ହୋଷ୍ଟନ:ଚଳିତବର୍ଷ ଆୟୋଜିତ ହେବାକୁ ଥିବା ଟେକ୍ସାସ ରିପବ୍ଲିକାନ କନଭେନ୍ସନକୁ କୋରୋନା ସଂକ୍ରମଣ ପାଇଁ ସ୍ଥଗିତ ରଖାଯାଇଛି । ଆଗାମୀ ସପ୍ତାହରେ ଏହି କନଭେନ୍ସନ ଆୟୋଜିତ ହେବାର ଯୋଜନା ରହିଥିଲା । ହେଲେ ହୋଷ୍ଟନରେ ବଢି ଚାଲିଥିବା ସଂକ୍ରମଣ ସଂଖ୍ୟାକୁ ନଜରରେ ରଖି ଏହାକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ହୋଇଛି । ଏନେଇ ଗୁରୁବାର ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି ।
ବୁଧବାର ଦିନ ଏହି କନଭେନ୍ସନ ଆୟୋଜନ ନେଇ ଟ୍ବିଟ ଜରିଆରେ ତର୍କ ହୋଇଥିଲା । ଏଥିରେ ସହରର ମେୟର ସିଲଭେଷ୍ଟର ଟର୍ଣ୍ଣର କହିଥିଲେ କି ରାଜ୍ୟରେ ଲୋକଙ୍କ ସୁରକ୍ଷା ବର୍ତ୍ତମାନ ସବୁଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ବିଷୟ । କେବଳ ରାଜ୍ୟବାସୀ ନୁହେଁ କନଭେନ୍ସନ ସଦସ୍ୟଙ୍କ ସୁରକ୍ଷା ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ । ଏହାଛଡା ଯଦି ଏହି କନଭେନ୍ସନ ଆୟୋଜିତ ହୋଇଥାଆନ୍ତା ତେବେ ଏଥିରେ ସାମିଲ ହୋଇଥିବା ଲୋକେ ମଧ୍ୟ ସଂକ୍ରମିତ ହେବାର ଭୟ ରହିଥିଲା । ତେଣୁ ଏପରି ସ୍ଥିତିକୁ ଏଡାଇବାକୁ ଯାଇ ଏପରି ନିଷ୍ପତ୍ତି ନିଆଯାଇଥିବା ସେ ପ୍ରକାଶ କରିଛନ୍ତି ।