତାନ । ଅନ୍ୟଦେଶକୁ ଦ୍ରବ୍ୟ ରପ୍ତାନି କରୁ । ଆତଙ୍କବାଦ ନୁହେଁ । '' ଏଭଳି କିଛି ପୋଷ୍ଟର ହାତରେ ଧରି ବିକ୍ଷୋଭକାରୀ ସ୍ଲୋଗାନ ଦେଇଥିବା ଦେଖିବାକୁ ମିଳିଛି ।