ନ୍ୟୁୟର୍କ: କୋରୋନା ଭାଇରସର ପ୍ରତିଷେଧକ ବାହାର କରିବା ପାଇଁ ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ଘୋଷଣା କରିଛନ୍ତି । ଏଥିପାଇଁ ତାଙ୍କ ଫାଉଣ୍ଡେସନ ଅର୍ଥ ଖର୍ଚ୍ଚ କରୁଥିବା ସେ ପ୍ରକାଶ କରିଛନ୍ତି । ଫାଉଣ୍ଡେସନ ପକ୍ଷରୁ 7ଟି ପ୍ରତିଷେଧକ ଟିକା ନିର୍ମାଣ ପାଇଁ ଉଦ୍ୟମ କରୁଛନ୍ତି । ସାତଟି ମଧ୍ୟରୁ ଚୂଡ଼ାନ୍ତ ପରୀକ୍ଷଣ ପାଇଁ ସର୍ବୋତ୍ତମ 2ଟି ଟିକା ନିଆଯିବ ବୋଲି ଗେଟ୍ସ କହିଛନ୍ତି ।
‘ଦ ଡେଲି ସୋ’ରେ ହୋଷ୍ଟ ଟ୍ରେଭର୍ ନେହାଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଗେଟ୍ସ କହିଛନ୍ତି, ‘ବିଲ୍ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ କୋରୋନା ପାଇଁ ସାତଟି ଟିକା ପ୍ରସ୍ତୁତ କରିବା ଦିଗରେ ଅଗ୍ରସର ହେଉଛି । କୋରୋନା ଭାଇରସ ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବାରୁ କମ ସମୟ ମଧ୍ୟରେ ଏହାକୁ ଉତ୍ପାଦନ କରାଯିବ ।’
ଆମେ ଯଦିଓ ଦୁଇଟି ଟିକାକୁ ବାଛିବୁ ତଥାପି ସାତଟି ଟିକା ପ୍ରସ୍ତୁତକାରୀ କାରଖାନା ତିଆରି କରିବା ପାଇଁ ପାଣ୍ଠି ଯୋଗାଇବାକୁ ଯାଉଛି । ସମୟ କମ ଥିବାରୁ କେଉଁ ଟିକା କାମ କରିବ ଓ ପରେ କାରଖାନା ନିର୍ମାଣ କରିବାରେ ଆମେ ସମୟ ନଷ୍ଟ କରିବାକୁ ଚାହୁଁନାହୁଁ ବୋଲି ବିଲ୍ସ ପ୍ରକାଶ କରିଛନ୍ତି ।
ବୃହତ ସ୍ବାର୍ଥ ଦୃଷ୍ଟିରୁ ଆମେ ନିର୍ମାଣ ପାଇଁ କିଛି ବିଲିୟନ ଡଲାର ଅପଚୟ କରିବୁ । ବର୍ତ୍ତମାନ ସ୍ଥିତିରେ ବିଲିୟନ ଡଲାର ରହିଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଟ୍ରିଲିୟନକୁ ବୃଦ୍ଧି ପାଇପାରେ ବୋଲି ଟିଭି ଶୋ’ରେ ଗେଟ୍ସ ପ୍ରକାଶ କରିଥିଲେ । ବୈଜ୍ଞାନିକଙ୍କ ଅନୁସାରେ, ମାନବ ଉପରେ ଟିକାର ସଫଳ ପରୀକ୍ଷଣ ପାଇଁ ଏହି ଟିକା 12-18 ମାସ ପର୍ଯ୍ୟନ୍ତ ସମୟ ନେଇପାରେ ।