ୱାଶିଂଟନ: ଆରମ୍ଭ ହୋଇଯାଇଛି ବାଇଡେନ ଯୁଗ । 46 ତମ ରାଷ୍ଟ୍ରପତି ଭାବରେ ଶପଥ ନେଇଛନ୍ତି ଜୋ ବାଇଡେନ । କାର୍ଯ୍ୟକାଳର ପ୍ରଥମ ଦିନରେ ଜୋ ବାଇଡେନ 17 ଟି ସରକାରୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଉପରେ ଲଗାଇଛନ୍ତି ମୋହର । ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନେକ ନିଷ୍ପତ୍ତିକୁ ବଦଳାଇଛନ୍ତି ବାଇଡେନ । ବିଶେଷ କରି ପ୍ୟାରିସର ଜଳବାୟୁ ଚୁକ୍ତିରେ ଯୋଗଦେବା, ଆମେରିକାବାସୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବା, ଅଣସଂରକ୍ଷିତ ସମ୍ପ୍ରଦାୟ ପାଇଁ ସମର୍ଥନ ବୃଦ୍ଧି କରିବା ସହ ଦେଶରେ ବର୍ଣ୍ଣ ବୈଷମ୍ୟ ଭେଦଭାବକୁ ସମ୍ପୂର୍ଣ୍ଣ ବିଲୁପ୍ତ କରିବା ଦିଗରେ ନିଷ୍ପତି ନେଇଛନ୍ତି ।
ଦାୟିତ୍ବ ନେବା ପରେ ଜୋ ବାଇଡେନ ସମ୍ବୋଧିତ କରି କହିଛନ୍ତି ପୂର୍ବ ସୂଚନା ଅନୁଯାୟୀ ଆଗାମୀ 7 ଦିନ ମଧ୍ୟରେ ଅନେକ ଗୁରୁତ୍ତ୍ବପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ଯାଉଛୁ । ମହାମାରୀ ହେତୁ ଆମେରିକୀୟମାନଙ୍କ ଉପରେ ଆର୍ଥିକ ଚାପ ହ୍ରାସ କରିବାକୁ ଚେଷ୍ଟା କରିବୁ । ବିଶେଷ କରି କୋଭିଡ ନିୟନ୍ତ୍ରଣ ପାଇଁ ପଦକ୍ଷେପମାନ ନିଆଯିବ । ପୁଣି ଥରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବ । ସାଧାରଣ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ପୂର୍ବରୁ ପ୍ୟାରିସର ଜଳବାୟୁ ଚୁକ୍ତିରୁ ଆମେରିକା ଓହରି ଥିବାବେଳେ ଏଥିରେ ପୁଣି ଥରେ ଯୋଗ ଦେବ ବୋଲି ସେ ନିଷ୍ପତ୍ତି ନେଇଛନ୍ତି ।