ଓ୍ବାଶିଂଟନ:ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଦିନକୁ ଦିନ ବିବାଦ ଘନେଇବାରେ ଲାଗିଛି । ୟୁକ୍ରେନରେ ଥିବା ଆମେରିକୀୟ ନାଗରିକଙ୍କୁ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ ନିମନ୍ତେ ଅପିଲ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ- ବାଇଡେନ୍ । AFP ସମ୍ବାଦ ଏଜେନ୍ସି ଅନୁଯାୟୀ, ବାଇଡେନ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତି ଏତେ ଗମ୍ଭୀର ହୋଇଛି ଯେ, ଯେକୌଣସି ସମୟରେ ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ ।
ଯଦି ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୁଏ ତେବେ ଚାହୁଁ ଚାହୁଁ ଏହା ବିଶ୍ୱ ଯୁଦ୍ଧରେ ପରିଣତ ହେବାକୁ ବେଶି ସମୟ ଲାଗିବ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ବିଶ୍ବର ଅନ୍ୟତମ ବୃହତ୍ ସୈନ୍ୟବାହିନୀର ମୁକାବିଲା କରୁଛୁ । ଯେ କୌଣସି କ୍ଷଣିକରେ ସବୁକିଛି ଓଲଟପାଲଟ ହୋଇଯାଇପାରେ ।
ସେହିପରି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଗୁରୁବାର ଦିନ କହିଛନ୍ତି ଯେ, ୟୁକ୍ରେନ ସଙ୍କଟ ଗତ କିଛି ଦଶନ୍ଧି ମଧ୍ୟରେ ୟୁରୋପର ସବୁଠାରୁ ବିପଜ୍ଜନକ ମୁହୂର୍ତ୍ତରେ ପ୍ରବେଶ କରିଛି । ଏହାପୂର୍ବରୁ ଆମେରିକା ୟୁଏନରେ ୟୁକ୍ରେନ ସଙ୍କଟ ପ୍ରସଙ୍ଗରେ ପ୍ରସ୍ତାବ ପାରିତ ହୋଇଥିଲା । ଏହି ସମୟରେ ଋଷ ଓ ଆମେରିକାର ଉଚ୍ଚାୟୁକ୍ତ ମୁହାଁମୁହିଁ ହୋଇଥିଲେ । ଋଷ ଆମେରିକା ଓ ଅନ୍ୟ ଦେଶ ବିରୋଧରେ ଉତ୍ତେଜନା ସୃଷ୍ଟି କରୁଥିବା ଅଭିଯୋଗ ଆଣିଥିଲା ।
ଏହି ଯୁଦ୍ଧରେ ଆମେରିକା ସହିତ ଅନ୍ୟ ପଶ୍ଚାତ୍ୟ ଦେଶ ଗୁଡିକ ୟୁକ୍ରେନକୁ ସମର୍ଥନ କରିବେ ଏବଂ ଚୀନ୍ ଋଷକୁ ସମର୍ଥନ କରିବ ବୋଲି କହିଛନ୍ତି ବାଇଡେନ୍ । ଯେଉଁମାନେ ୟୁକ୍ରେନ୍ରେ ଅଛନ୍ତି, ସେମାନେ ବ୍ୟାବସାୟିକ ଅଥବା ଘରୋଇ ପରିବହନ ମାଧ୍ୟମରେ ସେଠାରୁ ଚାଲି ଆସନ୍ତୁ । ଯଦି ୟୁକ୍ରେନ୍ରେ ରହିବେ, ତେବେ ଅପରାଧିକ କାର୍ଯ୍ୟକଳାପ, ସାଧାରଣ ଜନତାଙ୍କ ଅସ୍ଥିରତା ଏବଂ ସମ୍ଭାବ୍ୟ ରୁଷୀୟ ଆକ୍ରମଣ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ।