ଓଡିଶା

odisha

By

Published : Sep 30, 2020, 12:04 AM IST

ETV Bharat / international

ନିର୍ବାଚନ 2020: ଟ୍ରମ୍ପ୍ ଓ ବିଡେନଙ୍କ ମଧ୍ୟରେ ବିତର୍କ

ଅଦ୍ଭୁତପୂର୍ବ ସଂକଟ ଦେଖାଦେଇଥିବା ଏହି ବର୍ଷରେ ହେଉଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରାଷ୍ଚ୍ରପତି ଡୋନାଲଡ ଟ୍ରମ୍ପ ଏବଂ ଡେମୋକ୍ରାଟ୍ ଜୋ ବିଡେନ ମଙ୍ଗଳବାର ଦିନ ସେମାନଙ୍କ ପ୍ରଥମ ବିତର୍କରେ ପରସ୍ପରକୁ ଭେଟିବେ। ନିର୍ବାଚନ ପାଇଁ ଆଉ ମାତ୍ର 35 ଦିନ ବାକିଥିବା ବେଳେ କିଛି ରାଜ୍ୟରେ ଆଗୁଆ ଭୋଟ ହୋଇସାରିଛି। ଜାତୀୟ ସ୍ତରରେ ହୋଇଥିବା ଅଧିକାଂଶ ସର୍ଭେରେ ବିଡେନ ରିପବ୍ଲିକାନ ରାଷ୍ଟ୍ରପତିଙ୍କ ଠାରୁ ଆଗରେ ରହିଛନ୍ତି। ନିକଟରେ କିଛି ବର୍ଷ ହେଲା ନିର୍ବାଚନ ଉପରେ ବିତର୍କର ସେଭଳି ପ୍ରଭାବ ପଡୁନାହିଁ, ତଥାପି ମଙ୍ଗଳବାର ଦିନ ହେବାକୁ ଥିବା ମହାବିତର୍କରେ ଦୁଇ ଜଣଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବାର ଆଶା କରାଯାଉଛି। ଅଧିକ ପଢନ୍ତୁ...

ନିର୍ବାଚନ 2020: ଟ୍ରମ୍ପ୍ ଓ ବିଡେନଙ୍କ ମଧ୍ୟରେ ବିତର୍କ
ନିର୍ବାଚନ 2020: ଟ୍ରମ୍ପ୍ ଓ ବିଡେନଙ୍କ ମଧ୍ୟରେ ବିତର୍କ

ହାଇଦ୍ରାବାଦ:ମଙ୍ଗଳବାର ରାତିରେ କ୍ଲେଭେଲାଣ୍ଡରେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍ ଏବଂ ତାଙ୍କର ଡେମୋକ୍ରାଟିକ ପ୍ରତିଦ୍ବନ୍ଦ୍ବୀ ଜୋ ବିଡେନ୍ ପ୍ରଥମ ଥର ପାଇଁ ବିତର୍କ ମଞ୍ଚରେ ପରସ୍ପରକୁ ଭେଟିବେ। ନିର୍ବାଚନ ତାରିଖକୁ ଆଉ ମାତ୍ର ପାଞ୍ଚ ସପ୍ତାହ ବାକି ରହିଛି ଏବଂ କେତେକ ରାଜ୍ୟରେ ଆଗୁଆ ଭୋଟ ଗ୍ରହଣ ହୋଇ ସାରିଲାଣି। ଏସମୟରେ ଜାତୀୟ ଟେଲିଭିଜନରେ ଦୁଇ ନେତା 90 ମିନିଟ୍ ପାଇଁ ପରସ୍ପରକୁ ବିତର୍କରେ ଭେଟିବେ ଏବଂ ଲକ୍ଷ ଲକ୍ଷ ଭୋଟର ସେମାନଙ୍କ ଦୁଇ ପ୍ରାର୍ଥୀଙ୍କ ନୀତି ଏବଂ ବ୍ୟକ୍ତିତ୍ବକୁ ପ୍ରଥମ ଥର ପାଇଁ ପରଖିବାର ସୁଯୋଗ ପାଇବେ।

ନିର୍ବାଚନ 2020: ଟ୍ରମ୍ପ୍ ଓ ବିଡେନଙ୍କ ମଧ୍ୟରେ ବିତର୍କ
ନିର୍ବାଚନ 2020: ଟ୍ରମ୍ପ୍ ଓ ବିଡେନଙ୍କ ମଧ୍ୟରେ ବିତର୍କ

ସର୍ବୋଚ୍ଚ ନ୍ୟାୟାଳୟ

ରୁଥ୍ ବାଦେର ଗିନସବର୍ଗଙ୍କ ମୃତ୍ୟୁରେ ଖାଲି ପଡ଼ିଥିବା ସୁପ୍ରିମ କୋର୍ଟ ଆସନ ପୂରଣ କରିବାକୁ ରିପବ୍ଲିକାନଙ୍କ ଦ୍ବାରା ପ୍ରୟାସ ନେଇ ୱାଶିଂଟନରେ ଦ୍ବିମତ ପ୍ରକାଶ ପାଇଛି ଏବଂ ଏହା ବିତର୍କ ବେଳେ ଅନ୍ୟ ପ୍ରସଙ୍ଗ ସହିତ ଏକ ପ୍ରମୁଖ ପ୍ରସଙ୍ଗ ହେବ ବୋଲି ଆଶା କରାଯାଉଛି। ସ୍ବାସ୍ଥ୍ୟ ସେବା, ଭ୍ରୁଣ ନଷ୍ଟ ପାଇଁ ଅନୁମତି ଭଳି ପ୍ରମୁଖ ପ୍ରସଙ୍ଗର ବିଚାର ହେବାକୁ ଥିବାରୁ ଏହି ବିଷୟକୁ ଭୋଟର ଅଧିକ ଗୁରୁତ୍ବ ଦେଇପାରନ୍ତି ବୋଲି ଉଭୟ ଡେମୋକ୍ରାଟ ଏବଂ ରିପବ୍ଲିକାନ ଆଶା ରଖିଛନ୍ତି। ଏହା ନଭେମ୍ବର ନିର୍ବାଚନକୁ ପ୍ରଭାବିତ କରିବାର ସମ୍ଭାବନା ବି ରହିଛି। ସୁପ୍ରିମ କୋର୍ଟ ପାଇଁ ଯେଉଁମାନଙ୍କ ନାମ ତାଲିକା ଟ୍ରମ୍ପ ପ୍ରକାଶ କରିଛନ୍ତି ତାହାକୁ ବିଡେନ ଏଯାଏଁ ଗ୍ରହଣ କରିନାହାଁନ୍ତି। ରାଷ୍ଚ୍ରପତି ଟ୍ରମ୍ପ ପୂର୍ବରୁ ଗିନସବର୍ଗଙ୍କ ସ୍ଥାନରେ ଆମି କୋନେ ବାରେଟଙ୍କୁ ମନୋନୀତ କରିଥିଲେ। ଅତୀତରେ ରାଷ୍ଟ୍ରପତି ବାରାକ ଓବାମାଙ୍କ ସ୍ବାସ୍ଥ୍ୟ ସେବା ଆଇନ ନେଇ କିପରି କୋର୍ଟରେ ବିପଦ ସୃଷ୍ଟି ହୋଇଥିଲା ତାହା ଉପରେ ବିଡେନ୍ ଗୁରୁତ୍ବ ଦେଉଛନ୍ତି।

କରୋନାଭାଇରସ୍

କୋଭିଡ-19 ମହାମାରୀ ବେଳେ ଏହାର ମୁକାବିଲା ନେଇ ରାଷ୍ଟ୍ରପତିଙ୍କ ପଦକ୍ଷେପ ବିତର୍କର ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଆଶା କରାଯାଉଛି। ଆମେରିକାରେ କରୋନା ଭୂତାଣୁ ଯୋଗୁଁ 2 ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରତିଦିନ ଜୀବନ ଜୀବିକା ପ୍ରଭାବିତ ହେଉଛି ଏବଂ ଅନେକ ସ୍କୁଲ ଓ ବ୍ୟବସାୟ ପ୍ରତିଷ୍ଠାନ ଏବେ ବି ବନ୍ଦ ରହିଛି। ଫେବ୍ରୁଆରି ମାସରେ ଚୀନକୁ ଯାତ୍ରା ଉପରେ କଟକଣା ଲଗାଇ ରାଷ୍ଟ୍ରପତି ବାରମ୍ବାର ମହାମାରୀ ନେଇ ନିଜକୁ ବଞ୍ଚାଇ ଆସିବାକୁ ପ୍ରୟାସ କରି ଆସିଛନ୍ତି। ମହାମାରୀର ଗୁରୁତ୍ବ ନେଇ ବିଶେଷଜ୍ଞମାନଙ୍କ ସମସ୍ତ ତଥ୍ୟକୁ ନିୟମିତ ଭାବେ ରାଷ୍ଟ୍ରପତି ଏବଂ ତାଙ୍କର ସମର୍ଥକମାନେ ଅଗ୍ରାହ୍ୟ କରି ଆସିଛନ୍ତି। ବର୍ଷ ଆରମ୍ଭରେ ଭୂତାଣୁର ଭୟାବହତାକୁ ରାଷ୍ଟ୍ରପତି ହୃଦୟଙ୍ଗମ ନକରି ଏହାକୁ ନ୍ୟୁନ କରି ଦେଖି ଆସିଛନ୍ତି ବୋଲି ସାମ୍ବାଦିକ ବବ୍ଉ ଡୱାର୍ଡ ଲେଖିଥିବା ଏକ ନୂଆ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ବିଡେନ ଏବଂ ଡେମୋକ୍ରାଟ ସେମାନଙ୍କ ତମାମ ପ୍ରଚାରରେ ରାଷ୍ଟ୍ରପତି ଟ୍ରମ୍ପଙ୍କ କରୋନା ପରିଚାଳନାକୁ ସମାଲୋଚନା କରି ଆସୁଥିବା ବେଳେ ମଙ୍ଗଳବାର ବିତର୍କରେ ମଧ୍ୟ ଏହା ତାଙ୍କର ମୁଖ୍ୟ ପ୍ରସଙ୍ଗ ରହିବ।

ପରସ୍ପର ବିପରିତ ଶ୍ରେଣୀ (ଏବଂ ଟ୍ୟାକ୍ସ ବିଲ୍)

ସର୍ବଦା ଶ୍ରମଜୀବୀଙ୍କ କଲ୍ୟାଣ ଦିଗରେ କାମ କରି ଆସୁଥିବା ବିଡେନ୍ ଏଥର ନିର୍ବାଚନକୁ ସ୍କ୍ରାନଟନ୍ ଏବଂ ପାର୍କ ଆଭେନ୍ୟୁ ମଧ୍ୟରେ ଲଢେଇ ବୋଲି ପ୍ରଚାର କରି ଆସୁଛନ୍ତି। ଏ ପ୍ରସଙ୍ଗରେ ସେ ପେନସାଲଭାନିଆରେ ତାଙ୍କର ପିଲାଦିନର କଥା ଉଲ୍ଲେଖ କରିବା ସହ ମାନହାଟ୍ଟନର ଜଣେ ବ୍ୟବସାୟୀ ଭାବେ ଟ୍ରମ୍ପଙ୍କ ଯୁବକ ସମୟର ଜୀବନ କଥା ବି କହିଛନ୍ତି। ରାଷ୍ଟ୍ରପତି ଦେଇଥିବା ଟିକସ ସମ୍ପର୍କରେ ନ୍ୟୁୟର୍କ ଟାଇମସରେ ପ୍ରକାଶିତ ଏକ ରିପୋର୍ଟ ନେଇ ବିଡେନ ମଙ୍ଗଳବାର ବିତର୍କରେ ବଡ଼ ଆକ୍ରମଣ କରିପାରନ୍ତି। ରାଷ୍ଟ୍ରପତି 2016 ଏବଂ 2017 ଫେଡେରାଲ ଇନକମ ଟ୍ୟାକ୍ସରେ ମାତ୍ର 750 ଡଲାର ଦେଇଛନ୍ତି ଏବଂ ଅନ୍ୟ ବର୍ଷ ଗୁଡ଼ିକରେ ଆଦୌ ଟିକସ ଦେଇନଥିବା ନ୍ୟୁୟର୍କ ଟାଇମସ ପ୍ରକାଶ କରିଛି। 2016 ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପାଇଁ ଟ୍ରମ୍ପକୁ ବିଶେଷ ସହାୟତା କରିଥିବା ଶ୍ରମଜୀବି ଭୋଟରଙ୍କୁ ନିଜ ଆଡକୁ ଟାଣିବା ପାଇଁ ବିଡେନ ଏହି ପ୍ରସଙ୍ଗ ଉଠାଇବା ଆଶା କରାଯାଉଛି।

ଟ୍ରମ୍ପ୍-ବିଡେନ୍ ବିତର୍କ

ଟ୍ରମ୍ପ କିପରି ରକ୍ଷଣାତ୍ମକ ନୀତି ଗ୍ରହଣ କରୁଛନ୍ତି?

ରାଷ୍ଟ୍ରପତି ହେବା ପରେ ପ୍ରଥମ ବିତର୍କରେ ଟ୍ରମ୍ପଙ୍କୁ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ । ତାଙ୍କ ସମୟରେ କୋଭିଡ-19 ଯୋଗୁଁ 2 ଲକ୍ଷରୁ ଅଧିକ ଆମେରିକୀୟଙ୍କର ମୃତ୍ୟୁ ଘଟିଛି-ଯାହାକି ବିଶ୍ବର କୌଣସି ରାଷ୍ଟ୍ର ପାଇଁ ସର୍ବାଧିକ। ଏବେ ଲକ୍ଷ ଲକ୍ଷ ଲୋକ କାମଧନ୍ଦା ହରାଇ ବେକାର ହୋଇ ରହିଚନ୍ତି। ଦେଶର ସାଂସ୍କୃତିକ ଏବଂ ରାଜନୈତିକ ମତଭେଦ ବଢିବାରେ ଲାଗିଛି। ବହୁବର୍ଷ ହେଲା ଟ୍ରମ୍ପ ଶ୍ରମଜୀବୀ ଶ୍ରେଣୀର ଲୋକଙ୍କ ଠାରୁ ମଧ୍ୟ କମ୍ ଫେଡେରାଲ ଇନକମ ଟ୍ୟାକ୍ସ ଦେଇଛନ୍ତି। ଏହା ନିସନ୍ଦେହ ଯେ, ଫକ୍ସ ନ୍ୟୁଜର ମୋଡେରେଟର କ୍ରାଏସ ୱାଲାସ ଏବଂ ବିଡେନ୍ ଏସବୁ ବିଷୟ ନେଇ ଟ୍ରମ୍ପକୁ ଘେରିବେ। ହେଲେ ଟ୍ରମ୍ପ ଏସବୁକୁ ଗୋଟିଏ ପରେ ଗୋଟିଏର ଉତ୍ତର ରଖିବାକୁ ପ୍ରସ୍ତୁତ ଥିବା ମନେ କରାଯାଉଛି। ତାଙ୍କର ପୂର୍ବ ରେକର୍ଡ ଦେଖିଲେ ତାଙ୍କୁ କେତେବେଳେ କୌଣସି ତଥ୍ୟ କିମ୍ବା ଆଚରଣ ବିଧି କୌଣସି କଥା କହିବାରେ ରୋକିପାରେ ନାହିଁ। ସେ ସୁପ୍ରିମକୋର୍ଟ କଥା ହେଉ କିମ୍ବା ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ପାରନ୍ତି, କିମ୍ବା ସେ ବିଡେନଙ୍କ ମାନସିକ ଏବଂ ଶାରିରୀକ ଶକ୍ତି କିମ୍ବା ତାଙ୍କ ପରିବାର କଥା ମଧ୍ୟ ଉଠାଇପାରନ୍ତି। ଚାରିବର୍ଷ ପୂର୍ବେ ଏଭଳି ବ୍ୟକ୍ତିଗତ ପ୍ରସଙ୍ଗ ଟ୍ରମ୍ପଙ୍କ ପାଇଁ କାମ କରିଥିଲା। କିନ୍ତୁ ଏବେ ସେ ଦେଶର ଦାୟିତ୍ବରେ ଥିବାରୁ ଦେଶବାସୀ ବ୍ୟକ୍ତିଗତ ଆକ୍ରମଣକୁ କେତେଦୂର ଗ୍ରହଣ କରିବେ ତାହା କହିହେବ ନାହିଁ।

କ’ଣ ରହିବ ବିଡେନଙ୍କ ପ୍ରତିକ୍ରିୟା?

ଟ୍ରମ୍ପଙ୍କ ନିର୍ବାଚନ ବାର୍ତ୍ତା କଣ ରହିବ ତାହା ଜାଣିବା କଷ୍ଟକର ବ୍ୟାପାର, ଗତ ବର୍ଷେ ହେଲା ସେ ଗୋଟିଏ ଧାଡ଼ିରେ ସମାଲୋଚନା କରି କହି ଆସୁଛନ୍ତି ଯେ, 77 ବର୍ଷୀୟ ବିଡେନ କିମ୍ବା ‘ସ୍ଲିପି ଜୋ’ ରାଷ୍ଟ୍ରପତି ହେବା ପାଇଁ ମାନସିକ କିମ୍ବା ଶାରିରୀକ ଭାବେ ସକ୍ଷମ ନୂହଁନ୍ତି। ସୁତରାଂ ମଙ୍ଗଳବାର ବିତର୍କରେ ଆମେରିକାବାସୀଙ୍କୁ ବିଡେନଙ୍କୁ ବୁଝାଇବାକୁ ପଡ଼ିବ ଯେ, ବିଶ୍ବର ସବୁଠାରୁ ଗୁରୁ ଦାୟିତ୍ବ ତୁଲାଇବାକୁ ତାଙ୍କ ପାଖରେ ଶକ୍ତି ରହିଛି। କିନ୍ତୁ ଏହା କଣ ସଫଳତାର ପ୍ରକୃତ ମାପକାଠି କି ବୋଲି ବିଡେନ ଭୋଟରଙ୍କୁ ପଚାରିବେ। ଅର୍ଦ୍ଧ ଶତାବ୍ଦୀ ପାଖାପାଖି ରାଜନୀତିର ରହି ଆସିଥିବା ବିଡେନ ଟ୍ରମ୍ପଙ୍କ ତୁଳନାରେ ଅଧିକ ଅଭିଜ୍ଞତା ଥିବା ବକ୍ତା। ବୈଦେଶିକ ଏବଂ ଆମେରିକାର ଆଭ୍ୟନ୍ତରୀଣ ନୀତି କ୍ଷେତ୍ରରେ ତାଙ୍କ ନିକଟରେ ଯଥେଷ୍ଟ ଅଧିକ ଜ୍ଞାନ ରହିଛି। କହିବାକୁ ଗଲେ ବିଡେନ୍ ଆଗରେ ଅଛନ୍ତି। ଆଜିଯାଏଁ ପ୍ରାରମ୍ଭିକ ପର୍ଯ୍ୟାୟରେ ବିତର୍କରେ ପୂର୍ବତନ ଉପରାଷ୍ଟ୍ରପତିଙ୍କ ପ୍ରଦର୍ଶନରେ ଅସାମନତା ରହୁଥିବା ନେଇ ଡେମୋକ୍ରାଟ କ୍ୟାମ୍ପରେ ଚିନ୍ତା ପ୍ରକାଶ ପାଉଛି।

ଭୋଟର କାହାକୁ କେମିତି ଦେଖିବେ?

ନିଜକୁ ତଥାକଥିତ ଡେମୋକ୍ରାଟିକ ସୋସାଲିଷ୍ଟ ବୋଲାଉଥିବା କେତେକଙ୍କ ଦ୍ବାରା ଡେମୋକ୍ରାଟିକ ପ୍ରାର୍ଥୀ ମନୋନୀତ ବିଡେନଙ୍କୁ ଟ୍ରମ୍ପ ଏବଂ ତାଙ୍କର ରିପବ୍ଲିକାନ ସହଯୋଗୀମାନେ ଏକ ସୋସାଲିଷ୍ଟ ଭାବେ ଉପସ୍ଥାପନ କରିବେ। ବିଡେନ ଏବଂ ତାଙ୍କର ସହଯୋଗୀମାନେ ଟ୍ରମ୍ପଙ୍କୁ ଏକ ରେସିଷ୍ଟ (ଜାତିବାଦୀ) ବୋଲି ଅଭିହିତ କରି ଆସୁଛନ୍ତି। ବିଡେନ ତାଙ୍କ ପ୍ରଚାରରେ ବି ଏହା କହି ଆସୁଛନ୍ତି। ମଙ୍ଗଳବାର ଦିନ ଦୁଇ ପ୍ରାର୍ଥୀ ନିଜ ନିଜର ନୀତି ଏବଂ ଆଦର୍ଶ ଉପରେ ବିଚାର ରଖିବାକୁ ବିତର୍କରେ ସୁଯୋଗ ପାଇବେ। ସବୁବେଳେ ଉଦାର ମନୋଭାବସମ୍ପନ୍ନ ପରିଚୟ ସୃଷ୍ଟି କରିଥିବା ବିଡେନ ସ୍ବାସ୍ଥ୍ୟ ସେବା, ଶିକ୍ଷା ଏବଂ ପରିବେଶ କ୍ଷେତ୍ରରେ ସରକାରୀ ଭୂମିକାକୁ ଅଧିକ ବଢାଇବା ଦିଗରେ ଯୋଜନା ରଖିଛନ୍ତି। କିନ୍ତୁ ଏଥିପାଇଁ ଟିକସ ରାଜସ୍ବ ବଢାଇବା ଆବଶ୍ୟକ। ଅନ୍ୟପକ୍ଷରେ ଟ୍ରମ୍ପଙ୍କ ନୀତି ସାଧାରଣତଃ ଶ୍ବେତାଙ୍ଗଙ୍କ ସ୍ବାର୍ଥ ଉପରେ ଆଧାରିତ। ନାଗରିକ ଅଧିକାର ପାଇଁ ଲଢେଇ କରି ବିକ୍ଷୋଭ ପ୍ରଦର୍ଶନ କରୁଥିବା କଳା ଲୋକଙ୍କୁ ଟ୍ରମ୍ପ ଆତଙ୍କବାଦୀର ଆଖ୍ୟା ବି ଦେଇଛନ୍ତି। ବିତର୍କରେ ପ୍ରାର୍ଥୀମାନଙ୍କ ନୀତିଠାରୁ ସେମାନଙ୍କ ବ୍ୟକ୍ତିତ୍ବ ଭୋଟରଙ୍କୁ ଅଧିକ ଆକର୍ଷିତ କରିବ, କିନ୍ତୁ ସେମାନଙ୍କର ନୀତି ପ୍ରତିଟି ଆମେରିକୀୟ ଭୋଟରଙ୍କ ମନକୁ ଛୁଇଁବ।

ଟ୍ରମ୍ପଙ୍କ ଭୁଲ୍ ତଥ୍ୟକୁ ବିଡେନ କିପରି ମୁକାବିଲା କରିବେ?

ଟ୍ରମ୍ପଙ୍କ ବାଜେ କଥାରେ ତର୍କ କରି ସମୟ ନଷ୍ଟ ନକରିବାକୁ ବିଡେନଙ୍କୁ ତାଙ୍କ ସହଯୋଗୀ ମାନେ ସେ ବିତର୍କକୁ ଯିବା ପୂର୍ବରୁ ପରାମର୍ଶ ଦେଇଛନ୍ତି। ଟ୍ରମ୍ପ ଯାହାସବୁ ଦାବି କରି ଆସୁଛନ୍ତି ସେସବୁକୁ ବିଡେନ 90 ମିନିଟର ବିତର୍କରେ ଖଣ୍ଡନ କରିବାକୁ ଚେଷ୍ଟା କରିବେ ଏବଂ ଆମେରିକାର ଉଦାରବାଦୀମାନେ ଏହାକୁ ଅପେକ୍ଷା କରି ରହିଛନ୍ତି ଯେ, ବିଡେନ କିପରି ରାଷ୍ଟ୍ରପତିଙ୍କ ମୁକାବିଲା କରିବାରେ ଏହି ସୁଯୋଗର ବ୍ୟବହାର କରୁଛନ୍ତି। ବିଡେନ ମଧ୍ୟ ଭୋଟରମାନଙ୍କୁ କାହାର ନୀତି କଣ ତାହା ସ୍ପଷ୍ଟ କରିଦେବା ଚାହାଁନ୍ତି। ଟ୍ରମ୍ପ ଶାସନ ବେଳେ କିଏ ସାଲିସ କରିବାକୁ ଚାହିଁଥିଲା ଏବଂ କିଏ ନିର୍ଣ୍ଣାୟକ ଭୂମିକା ନେବା ଚାହୁଁଥିଲା ତାହା ଉପରେ ବିଡେନ ତାଙ୍କର ଯୁକ୍ତି ରଖିବେ। ହେଲେ ଟ୍ରମ୍ପଙ୍କ ପୂର୍ବ ବିତର୍କ ସବୁ ଦେଖିଲେ ଏହା ସ୍ପଷ୍ଟ ଯେ, ଟ୍ରମ୍ପଙ୍କୁ ସିଧାସଳଖ ମୁକାବିଲା କରିବା ଏତେଟା ସହଜ ନୁହେଁ।

କିପରି ଚାଲିବ ଗଣତନ୍ତ୍ର?

ଟ୍ରମ୍ପ ସବୁବେଳେ ନିର୍ବାଚନର ଅଖଣ୍ଡତାକୁ ନେଇ ସନ୍ଦେହ ପ୍ରକାଶ କରି ଆସିଛନ୍ତି। ଭୋଟର ଜାଲିଆତି କଥା ଉଠାଇ ଉଦବେଗ ପ୍ରକାଶ କରିଛନ୍ତି। ନିର୍ବାଚନର ପଛରେ ପଡ଼ିବା ପରେ ସେ ନିର୍ବାଚନ ତାରିଖ ପାଖେଇ ଆସିବା ସହ ନିର୍ବାଚନ ପ୍ରକ୍ରିୟାକୁ ନେଇ ଏପରି ମନ୍ତବ୍ୟ ଦେଉଛନ୍ତି। ବିନା ତଥ୍ୟ ପ୍ରମାଣରେ ଟ୍ରମ୍ପ ଏପରି କହୁଛନ୍ତି ଏବଂ ତାଙ୍କର ଅନେକ ସମର୍ଥକ ଏହାକୁ ବିଶ୍ବାସ କରି ନେଉଛନ୍ତି। ମହାମାରୀ ସମୟରେ ଦେଶରେ ଅଧିକ ଭୋଟର ନିରାପଦ ଭାବେ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାକୁ ଚାହୁଁଛନ୍ତି। ଏପରି ସମୟରେ ପୋଷ୍ଟାଲ ବ୍ୟାଲଟ ସଂଖ୍ୟା ବଢିବ ଏବଂ ଏହାକୁ ପରିଚାଳନା କରିବା ନେଇ ଡାକ ବିଭାଗର କ୍ଷମତା ନେଇ ସନ୍ଦେହ ପ୍ରକାଶ ପାଇବା ବି ସ୍ବାଭାବିକ। ଏସବୁ ପ୍ରତିକୂଳ ସ୍ଥିତିରେ ବି ଭୋଟର ଜାଲିଆତି ନେଇ ସେଭଳି କୌଣସି ପ୍ରମାଣ ନଥିବା ନେଇ ବିଶେଷଜ୍ଞମାନେ ସ୍ପଷ୍ଟ କରି ଦେଇଛନ୍ତି ଏବଂ 2020 ନିର୍ବାଚନରେ ଏପରି ଘଟିବାର ସମ୍ଭାବନା କମ୍ ବୋଲି ସେମାନେ କହିଛନ୍ତି। ତେବେ ମଙ୍ଗଳବାର ରାତିରେ କିଏ କ’ଣ କହିବେ ସେ ନେଇ ବିଶେଷଜ୍ଞଙ୍କ ମତ ସ୍ପଷ୍ଟ ନୁହେଁ।

ABOUT THE AUTHOR

...view details