ଓଡିଶା

odisha

ETV Bharat / international

ଆମେରିକା ଉପ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ବିତର୍କର ମୁଖ୍ୟ ପ୍ରସଙ୍ଗ - Kamala Harris

ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ ପ୍ରତିଦ୍ବନ୍ଦ୍ବୀ ଜୋ ବିଡେନଙ୍କ ମଧ୍ୟରେ ଗତ ସପ୍ତାହର ଜାତୀୟ ବିତର୍କ ପରେ ବୁଧବାର ରାତିରେ ବିତର୍କ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ଉପ ରାଷ୍ଟ୍ରପତି ପଦ ପାଇଁ ଲଢୁଥିବା ଦୁଇ ପ୍ରାର୍ଥୀ ମାଇକ ପେନ୍ସ ଓ କମଳା ହାରିସ୍। ଜାଣନ୍ତୁ କାହା ଉପରେ ହୋଇପାରେ ବିତର୍କ...

ଆମେରିକା ଉପ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ବିତର୍କର ମୁଖ୍ୟ ପ୍ରସଙ୍ଗ
ଆମେରିକା ଉପ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ବିତର୍କର ମୁଖ୍ୟ ପ୍ରସଙ୍ଗ

By

Published : Oct 8, 2020, 6:19 AM IST

Updated : Oct 8, 2020, 6:38 AM IST

ନ୍ୟୁୟର୍କ: ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ ପ୍ରତିଦ୍ବନ୍ଦ୍ବୀ ଜୋ ବିଡେନଙ୍କ ମଧ୍ୟରେ ଗତ ସପ୍ତାହର ଜାତୀୟ ବିତର୍କ ପରେ ବୁଧବାର ରାତିରେ ବିତର୍କ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି ଉପ ରାଷ୍ଟ୍ରପତି ପଦ ପାଇଁ ଲଢୁଥିବା ଦୁଇ ପ୍ରାର୍ଥୀ ମାଇକ ପେନ୍ସ ଓ କମଳା ହାରିସ୍। ଟ୍ରମ୍ପ ଓ ବିଡେନଙ୍କ ମଧ୍ୟରେ ବିତର୍କ ବେଶ୍ ଗରମାଗରମ ହୋଇଥିବା ବେଳେ ଏବେ ସମସ୍ତଙ୍କ ନଜର ପେନ୍ସ-ହାରିସଙ୍କ ବିତର୍କ ଉପରେ।

ଯେହେତୁ ଉପ ରାଷ୍ଟ୍ରପତି ପେନ୍ସ ଟ୍ରମ୍ପଙ୍କ ଔଦ୍ଧତ୍ୟପୂର୍ଣ୍ଣ ଷ୍ଟାଇଲର ଶାସନରେ କାମ କରି ଆସିଛନ୍ତି ଏବଂ କୋରୋନା ମହାମାରୀ ସମୟରେ ତାଙ୍କର ପ୍ରତିକ୍ରିୟାକୁ ଆଗକୁ ନେଇଛନ୍ତି, ସୁତରାଂ ତାଙ୍କୁ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ନିଜର ଆକ୍ରମଣାତ୍ମକ ଆଭିମୁଖ୍ୟ ପାଇଁ ପରିଚିତ ସିନେଟର ହାରିସଙ୍କ ଅନେକ ପ୍ରଶ୍ନର ସମ୍ମୁଖୀନ ହେବେ ପେନ୍ସ ।

ମହାମାରୀକୁ ମୁକାବିଲା କରିବା ଏବଂ ହ୍ବାଇଟ ହାଉସର ଅନେକଙ୍କ ସମେତ ନିଜେ ରାଷ୍ଟ୍ରପତି କୋଭିଡ-19 ଦ୍ବାରା ସଂକ୍ରମିତ ହେବା ଘଟଣା ବିତର୍କର ପ୍ରମୁଖ ପ୍ରସଙ୍ଗ ପାଲଟିବ । ଭୂତାଣୁ ସଂକ୍ରମଣରୁ ଦୂରେଇ ରହିବା ପାଇଁ ପେନ୍ସ ଓ ହାରିସ୍ ପ୍ଲେକ୍ସିଗ୍ଲାସ ସିଲଡ ପରିଧାନ କରିବେ ଏବଂ ପରସ୍ପର ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବେ। ଏହି ବିତର୍କ ୟୁଟାର ବିଶ୍ବବିଦ୍ୟାଳୟରେ ରାତି 9ଟାରେ ଆରମ୍ଭ ହେବ। ଆସନ୍ତୁ ନଜର ପକାଇବା କେଉଁ ସବୁ ପ୍ରସଙ୍ଗରେ ଆଲୋଚନା ହେବ!

କୋଭିଡ-19

ଟ୍ରମ୍ପ ପ୍ରଶାସନ ଯେଉଁଭଳି ଭାବେ ଦେଶରେ କୋରୋନା ମହାମାରୀର ମୁକାବିଲା କଲେ ତାହାକୁ ନେଇ ପେନ୍ସ ଏବଂ ହାରିସ ବିତର୍କରେ ସମୀକ୍ଷା କରିବେ ବୋଲି ଆଶା କରାଯାଉଛି। ମହାମାରୀରେ 2 ଲକ୍ଷ 10 ହଜାରରୁ ଅଧିକ ଆମେରିକୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ନିଜେ ପେନ୍ସ ଏଥିପାଇଁ ଗଠିତ କୋରୋନାଭାଇରସ ଟାସ୍କ ଫୋର୍ସରେ ନେତୃତ୍ବ ନେଇଥିଲେ। ସେ ବିଭିନ୍ନ ସମୟରେ ରାଷ୍ଟ୍ରପତିଙ୍କ ଆଭିମୁଖ୍ୟ ସମ୍ପର୍କରେ ତଥ୍ୟ ରଖିଥିଲେ। ହେଲେ କାଲିଫର୍ଣ୍ଣିଆର ପୂର୍ବତନ ଆଟର୍ଣ୍ଣି ଜେନେରାଲ ହାରିସ ଏସବୁ ବିଷୟରେ ପେନ୍ସଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରି ପାରନ୍ତି। ଭୂତାଣୁ ସଂକ୍ରମଣ ଚରମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବଡ଼ ବଡ଼ ନିର୍ବାଚନ ରାଲି କରିବାକୁ ଟ୍ରମ୍ପଙ୍କ ନିଷ୍ପତ୍ତି ଏବଂ ବାରମ୍ବାର ମହାମାରୀ ପ୍ରତି ରାଷ୍ଟ୍ରପତିଙ୍କ ଅଣଦେଖା ମନୋଭାବ ନେଇ ହାରିସ୍ ପ୍ରଶ୍ନ ଉଠାଇପାରନ୍ତି।

ଆମେରିକା ଉପ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ବିତର୍କର ମୁଖ୍ୟ ପ୍ରସଙ୍ଗ

ବର୍ଣ୍ଣଭେଦ

ପ୍ରଥମ କୃଷ୍ଣକାୟ ମହିଳା ଭାବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଏକ ପ୍ରମୁଖ ଦଳର ଉପ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପୂର୍ବରୁ କମଳା ହାରିସ୍ ଡେମୋକ୍ରାଟିକ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ବିତର୍କରେ ବିଡେନଙ୍କୁ ପ୍ରଶ୍ନ କରି ଚର୍ଚ୍ଚାକୁ ଆସିଥିଲେ। ସ୍କୁଲରେ ଛାତ୍ରଛାତ୍ରୀଙ୍କ ନାମଲେଖା କ୍ଷେତ୍ରରେ ବର୍ଣ୍ଣଭେଦକୁ ନେଇ ବିଡେନଙ୍କ ସହିତ ତାଙ୍କର ମତଭେଦ ହୋଇଥିଲା। ପେନ୍ସ ଶ୍ବେତାଙ୍ଗ ହୋଇଥିବାରୁ ଏବଂ ଟ୍ରମ୍ପ ଶ୍ବେତାଙ୍ଗଙ୍କୁ ଗୁରୁତ୍ବ ଦେଇ ଆସୁଥିବାରୁ ଏହା ବିତର୍କରେ ଅନ୍ୟତମ ଏକ ପ୍ରମୁଖ ପ୍ରସଙ୍ଗ ହେବ।

ସୁପ୍ରିମ କୋର୍ଟ ବିବାଦ

ରୁଥ୍ ବାଦେର ଗିନସବର୍ଗଙ୍କ ମୃତ୍ୟୁ ପରେ ଖାଲି ପଡିଥିବା ସୁପ୍ରିମ କୋର୍ଟ ବିଚାରପତି ପଦ ତୁରନ୍ତ ପୂରଣ କରିବା ନେଇ ବିବାଦ ଘେରକୁ ଆସିଥିଲେ ରାଷ୍ଟ୍ରପତି ଟ୍ରମ୍ପ। ଗର୍ଭପାତ, ସ୍ବାସ୍ଥ୍ୟ ସେବା ଏବଂ ଅନ୍ୟ କେତେତ ପ୍ରମୁଖ ପ୍ରସଙ୍ଗ ନେଇ ସୁପ୍ରିମ କୋର୍ଟର ରାୟକୁ ଦେଶବାସୀ ଅପେକ୍ଷା କରିଥିବା ବେଳେ ଟ୍ରମ୍ପ ନିଜ ଇଚ୍ଛାରେ ବିଚାରପତି ନିଯୁକ୍ତି କରିଥିବାରୁ ଏହାକୁ ନେଇ ବିବାଦ ଉପୁଜିଥିଲା। ଗର୍ଭପାତ ଆଇନକୁ ନେଇ ଟ୍ରମ୍ପ ପ୍ରଶାସନ ଏବଂ ଡେମୋକ୍ରାଟଙ୍କ ମଧ୍ୟରେ ମତଭେଦ ରହି ଆସିଛି।

ପେନ୍ସ ତାଙ୍କର ରକ୍ଷଣଶୀଳ ଖ୍ରୀଷ୍ଟିଆନ ବିଶ୍ବାସକୁ ଗୁରୁତ୍ବ ଦେଇ ଗର୍ଭପାତକୁ ବିରୋଧ କରିବା ସହ ଡେମୋକ୍ରାଟମାନେ ଧାର୍ମିକ ସ୍ବାଧୀନତା ପ୍ରତି ବିପଦ ବୋଲି ନିର୍ବାଚନ ପ୍ରଚାର ବେଳେ କହି ଆସୁଛନ୍ତି। ହେଲେ ଶକ୍ତିଶାଳୀ ସିନେଟ ଜୁଡିସିଆରି କମିଟିର ସଦସ୍ୟ ଥିବା ହାରିସ ହେଉଛନ୍ତି ଗର୍ଭପାତ ଅଧିକାର ଆନ୍ଦୋଳନର ଜଣେ ଦୃଢ ସମର୍ଥକ। ସମଲିଙ୍ଗୀ ବିବାହ ଆଇନକୁ ନେଇ ମଧ୍ୟ ସୁପ୍ରିମକୋର୍ଟରେ ମତଭେଦ ରହି ଆସିଛି। ଯାହାକୁ ନେଇ ଦୁଇ ଦଳ ଭିନ୍ନ ମତ ପୋଷଣ କରି ଆସୁଛନ୍ତି। ହାରିସ ସମଲିଙ୍ଗୀ ବିବାହର ଜଣେ ଦୃଢ ସମର୍ଥକ ଥିବା ବେଳେ ପେନ୍ସ ଏହାର ଘୋର ବିରୋଧୀ। ପେନ୍ସ 2015ରେ ଇଣ୍ଡିଆନାର ଗଭର୍ଣ୍ଣର ଥିବା ବେଳେ ସମଲିଙ୍ଗୀ ବିବାହ ବ୍ୟକ୍ତିଙ୍କୁ ଧାର୍ମିକ କାରଣରୁ ନିଯୁକ୍ତି ନଦେବାକୁ ଏକ ଆଇନ ଆଣି ଦେଶରେ ସମସ୍ତଙ୍କ ଚର୍ଚ୍ଚାକୁ ଆସିଥିଲେ।

ଭବିଷ୍ୟତ ସମ୍ଭାବନା

ପେନ୍ପଙ୍କୁ ଟ୍ରମ୍ପଙ୍କର ଜଣେ ଯୋଗ୍ୟ ଉତ୍ତରାଧିକାରୀ ଭାବେ ବିଚାର କରାଯାଉଛି ଏବଂ 2024 ନିର୍ବାଚନରେ ସେ ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରନ୍ତି। ଇଣ୍ଡିଆନା ଗଭର୍ଣ୍ଣର ଏବଂ ଉପ ରାଷ୍ଟ୍ରପତି ଭାବେ ସେ ଯଥେଷ୍ଟ ଅଭିଜ୍ଞତା ହାସଲ କରି ସାରିଲେଣି। ଅନ୍ୟପକ୍ଷରେ ହାରିସ ମଧ୍ୟ ଭବିଷ୍ୟତରେ ରାଷ୍ଟ୍ରପତି ପଦ ପାଇଁ ଦାବିଦାର ହେବାର ସମସ୍ତ ଦକ୍ଷତା ଏବଂ ଯୋଗ୍ୟତା ହାସଲ କରିବା ମନେ କରାଯାଉଛି। ବିଡେନ ଯଦି ବି ଏବର୍ଷ ଜିତନ୍ତି ତେବେ ସେ ଦ୍ବିତୀୟ ଥର ପାଇଁ ପ୍ରାର୍ଥୀ ହେବେ ନାହିଁ ସ୍ପଷ୍ଟ କରି ସାରିଛନ୍ତି। ସୁତରାଂ 2024ରେ ହାରିସ ଡେମୋକ୍ରାଟ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ନିଜର ରାଜନୈତିକ କ୍ଷେତ୍ର ପ୍ରସ୍ତୁତ କରି ଚାଲିଛନ୍ତି।

ଗତଥର ବିତର୍କରେ ଦୁଇ ପୁରୁଷ ପ୍ରାର୍ଥୀ ଏବଂ ଜଣେ ପୁରୁଷ ମଡରେଟର ଥିଲେ। ହେଲେ ଏଥର ବୁଧବାର ବିତର୍କରେ ମହିଳା ପାର୍ଥୀ ହାରିସଙ୍କ ସହିତ ମଡରେଟର ଜଣେ ମହିଳା ରହିବେ। ସେ ହେଉଛନ୍ତି ୟୁଏସଏ ଟୁଡେର ୱାଶିଂଟନ ବ୍ୟୁରୋ ମୁଖ୍ୟ ସୁଶାନ ପେଜ୍। ଟ୍ରମ୍ପ-ପେନ୍ସ ମହିଳା ଭୋଟର ଏବଂ ବିଶେଷ କରି ଛୋଟ ଛୋଟ ସହରରେ ରହୁଥିବା ମହିଳାଙ୍କ ପାଖରେ ପହଞ୍ଚୁଥିବା ବେଳେ ହାରିସ ପ୍ରଚାର ବେଳେ ଦେଶର ସ୍ବାସ୍ଥ୍ୟ ସେବା ଆଇନ କ୍ଷେତ୍ରରେ ସୁପ୍ରିମ କୋର୍ଟଙ୍କ ଚ୍ୟାଲେଞ୍ଜ ବିଷୟରେ ଭୋଟରଙ୍କୁ ଅବଗତ କରାଉଛନ୍ତି।

Last Updated : Oct 8, 2020, 6:38 AM IST

ABOUT THE AUTHOR

...view details