ଓଡିଶା

odisha

ETV Bharat / international

Ukraine Crisis: ଫୋନରେ କଥା ହେଲେ ବାଇଡେନ-ଜିନପିଙ୍ଗ - ବାଇଜେନ ଜିନପିଙ୍ଗ ଆଲୋଚନା

ୟୁକ୍ରେନ-ଋଷିଆ ଯୁଦ୍ଧ ନେଇ ଆଲୋଚନା କଲେ ଆମେରିକା ରାଷ୍ଟ୍ରପତି ବାଇଡେନ ଓ ସି ଜିନପିଙ୍ଗ । ଯୁଦ୍ଧ ଦ୍ବାରା କାହାର ହିତସାଧନ ହେବନାହିଁ କହିଲେ ଚୀନ ରାଷ୍ଟ୍ରପତି । ଅଧିକ ପଢନ୍ତୁ

Ukraine Crisis: ଫୋନରେ କଥା ହେଲେ ବାଇଡେନ-ଜିନପିଙ୍ଗ
Ukraine Crisis: ଫୋନରେ କଥା ହେଲେ ବାଇଡେନ-ଜିନପିଙ୍ଗ

By

Published : Mar 19, 2022, 11:55 AM IST

ୱାସିଂଟନ: ୟୁକ୍ରେନ-ଋଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି । ଇତିମଧ୍ୟରେ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ(Xi Jinping) ଯୁଦ୍ଧ ନେଇ ଆଲୋଚନା କରିଛନ୍ତି । ଆଲୋଚନାରେ ଋଷିଆ ଆକ୍ରମଣକୁ ନିନ୍ଦା କରୁଥିବା ପାଶ୍ଚତ୍ୟ ରାଷ୍ଟ୍ର ସହ ସାମିଲ ହେବା ପାଇଁ ଚୀନ ଉପରେ ଚାପ ପକାଇବାକୁ ବାଇଡେନ ଲକ୍ଷ୍ୟ ରଖିଥିଲେ । ମାତ୍ର ଜିନପିଙ୍ଗ ବାଇଡେନଙ୍କୁ କହିଛନ୍ତି, ଏହି ଯୁଦ୍ଧ ଦ୍ବାରା କାହାର ହିତସାଧନ ହେବନାହିଁ । ଚୀନ ଏବଂ ଆମେରିକା ମିଳିତ ଭାବେ ଅନ୍ତରାଷ୍ଟ୍ରୀୟ ଦାୟିତ୍ବ ଗୁଡିକୁ ନିର୍ବାହ କରିବା ଉଚିତ୍ ।

ଦୀର୍ଘ ୧ ଘଣ୍ଟା ୫୦ ମିନିଟ୍ ଧରି ବାଇଡେନ ଓ ସି ଜିନପିଙ୍ଗ କଥା ହୋଇଛନ୍ତି । ଦିନ ୧୦ ଟା ୫୩(ଆମେରିକା ସମୟ) ସମୟରେ ସେମାନଙ୍କର କଥାବାର୍ତ୍ତା ଶେଷ ହୋଇଛି । ହ୍ବାଇଟ୍ ହାଉସ ପକ୍ଷରୁ ଏହା କୁହାଯାଇଛି । ଆଲୋଚନା ସମୟରେ ଚୀନ ରାଷ୍ଟ୍ରପତି ଆହୁରିମଧ୍ୟ କହିଛନ୍ତି ଯେ, ଆନ୍ତର୍ଜାତିକ ସମ୍ପ୍ରଦାୟରେ ଶାନ୍ତି ଏବଂ ନିରାପତ୍ତା ସବୁଠୁ ଅଧିକ ମହତ୍ତ୍ବପୂର୍ଣ୍ଣ । ବିଶ୍ବରେ ଶାନ୍ତି ପାଇଁ ଚୀନ ଏବଂ ଆମେରିକା ଅନ୍ତର୍ଜାତୀୟ ଦାୟିତ୍ବ ଗୁଡିକୁ କାନ୍ଧ ଦେବା ଉଚିତ୍ ।

ତେବେ ଚୀନ ରାଷ୍ଟ୍ରପତି ୟୁକେନରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆକ୍ରମଣକୁ ସିଧାସଳଖ ସମାଲୋଚନା କରିଛନ୍ତି କିମ୍ବା ଋଷ ଉପରେ ଆମେରିକା ନେତୃତ୍ବାଧୀନ ଆର୍ଥିକ ଚାପ ପ୍ରୟୋଗରେ ସହଯୋଗ କରିବାକୁ ସହମତ ହୋଇଛନ୍ତି କି ନାହିଁ ସେନେଇ ତୁରନ୍ତ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ । ଆଲୋଚନା ପୂର୍ବରୁ ଆମେରିକା ଷ୍ଟେଟ ଡେପୁଟି ସେକ୍ରେଟାରୀ(Deputy Secretary of State) ୱେଣ୍ଡି ସରମାନ(Wendy Sherman) କହିଥିଲେ, ଚୀନକୁ ବୁଝିବାକୁ ହେବ ଯେ, ତାର ଭବିଷ୍ୟତ ଆମେରିକା, ୟୁରୋପ ଏବଂ ଅନ୍ୟ ବିକଶିତ ଅଥବା ବିକାଶଶୀଳ ରାଷ୍ଟ୍ର ସହ ରହିଛି, ଭ୍ଲାଦିମିର ପୁଟିନଙ୍କ ସହ ନୁହେଁ । ହେଲେ ଏଯାଏଁ ଚୀନ ଯୁଦ୍ଧକୁ ନେଇ ଋଷକୁ ନିନ୍ଦା କରିନାହିଁ ।

ABOUT THE AUTHOR

...view details