ଲାନସିଂ:ବିନା ଦେଖା ସାକ୍ଷାତରେ ପ୍ରେମ ସମ୍ପର୍କ ଗଢି ଉଠିବା ଭଳି ଖବର ତ ଆପଣ ବହୁତ ଶୁଣିଥିବେ, କିନ୍ତୁ ବିନା ଭେଟରେ ସବୁ ଦିନ ପାଇଁ ପରସ୍ପରକୁ ଜୀବନ ସାଥୀ କରିବା ବିରଳ । ବର୍ତ୍ତମାନର ଆଧୁନିକ ଯୁଗରେ ଯୁବକ ଯୁବତୀ ପରସ୍ପର ସମ୍ପର୍କରେ ଭଲ ଭାବେ ଜାଣିବା ପରେ ବିବାହ କରିବାକୁ ପସନ୍ଦ କୁରଛନ୍ତି । କିନ୍ତୁ ଏଠାରେ ବିନା ଦେଖାରେ ପ୍ରେମ ସମ୍ପର୍କ ଗଢି ଉଠିବା ପରେ ଶେଷରେ ଭର୍ଚ୍ଚୁଆଲ ଅର୍ଥାତ୍ ZOOM ଆପ୍ ଜରିଆରେ ଯୁବକ ଯୁବତୀ ପରସ୍ପରକୁ ସାତ ଜନ୍ମର ସାଥୀ ଭାବେ ବାଛି ନେଇଛନ୍ତି । ଏଭଳି ବିରଳ, ରୋମାଞ୍ଚକର ଘଟଣା ଆମେରିକାର ରାଜ୍ୟ ମିସିଗନରେ ଦେଖିବାକୁ ମିଳିଛି ।
ଏଥିରେ ଆଇସା(୨୬) ଓ ଡାରିନ(୨୪) ଭର୍ଚ୍ଚୁଆଲ ଜରିଆରେ ପରସ୍ପରକୁ ଭେଟିବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଆଇସା ମିସିଗନର ଲାନ୍ସଷ୍ଟର ଅଞ୍ଚଳର ହୋଇଥିବା ବେଳେ ଡାରିନ ମିସିଗନର ଡେଟ୍ରଏଟ ଅଞ୍ଚଳର ବାସିନ୍ଦା । ଏହି କପଲ୍ ୨୦୨୦ ମସିହା ଜୁଲାଇ ମାସରେ ପରସ୍ପରକୁ ଜାଣିବା ଆରମ୍ଭ କରିଥିଲେ । ମାତ୍ର ୫ ଘଣ୍ଟା ମଧ୍ୟରେ ସେମାନେ ପରସ୍ପର ପ୍ରତି ଆକୃଷ୍ଟ ହୋଇଥିଲେ । ଡାରିନଙ୍କୁ ଭେଟିବା ପୂର୍ବରୁ ଆଇସା ପ୍ରଥମେ ତାଙ୍କ ମା' କେଣ୍ଡା(୫୬)ଙ୍କୁ ଭେଟିଥିଲେ । ଏହାପରେ ସେ ଡାରିନଙ୍କୁ ଭେଟିଥିଲେ । ଆଇସା Pen pals(ଫେସବୁକ ପରି ଏକ ପ୍ଲାର୍ଟଫର୍ମ ଯାହା ଜରିଆରେ ବିଦେଶରେ ପଢିବା ଓ ଲେଖିବାର ଅଭ୍ୟାସ ପାଇଁ ଏପରି ଦୂର ଅଜଣା ବନ୍ଧୁଙ୍କୁ ଚିଠି ଲେଖାଯାଏ) ଜରିଆରେ ଏକ ଗ୍ରୁପରେ ଯୋଗ ଦେବା ପରେ ସେ ଡାରିନଙ୍କ ମାଆ କେଣ୍ଡାଙ୍କୁ ଭେଟିଥିଲେ ।