ନ୍ୟୁୟର୍କ: ଯୁକ୍ତରାଷ୍ଟ୍ର ଆମେରିକାର କୋରୋନା ହଟସ୍ପଟ ଭାବେ ଜଣା ଯାଉଥିବା ନ୍ୟୁୟର୍କରେ ଏବେ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ପରିବହନ ବିଭାଗ । କେବେ ଶୋଉନଥିବା ଏହି ସହରରେ 24 ଘଣ୍ଟା ମିଳିଥାଏ ବସ, ଟ୍ରେନ ଓ ସବୱେ ସର୍ଭିସ । ହେଲେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଏବେ ରାତି 1ରୁ ଭୋର 5ଟା ପର୍ଯ୍ୟନ୍ତ ବନ୍ଦ ରହିବ ଏହି ସେବା । ଏହି ସମୟରେ ସହର ମଧ୍ୟରେ ଚାଲୁଥିବା ସବୱେ, ବସ ଓ ଟ୍ରେନକୁ ସାନିଟାଇଜ କରାଯିବ ।
କୋରୋନା ସଂକ୍ରମଣ: ପ୍ରତିଦିନ ରାତିରେ ବନ୍ଦ ରହିବ ନ୍ୟୁୟର୍କ ସବୱେ ସିଷ୍ଟମ - କୋରୋନା ଭାଇରସ ନ୍ୟୁଜ୍
ଯୁକ୍ତରାଷ୍ଟ୍ର ଆମେରିକାର କୋରୋନା ହଟସ୍ପଟ ଭାବେ ଜଣା ଯାଉଥିବା ନ୍ୟୁୟର୍କରେ ଏବେ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ପରିବହନ ବିଭାଗ ।

ଯୁକ୍ତରାଷ୍ଟ୍ରରେ ବର୍ତ୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ସାମାନ୍ୟ ଅବନତି ଦେଖାଯାଉଛି । ସେପଟେ ଧିରେ ଧିରେ କମିବାରେ ଲାଗିଛି ହସ୍ପିଟାଲରେ ଭର୍ତ୍ତି ଆକ୍ରାନ୍ତଙ୍କ ସଂଖ୍ୟା । ତଥାପି କେବଳ ନ୍ୟୁୟର୍କରେ 3ଲକ୍ଷ ପଜିଟିଭ ମାମଲା ରହିଥିବା ବେଳେ ମୃ୍ତ୍ୟୁ ସଂଖ୍ୟା 23,600ରେ ସ୍ଥିର ରହିଛି । ତେବେ ଏପରି ଘଡିସନ୍ଧି ମୁହୂର୍ତ୍ତରେ ମେଟ୍ରୋପଲିଟାନ ଟ୍ରାନ୍ସପୋର୍ଟେସନ(ଏମଟିଏ) ଅଥରିଟି ଦ୍ବାରା ନିଆଯାଇଥିବା ନିଆରା ପଦକ୍ଷେପ ସ୍ବାଗତଯୋଗ୍ୟ ବୋଲି ମତ ଦେଇଛନ୍ତି ନ୍ୟୁୟର୍କ ରାଜ୍ୟପାଳ ଆଣ୍ଡ୍ରିୟୁ କ୍ୟୁଓମୋ ।
ସେ ଏହା ମଧ୍ୟ କହିଛନ୍ତି କି ବର୍ତ୍ତମାନ ସମୟରେ ଏମଟିଏ, ରାଜ୍ୟ, ସହର ଓ ନ୍ୟୁୟର୍କ ସିଟି ପୋଲିସ ବିଭାଗ (ଏନୱାଇପିଡି)କୁ ମିଳିତ ଭାବେ ପରିସ୍ଥିତିର ମୁକାବିଲା କରିବାର ଆବଶ୍ୟକତା ରହିଛି । ସବୁବେଳେ ଚଳଚଞ୍ଚଳ ସହରରେ ହଠାତ୍ ଟ୍ରେନ, ବସ ଓ ସବୱେ ସର୍ଭିସ ବନ୍ଦ କରିବା ଏତେ ସହଜ ନୁହେଁ । ତଥାପି ଏପରି ପଦକ୍ଷେପ ନେଇ ଏହି ପରିବହନ ମାଧ୍ୟମଗୁଡିକୁ ସାନଟାଇଜ କରିବାର ନିଷ୍ପତ୍ତି ଏକ ବଡ ଚ୍ୟାଲେଞ୍ଚ । ଆଶା କି ସହରର ନାଗରିକ ମଧ୍ୟ ସହଯୋଗ କରିବେ ।