ୱାଶିଂଟନ: 4 ଦଶନ୍ଧି ପରେ ଆନୁଷ୍ଠାନିକ ଭାବେ ବନ୍ଦ ହେଲା ଆମେରିକାର ହ୍ୟୁଷ୍ଟନ୍ ସହରରେ ଥିବା ଚୀନ କନସୁଲେଟ୍ । ଏହାପରେ ଆମେରିକା ଏବଂ ଚୀନ ମଧ୍ୟରେ ବିବାଦ ଏକ ନୂତନ ସ୍ତରରେ ପହଞ୍ଚିଛି । ଗତ କିଛି ମାସ ମଧ୍ୟରେ ବେଜିଂର କୋରୋନା ଭାଇରସ ମହାମାରୀକୁ ନିୟନ୍ତ୍ରଣ କରିବା, ଜିନଜିଆଙ୍ଗରେ ଉଇଗୁର୍ ମୁସଲମାନମାନଙ୍କ ଉପରେ ଚୀନର କଟକଣା ଏବଂ ହଂକଂରେ ଏକ ବିବାଦୀୟ ଜାତୀୟ ସୁରକ୍ଷା ଆଇନ ଲାଗୁ କରିବା ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି।
ଏହାପରେ ଆମେରିକା ଚୀନକୁ ହ୍ୟୁଷ୍ଟନରେ ଥିବା କନସୁଲେଟ୍ ଜେନେରାଲ୍କୁ 72 ଘଣ୍ଟା ମଧ୍ୟରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା । ଆମେରିକାର ବରିଷ୍ଠ ଅଧିକାରୀମାନେ ହ୍ୟୁଷ୍ଟନରେ ଥିବା କନସୁଲେଟକୁ ବେଜିଂର 'ଗୁପ୍ତଚର କାର୍ଯ୍ୟ'ର ଅଂଶ ବୋଲି ଅଭିଯୋଗ କରିଥିଲେ। ଯାହା ପରେ ଆମେରିକା ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏହି କନସୁଲେଟ ଏବେ ଆନୁଷ୍ଠାନିକ ଭାବରେ ବନ୍ଦ ହୋଇଯାଇଛି ।