ୱାଶିଂଟନ: ମ୍ୟାଲେରିଆ ନିରୋଧକ ହାଇଡ୍ରୋକ୍ସିକ୍ଲୋରୋକୁଇନ ରପ୍ତାନି ଉପରେ ଭାରତ ନିଷେଧାଦେଶ ହଟାଇବାର ପରେ ଶନିବାର ଆମେରିକା ସମେତ ବିଭିନ୍ନ ଦେଶକୁ ଯୋଗାଣ କରିଛି । ଗତ ସପ୍ତାହରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 35.82 ଲକ୍ଷ ହାଇଡ୍ରୋକ୍ସିକ୍ଲୋରୋକୁଇନ ଯୋଗାଇଦେବାକୁ ଭାରତକୁ ଅନୁରୋଧ କରିଥିଲେ । ଭାରତ ପକ୍ଷରୁ ଟ୍ରମ୍ପଙ୍କ ଅନୁରୋଧ ରକ୍ଷା କରାଯାଇ ଔଷଧ ଯୋଗାଣ କରାଯାଇଛି ।‘COVID-19 ବିରୋଧରେ ଲଢେଇ ପାଇଁ ଆମ ସହଯୋଗୀ ମାନଙ୍କୁ ସମର୍ଥନ କରିବୁ । ସେଥିପାଇଁ ଭାରତରୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଆସି ନ୍ୟୁୟର୍କ ବିମାନବନ୍ଦରରେ ପହଞ୍ଚିଛି’ ବୋଲି ଆମେରିକା ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ତାରଞ୍ଜିତ ସିଂ ସାନ୍ଧୁ ଟ୍ବିଟ କରି କହିଛନ୍ତି ।
ଗତ ସପ୍ତାହରେ ଫୋନରେ କଥାହେବା ବେଳେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମ୍ୟାଲେରିଆ ବିରୋଧୀ ଔଷଧରେ ଲଗାଯାଇଥିବା କଟକଣା ହଟାଇବାକୁ ଅନୁରୋଧ କରିଥିଲେ । ବିଶ୍ବର 70 ପ୍ରତିଶତ ହାଇଡ୍ରୋକ୍ସିକ୍ଲୋରୋକୁଇନ ଉତ୍ପାଦନ କରୁଥିବା ଭାରତ ଏପ୍ରିଲ 7ରେ ଏହି ପ୍ରତିବନ୍ଧକକୁ ହଟାଇ ଦେଇଛି ।
ଆମେରିକାର ଫୁଡ ଓ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ଦ୍ବାରା ହାଇଡ୍ରୋକ୍ସିକ୍ଲୋରୋକୁଇନକୁ କୋରୋନା ପାଇଁ ସମ୍ଭାବ୍ୟ ଚିକିତ୍ସା ଭାବରେ ଚିହ୍ନଟ ହୋଇଛି । ଏହା ନ୍ୟୁୟର୍କର 1,500ରୁ ଅଧିକ କୋରୋନା ଭାଇରସ ରୋଗୀଙ୍କ ଉପରେ ପରୀକ୍ଷା କରାଯାଉଛି ।ପ୍ରାରମ୍ଭିକ ସକରାତ୍ମକ ଫଳାଫଳକୁ ଦୃଷ୍ଟିରେ ରଖି ଏହା କାର୍ଯ୍ୟ କରିବ ବୋଲି ଟ୍ରମ୍ପ ଆଶା କରିଛନ୍ତି । ତେଣୁ ସେ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ 29 ମିଲିୟନରୁ ଅଧିକ ଡୋଜ ହାଇଡ୍ରୋକ୍ସିକ୍ଲୋରୋକୁଇନ କିଣିଛନ୍ତି ।
ଆମେରିକୀୟମାନେ ଔଷଧ ସାମଗ୍ରୀର ଆଗମନକୁ ସ୍ବାଗତ କରିଥିଲେ । ନ୍ୟୁୟର୍କ ସ୍ଥିତ ରିୟଲ ଇଷ୍ଟେଟ ପରାମର୍ଶଦାତା ଅଲ ମେସନ କହିଛନ୍ତି ଯେ, ‘ଭାରତ ଦ୍ବାରା କରାଯାଇଥିବା ଏହି ମଣିଷପଣିଆକୁ ଆମେରିକା କେବେବି ଭୁଲି ପାରିବ ନାହିଁ ।’ ରାଷ୍ଟ୍ରପତି ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧୀନରେ ପୃଥିବୀର ଦୁଇଟି ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ଏକତ୍ରିତ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି । ଫ୍ରାନ୍ସ 1,061 ଜଣ କୋରୋନା ରୋଗୀଙ୍କ ଠାରେ କରିଥିବା ଏକ ଅଧ୍ୟୟନରୁ ଜଣାଯାଇଛି ଯେ, ଆଣ୍ଟି-ବାୟୋଟିକ ସହ ହାଇଡ୍ରୋକ୍ସିକ୍ଲୋରୋକୁଇନ ଉପଯୋଗ କରିବା ପରେ 10 ଦିନ ମଧ୍ୟରେ 91.7 ପ୍ରତିଶତ ଉପଶମ ହୋଇପାରୁଛି । ସେହିପରି 15ଦିନ ପରେ ଏହା 96 ପ୍ରତିଶତ ଆରୋଗ୍ୟ ହାର ମଧ୍ୟ ରିପୋର୍ଟ କରିଛି ।