ୱାଶିଂଟନ: ଆମେରିକାର ଜାତୀୟ ରାଜନୈତିକ ମଞ୍ଚରେ ଜୋ ବାଇଡେନ୍ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ବିତାଇ ସାରିଛନ୍ତି ଏବଂ ଏଥର ଆମେରିକାର ରାଷ୍ଟ୍ରପତି ହେବା ଲାଗି ଦୀର୍ଘ ବର୍ଷ ଧରି ଦେଖିଆସିଥିବା ସ୍ବପ୍ନକୁ ସାକାର କରିଛନ୍ତି ଏହି ପୂର୍ବତନ ଉପ ରାଷ୍ଟ୍ରପତି ।
ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ଜାଣନ୍ତୁ ହେଲେ, ଆମେରିକା ଇତିହାସର ଏକ ଅଭୂତପୂର୍ବ ସମୟରେ, ଯେତେବେଳେ କି ସାରା ଦେଶ ଏକ ବିଶ୍ବ ମହାମାରୀ ବିରୋଧରେ ସଂଗ୍ରାମ କରୁଥିଲା, ଅର୍ଥ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିଲା ଏବଂ ନାଗରିକଙ୍କ ମଧ୍ୟରେ ଅଶାନ୍ତି ଲାଗି ରହିଥିଲା, ସେତେବେଳେ ସେ ଏହା କରିପାରିଛନ୍ତି ।
2020ରେ ଆମେରିକା ରାଷ୍ଟ୍ରପତି ପଦବୀ ପାଇଁ ଦୌଡ଼ ଥିଲା ବାଇଡେନ୍ଙ୍କ ତୃତୀୟ ପ୍ରୟାସ । ପ୍ରଥମେ ସେ 1988 ମସିହାରେ ଏଥିପାଇଁ ଚେଷ୍ଟା କରିଥିଲେ କିନ୍ତୁ ଲେଖାଚୋରି ଅଭିଯୋଗ ହେବା ପରେ ସେ ଏଥିରୁ ନିବୃତ୍ତ ହୋଇଥିଲେ । 2008ରେ ଗୁରୁତ୍ବପୂର୍ଣ୍ଣ ଆୟୋୱା ରାଜ୍ୟର ଦ୍ବିବାର୍ଷିକ ନିର୍ବାଚନରେ ମୋଟ ଏକ ପ୍ରତିଶତରୁ କମ୍ ଭୋଟ ପାଇବା ପରେ ତାଙ୍କର ଦ୍ବିତୀୟ ପ୍ରୟାସର ଅନ୍ତ ଘଟିଥିଲା ।
78 ବର୍ଷ ବୟସରେ, ଜଣେ ଦୀର୍ଘ କାଳର ସିନେଟର ଏବଂ ଉପରାଷ୍ଟ୍ରପତି ଭାବରେ ବାଇଡେନ୍, ତାଙ୍କର ରାଜନୈତିକ ଅନୁଭବକୁ ପୁଞ୍ଜି କରି କ୍ରମବର୍ଦ୍ଧିତ ବିଶୃଙ୍ଖଳା ଏବଂ ବିପଜ୍ଜନକ ସ୍ଥିତିରେ ଥିବା ଏକ ବିଶ୍ବରେ ସେ ନିଜକୁ ଜଣେ ଅଭିଜ୍ଞ ଏବଂ ପରିପକ୍ବ ନେତା ଭାବରେ ଉପସ୍ଥାପନ କରିଥିଲେ । ତଥାପି, ତାଙ୍କର ଏହି ଐତିହାସିକ ସଫଳତାର ପଥ ଏତେଟା ସୁଗମ ନଥିଲା ।
2008ର ସେହି ନିର୍ବାଚନ ପରେ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ଅଧୀନରେ ଲଗାତାର ଦୁଇ ଥର ପାଇଁ ଉପରାଷ୍ଟ୍ରପତି ରୂପେ କାର୍ଯ୍ୟ କରିଥିବା ବାଇଡେନ୍, ଏବେ ପୁଣି ତାଙ୍କର ସେହି ପରିଚିତ ହ୍ବାଇଟ୍ ହାଉସ୍ ପରିସରକୁ ଫେରିଆସିବେ ।
ଆଠ ବର୍ଷର କାର୍ଯ୍ୟକାଳ ଭିତରେ ଓବାମା ଓ ବାଇଡେନ୍ଙ୍କ ମଧ୍ୟରେ ବେଶ୍ ଘନିଷ୍ଠତା ବୃଦ୍ଧି ପାଇଥିଲା । ଇଣ୍ଟରନେଟ୍ ପ୍ରତି ଉଭୟଙ୍କ ଆସକ୍ତି ବଳରେ ସେମାନଙ୍କ ମଧ୍ୟରେ ଗଢ଼ି ଉଠିଥିବା ଏହି ସଂପର୍କକୁ ଓବାମା ଥରେ ପରିହାସ ଛଳରେ ‘ବ୍ରୋମାନ୍ସ’ ବୋଲି କହିଥିଲେ । ଆମେରିକୀୟ ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ପ୍ରାଧ୍ୟାପକ ଲେନ୍ନି ଷ୍ଟେନ୍ହର୍ନ କହନ୍ତି, “ଜୋ ବାଇଡେନ୍ ରାଷ୍ଟ୍ରପତି ଓବାମାଙ୍କର ଏକ ପ୍ରକାର ଡାହାଣ ହାତ ।”
“ଯେତେବେଳେ କୌଣସି ବିଷୟରେ ନିଷ୍ପତ୍ତି ନେବାର ଥାଏ ସେତେବେଳେ ସେ ହିଁ ଏକମାତ୍ର ବ୍ୟକ୍ତି ଯାହା ସହିତ ରାଷ୍ଟ୍ରପତି ବିଚାରବିମର୍ଶ କରନ୍ତି । ଓବାମାଙ୍କ ଶାସନ କାଳରେ ନିଆଯାଇଥିବା ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିର ପୁରୋଭାଗରେ ସେ ଥିଲେ ।”
ଆମେରିକାର ଉପ ରାଷ୍ଟ୍ରପତି ପଦବୀ, ଏବଂ ଏବେ ରାଷ୍ଟ୍ରପତି ପଦ ନିମନ୍ତେ ବିଜୟୀ ହେବା ପର୍ଯ୍ୟନ୍ତ, ବାଇଡେନ୍ଙ୍କ ଯାତ୍ରାପଥ ବେଶ ଦୀର୍ଘ ଏବଂ ଘଟଣାବହୁଳ ଏବଂ ସେଥିରେ ବ୍ୟକ୍ତିଗତ ଦୁଃଖ ଓ ଅନେକ ବୃତ୍ତିଗତ ଭୁଲ ପଦକ୍ଷେପ ବି ସମ୍ମିଳିତ ।
1972 ମସିହାରେ, 29 ବର୍ଷ ବୟସରେ ବାଇଡେନ୍ ପ୍ରଥମେ ସିନେଟ୍କୁ ନିର୍ବାଚିତ ହୋଇଥିଲେ । ଏହି ବିଜୟ ଉତ୍ସବ ପାଳନର ଠିକ୍ ଗୋଟିଏ ମାସ ପରେ ତାଙ୍କ ସ୍ତ୍ରୀ ଓ ଛୋଟ ଝିଅ ଏକ କାର ଦୁର୍ଘଟଣାରେ ପ୍ରାଣ ହରାଇଲେ । ସେମାନଙ୍କ କାର୍ଟି ଗୋଟିଏ ଟ୍ରାକ୍ଟର ଟ୍ରେଲର ସହିତ ପିଟି ହୋଇଯାଇଥିଲା ।
ବାଇଡେନ୍ଙ୍କ ଦୁଇ ଶିଶୁପୁତ୍ର -ବିୟୁ ଓ ହଣ୍ଟର- ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏବଂ ସେମାନେ ଚିକିତ୍ସିତ ହେଉଥିବା କୋଠରିରେ ହିଁ ବାଇଡେନ୍ ପ୍ରଥମ ଥର ପାଇଁ ସିନେଟର ପଦ ନିମନ୍ତେ ଶପଥ ଗ୍ରହଣ କରିଥିଲେ ।
ରାଷ୍ଟ୍ରପତି ପଦ ପାଇଁ ତାଙ୍କର ପ୍ରଥମ ପ୍ରୟାସ ଶେଷ ହେବାର କିଛି ମାସ ପରେ, 1988 ଫେବ୍ରୁଆରୀରେ ବାଇଡେନ୍ ମସ୍ତିଷ୍କରେ ରକ୍ତ ସଂଚାଳନକୁ ଅବରୋଧ କରୁଥିବା ଏକ ଗୁରୁତର ରୋଗରେ ଦୁଇ ଥର ପୀଡ଼ିତ ହୋଇଥିଲେ । ସେତେବେଳେ ଡାକ୍ତର ତାଙ୍କୁ କହିଥିଲେ ଯେ ହ୍ବାଇଟ୍ ହାଉସ୍ ନିମନ୍ତେ ପ୍ରଚାର ତାଙ୍କ ପାଇଁ ପ୍ରାଣଘାତୀ ହୋଇଥାଇପାରେ ।
2015 ମେ ମାସରେ, ତାଙ୍କ ବଡ଼ପୁଅ ବିୟୁ ବାଇଡେନ୍ଙ୍କର ବ୍ରେନ୍ କ୍ୟାନ୍ସରରେ ମୃତ୍ୟୁ ଘଟିଥିଲା ଏବଂ ବାଇଡେନ୍ଙ୍କ ପାଇଁ ସତେ ଯେମିତି ସାରା ବିଶ୍ବ ଥମି ଯାଇଥିଲା ।
ପୁଅର ମୃତ୍ୟୁ ପରେ ବାଇଡେନ୍ଙ୍କ ରାଜନୈତିକ ଜୀବନରେ ବିରାମ ଲାଗିଥିଲା ଏବଂ ସେ ଆଉ ରାଜନୀତିକୁ ଫେରିବେ ବୋଲି ଅନେକ ଲୋକ ନିଶ୍ଚିତ ନଥିଲେ ।
ପାଞ୍ଚ ବର୍ଷ ପରେ, ବାଇଡେନ୍ ତାଙ୍କ ଦୁଃଖଦ ଅତୀତକୁ ଆପଣେଇ ନିଅନ୍ତି, ଆମେରିକାକୁ କହନ୍ତି ଯେ ଏହା ହିଁ ତାଙ୍କୁ ଆଗକୁ ଯିବା ଲାଗି ରାସ୍ତା ଦେଖାଇବାରେ ଏବଂ ଜୀବନର ଉଦ୍ଦେଶ୍ୟ ସନ୍ଧାନ କରିବାରେ ସହାୟକ ହେଲା । ଡେମୋକ୍ରାଟିକ୍ ନ୍ୟାସନାଲ କନ୍ଭେନ୍ସନରେ ଭାଷଣ ଦେଇ ସେ କହିଥିଲେ, “ମୁଁ ଜାଣିଛି, ବେଳେବେଳେ ଜୀବନ କେତେ କଦର୍ଯ୍ୟ ଓ ନିଷ୍ଠୁର ଏବଂ ଅନ୍ୟାୟପୂର୍ଣ୍ଣ ହୋଇପାରେ ।”
“କିନ୍ତୁ ମୁଁ ଦୁଇଟି କଥା ଶିଖିଛି । ପ୍ରଥମ, ଆପଣଙ୍କ ପ୍ରିୟଜନମାନେ ହୁଏତ ଏ ପୃଥିବୀକୁ ଛାଡ଼ି ଯାଇଛନ୍ତି, କିନ୍ତୁ ସେମାନେ କେବେ ବି ଆପଣଙ୍କ ହୃଦୟକୁ ଛାଡ଼ି ପାରିବେନି । ଏବଂ ଦ୍ବିତୀୟଟି ହେଲା, ଯନ୍ତ୍ରଣା ଏବଂ ହାନି ଏବଂ ଦୁଃଖ ଜରିଆରେ ହିଁ ମତେ ଜୀବନର ଉଦ୍ଦେଶ୍ୟ ସନ୍ଧାନର ସର୍ବୋତ୍ତମ ଉପାୟ ମିଳିଛି ।”
ସିନେଟ୍ରେ ଛଅ ଥର କାର୍ଯ୍ୟକାଳ ଭିତରେ, ବାଇଡେନ୍ ସିନେଟ୍ର ବିଚାର ବିଭାଗୀୟ ଏବଂ ବୈଦେଶିକ ସଂପର୍କ କମିଟିର ଅଧ୍ୟକ୍ଷ ପଦକୁ ଉନ୍ନୀତ ହୋଇଛନ୍ତି ଏବଂ ଅନ୍ତର୍ଜାତୀୟ ବ୍ୟାପାରରେ ବ୍ୟାପକ ଅଭିଜ୍ଞତା ହାସଲ କରିଛନ୍ତି ଏବଂ ଏହା ସହିତ ବିବାଦୀୟ ସୁପ୍ରିମ କୋର୍ଟ ଶୁଣାଣି ନିର୍ଦ୍ଧାରଣ ସମୟରେ ମଧ୍ୟ ସେ ଅଧ୍ୟକ୍ଷତା କରିଛନ୍ତି ।
ସେହି ସବୁ ପଦବୀରୁ ସେ ଖୁବ୍ ଗାମ୍ଭୀର୍ଯ୍ୟ ହାସଲ କରିଥିଲେ ହେଁ ଏବେ ବି ସେ ତାଙ୍କର କେତେକ ପୁରୁଣା ନିଷ୍ପତ୍ତିର ପରିଣତି ସହିତ ଜୀବନ ନିର୍ବାହ କରୁଛନ୍ତି । ଯେମିତି କି 1994ରେ ଅପରାଧ ବିଲ୍କୁ ସମର୍ଥନ କରିବା ଏବଂ ସୁପ୍ରିମ କୋର୍ଟରେ କ୍ଲାରେନ୍ସ ଥୋମାସ୍ଙ୍କ ବିଚାର ପ୍ରକ୍ରିୟା ଚାଲିଥିବା ଅବସରରେ ଏକ ଯୌନ ନିର୍ଯାତନା ମାମଲାରେ ଅଭିଯୋଗକାରିଣୀ ଅନିତା ହିଲ୍ଙ୍କୁ ଜେରା କରିବା ପାଇଁ କେବଳ ପୁରୁଷମାନଙ୍କୁ ନେଇ ଗଠିତ ଏକ କମିଟି ଗଠନକୁ ଅନୁମତି ଦେବା ।
ନିଜ ମନର କଥାକୁ ସ୍ପଷ୍ଟ ଭାବରେ କହିବାର ପ୍ରବୃତ୍ତି ଯୋଗୁଁ ଜଣେ ମୃଦୁଭାଷୀ ଏବଂ ରାଜନୀତି ପ୍ରତି ଅପ୍ରତ୍ୟାଶିତ ଆଭିମୁଖ୍ୟ ରହିଥିବା ବ୍ୟକ୍ତି ଭାବରେ ବାଇଡେନ୍ଙ୍କ ଖ୍ୟାତି ବଢ଼ିଲା । ଯଦିଓ ଏହି କାରଣରୁ ଅନେକ ସମୟରେ ଗଣମାଧ୍ୟମରେ ତାଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା ତଥାପି, କେତେକ ଡେମୋକ୍ରାଟ୍ଙ୍କ ମତରେ ତାଙ୍କର ଏହି ମୁକ୍ତ ମନୋଭାବ ହିଁ ଏ ବର୍ଷର ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କ ବିରୋଧରେ ପ୍ରଚାର କରିବାରେ ତାଙ୍କୁ ସହାୟକ ହେଲା ।
ବାଇଡେନ୍ଙ୍କ ରାଜନୈତିକ ଜୀବନ ଭଳି, 2020 ରାଷ୍ଟ୍ରପତି ପଦ ପାଇଁ ତାଙ୍କ ମନୋନୟନ ଏବଂ ବିଜୟ ପଥରେ ମଧ୍ୟ ବାଧାବିଘ୍ନ ରହିଥିଲା ।
ତୃତୀୟ ଥର ପାଇଁ ହ୍ବାଇଟ୍ ହାଉସ୍କୁ ଯିବା ପାଇଁ ତାଙ୍କ ଉଦ୍ୟମ ତାଙ୍କୁ ତୁରନ୍ତ ଏକ ଐତିହାସିକ ଢଙ୍ଗରେ ସମବେତ ଜନତାଙ୍କ ସମ୍ମୁଖକୁ ନେଇଗଲା । ହେଲେ ତାଙ୍କ ପ୍ରଚାର ଆରମ୍ଭ ହେବା ଆଗରୁ ଏହାର ଗତିରୋଧ ହେଲା । ତାଙ୍କ ବିରୋଧରେ ଅନେକ ମହିଳାଙ୍କ ସହ ଭାବ ବିନିମୟ - ଯଦିଓ ତାହା ଯୌନ ଆଚରଣ ଭିତ୍ତିକ ନୁହେଁ- ଏବଂ ଅନିୟମିତତାର ଅଭିଯୋଗକୁ କେନ୍ଦ୍ର କରି ବିବାଦ ଘନେଇଲା ।
କୌଣସି ପ୍ରକାର ଅନୁଚିତ ସଂପର୍କ ରଖିଥିବା କଥାକୁ ବାଇଡେନ୍ ଅସ୍ବୀକାର କଲେ, କିନ୍ତୁ କହିଲେ ଯେ ସେ ‘ଜାଣନ୍ତି’ ଯେ ସାମାଜିକ ଚଳଣିରେ ପରିବର୍ତ୍ତନ ଘଟୁଛି । ଟ୍ବିଟରରେ ପୋଷ୍ଟ କରିଥିବା ଏକ ମେସେଜ୍ରେ ବାଇଡେନ୍ କହିଥିଲେ, “ସେମାନେ କ’ଣ କହୁଛନ୍ତି ମୁଁ ଶୁଣୁଛି । ମୁଁ ଏହାକୁ ବୁଝିପାରୁଛି । ଏବଂ ମୁଁ ଆଗକୁ ଆଉ ଅଧିକ ସତର୍କ ହେବି । ସେଇଟା ମୋର ଦାୟିତ୍ବ ।” ଆମେରିକାର ଜାତୀୟ ନିର୍ବାଚନ ଇତିହାସରେ, କ୍ରମାଗତ ଭାବେ ସେ ସବୁଠାରୁ ବଡ଼ ପ୍ରାଇମେରୀ କ୍ଷେତ୍ରର ନେତୃତ୍ବ ନେଇଆସୁଥିଲେ ହେଁ ଆୟୋୱା ଏବଂ ନିୟୁ ହାମ୍ପସାୟାର ରାଜ୍ୟରୁ ଆରମ୍ଭ କରି କେତେକ ପ୍ରାରମ୍ଭିକ ପ୍ରତିଦ୍ବନ୍ଦ୍ବିତାରେ ଲଗାତର ପରାଜୟ ଯୋଗୁଁ ତାଙ୍କ ପ୍ରଚାରକୁ ଧକ୍କା ଲାଗିଥିଲା ।
ହେଲେ ସାଉଥ୍ କାରୋଲିନାରେ ବିପୁଳ ବିଜୟ ସହିତ ସେ ପ୍ରତ୍ୟାବର୍ତ୍ତନ କଲେ । ସେହିଠାରୁ ହିଁ ସେ ‘ସୁପର୍ ଟ୍ୟୁଜ୍ଡେ’ ଉପରେ ଆଧିପତ୍ୟ ବିସ୍ତାର କଲେ ଏବଂ ତାଙ୍କ ପ୍ରଚାରରେ ଅପରାଜେୟ ପ୍ରତ୍ୟାବର୍ତ୍ତନର ଧାରା ସ୍ଥାପିତ ହେଲା ।
ଷ୍ଟେନ୍ହର୍ନ କହିଲେ, “ପ୍ରାୟତଃ ଫେବ୍ରୁଆରୀ ଆରମ୍ଭ ହେଲା ପର୍ଯ୍ୟନ୍ତ ଲୋକେ ଜୋ ବାଇଡେନ୍ଙ୍କୁ ଗୁରୁତ୍ବ ଦେଉ ନଥିଲେ । ଏହା ଆଉ ଏକ ବିଫଳ ପ୍ରଚାର ହେବ ବୋଲି ଭାବୁଥିଲେ । କିନ୍ତୁ, ବର୍ତ୍ତମାନ ସ୍ଥିତିରେ ଆମ ଦେଶର କିଭଳି ଉପଚାର ଆବଶ୍ୟକ, ସେ ସଂପର୍କରେ ଲୋକେ ସଚେତନ ଥିବାରୁ, ଏ ସମୟରେ ଏବଂ ଏହି ପଦବୀ ପାଇଁ ଅନେକ ଡେମୋକ୍ରାଟ୍ଙ୍କ ମଧ୍ୟରୁ ସେ ଅନେକାଂଶରେ ଉପଯୁକ୍ତ ଜଣେ ବ୍ୟକ୍ତି ଭାବରେ ଉଭା ହେଲେ ।”
ଅଗଷ୍ଟ ମାସରେ, ପ୍ରାଇମେରୀ ପ୍ରକ୍ରିୟାର ତାଙ୍କର ଜଣେ ପ୍ରତିଦ୍ବନ୍ଦ୍ବୀଙ୍କୁ ସେ ନିଜର ସାଥୀ ଭାବରେ ଆପଣେଇ ନେଲେ । ସେ ହେଲେ କାଲିଫର୍ଣ୍ଣିଆର ସିନେଟର କମଳା ହାରିସ୍ ଏବଂ ଆମେରିକାର ଏକ ପ୍ରମୁଖ ଦଳ ପକ୍ଷରୁ ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବାରେ ପ୍ରଥମ କୃଷ୍ଣକାୟ ମହିଳା ରୂପରେ ସେ ଇତିହାସ ରଚିଲେ ।
ଏହି ମନୋନୟନକୁ ଅଧିକାଂଶ ଡେମୋକ୍ରାଟ୍ ଉତ୍ସାହର ସହିତ ସ୍ବାଗତ କଲେ ଏବଂ ପରବର୍ତ୍ତୀ କେତେକ ମାସରେ ଉଭୟଙ୍କୁ ନିର୍ବାଚନ ପର୍ଯ୍ୟନ୍ତ ଆଗେଇ ନେବାରେ ସହାୟକ ହେଲେ ।