ନୂଆଦିଲ୍ଲୀ: ଜୋଏ ବାଇଡେନ୍-କମଳା ହାରିସ୍ ଯୋଡି ଯଦି ଏବର୍ଷର ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତନ୍ତି, ବିଶେଷଜ୍ଞଙ୍କ ମତରେ ହୁଏତ 2015 ପ୍ୟାରିସ ଜଳବାୟୁ ଚୁକ୍ତିକୁ ଆମେରିକାର ପ୍ରତ୍ୟାବର୍ତ୍ତନ ବିଶ୍ବ ଦେଖିପାରିବ। ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଶାସନକାଳରେ ୱାସିଂଟନ ଏଥିରୁ ଓହରି ଯାଇଛି। ଜଳବାୟୁ ଏବଂ ପରିବେଶ ସୁରକ୍ଷା ଦିଗରେ ଉଭୟେ ବାଇଡେନ୍ ଏବଂ ହାରିସ୍ ହେଉଛନ୍ତି ଦୃଢ ସମର୍ଥକ ଏବଂ ସେମାନେ ନିର୍ବାଚନ ଜିତିଲେ ଭାରତ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରୁଥିବା ଜଳବାୟୁ ଚୁକ୍ତିରେ ଆମେରିକାର ପୁନଃ ପ୍ରବେଶ ହୋଇପାରେ।
ଡେମୋକ୍ରାଟ ରାଷ୍ଟ୍ରପତି ପ୍ରାର୍ଥୀ ଜୋଏ ବାଇଡେନ କାଲିଫର୍ଣ୍ଣିଆରୁ ସିନେଟର ଥିବା ହାରିସଙ୍କୁ ତାଙ୍କର ସହଯୋଗୀ ଭାବେ ଉପ-ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ମନୋନୀତ କରିଛନ୍ତି। ହାରିସ୍ ନ୍ୟୁୟର୍କରୁ ପ୍ରତିନିଧିତ୍ବ କରୁଥିବା ଆଲେକଜାଣ୍ଡ୍ରିଆ ଓକାସିଓ-କୋର୍ଟେଜଙ୍କ ସହ ମିଶି ଏମାସ ଆରମ୍ଭରେ କ୍ଲାଇମେଟ୍ ଇକ୍ୟୁଟି ଆକଟ(ସିଇଏ) ଆଗତ କରିଛନ୍ତି। “ଯେତେବେଳେ ଜଳବାୟୁ କିମ୍ବା ପରିବେଶ ସମ୍ପର୍କିତ ଯେକୌଣସି ପ୍ରସଙ୍ଗ-(ଏହାରି ଭିତରେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ସହିତ ପରିବହନ, ଗୃହନିର୍ମାଣ, ଭିତ୍ତିଭୂମି, ନିଯୁକ୍ତି, ଶ୍ରମଶକ୍ତିର ବିକାଶ ଏବଂ ଆହୁରି ଅନେକ ତତସଂଲଗ୍ନ ବିଷୟ ହେଉ) ନେଇ ନୀତି,କଟକଣା ଓ ଆଇନକାନୁନ ନିର୍ଦ୍ଧାରଣ କରିବାରେ ଯେଉଁମାନେ ଆଗଧାଡିରେ ରହୁଛନ୍ତି ସେମାନଙ୍କ ସହିତ ଆମେରିକା ସରକାର ରହିବା ଉଚିତ” ବୋଲି ପ୍ରକାଶିତ ସିଇଏର ଘୋଷଣାରେ କୁହାଯାଇଛି।
ଏହି ଘୋଷଣା ହେଉଛି, 2015 ପ୍ୟାରିସ ଜଳବାୟୁ ରାଜିନାମାରୁ ଓହରିଯିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ 2017ରେ ନେଇଥିବା ନିଷ୍ପତ୍ତିର ସମ୍ପୂର୍ଣ୍ଣ ବିପରିତ। ଆମେରିକାର ବ୍ୟବସାୟ, ଦେଶର ନାଗରିକ, ଦେଶର ଶ୍ରମିକ ଓ ତାହାର ଟିକସଦାତାଙ୍କ ସ୍ବାର୍ଥକୁ ରଖି ଆମେରିକାକୁ ସୁହାଇବା ଭଳି ଏକ ନୂଆ ରାଜିନାମା କଲେ ଆମେରିକା ଏଥିରେ ପୁନଃ ପ୍ରବେଶ କରିପାରେ ବୋଲି ପରେ ଟ୍ରମ୍ପ ପ୍ରଶାସନ ସର୍ତ୍ତମୂଳକ କଥାବାର୍ତ୍ତା ଆରମ୍ଭ କରିଥିଲେ। ପ୍ୟାରିସ ଚୁକ୍ତି ଆମେରିକାର ଅର୍ଥନୀତିକୁ ଦୁର୍ବଳ କରିଦେବ ଏବଂ ତାଙ୍କ ଦେଶକୁ ଏହା ସବୁଦିନ ପାଇଁ ଅଡୁଆରେ ପକାଇବ ବୋଲି ରାଜିନାମାରୁ ଓହରିଯିବା ବେଳେ ଟ୍ରମ୍ପ କହିଥିଲେ। ଆମେରିକା ଦେଶର ସ୍ବାର୍ଥ ଦୃଷ୍ଟିରୁ ପ୍ରଥମ ନୀତି ଅନୁଯାୟୀ ଚୁକ୍ତିରୁ ଓହରିଯିବା କଥା ମଧ୍ୟ ସେ କହିଥିଲେ।
2015ରେ ଅନୁଷ୍ଠିତ ସମ୍ମିଳନୀ ବା କନଫରେନସ ଅଫ ପାର୍ଟିଜ(ସିଓପି) ପରେ ସ୍ବାକ୍ଷରିତ ପ୍ୟାରିସ ଜଳବାୟୁ ରାଜିନାମା ଏକ ମାଇଲଖୁଣ୍ଟ ଥିଲା। ଜଳବାୟୁର ସୁରକ୍ଷା ଦିଗରେ ଯେଉଁସବୁ ଯୋଜନା ପ୍ରସ୍ତୁତ ହେଉଥିଲା ତାହା କାର୍ଯ୍ୟକାରୀ କରିବା ପାଇଁ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ସହାୟତା ଦେବା ସକାଶେ 2020 ପରଠାରୁ ବିକଶିତ ରାଷ୍ଟ୍ରଗୁଡ଼ିକୁ ବର୍ଷକୁ ସର୍ବନିମ୍ନ 100 ବିଲିଅନ ଡଲାର ଦେବାକୁ ରାଜିନାମାରେ ବ୍ୟବସ୍ଥା ରହିଥିଲା। ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ସେମାନଙ୍କର କାର୍ଯ୍ୟକ୍ରମ ପାଇଁ ଜାତୀୟସ୍ତରରେ ଅନୁଧାନ ସ୍ଥିର କରିବା ସହିତ ଏହା ୟୁନାଇଟେଡ ନେସନସ ଫ୍ରେମୱର୍କ କନଭେନସନ ଅନ୍ କ୍ଲାଇମେଟ ଚେଞ୍ଜ(UNFCCC)କ ନିକଟରେ ପ୍ରଦାନ ପାଇଁ ରାଜିନାମାରେ ସ୍ଥିର ହୋଇଥିଲା।
ରାଜିନାମା ଅନୁଯାଯୀ ବିଶ୍ବ ତାପମାତ୍ରା ବୃଦ୍ଧିକୁ 2 ଡିଗ୍ରୀ ସେଲସିୟସ ତଳେ ରଖାଯିବ ଏବଂ ଦେଶଗୁଡ଼ିକ ତାପମାତ୍ରା ବୃଦ୍ଧିକୁ 1.5 ଡିଗ୍ରୀ ସେଲସିୟସ ଭିତରେ ରଖିବାକୁ ଉଦ୍ୟମ କରିବେ। ରାଜିନାମା ଅନୁଯାୟୀ ଭାରତ ଦେଇଥିଲା ତିନିଟି ଗୁରୁତ୍ବପୂର୍ଣ୍ଣ ପ୍ରତିଶ୍ରୁତି: 2030 ବେଳକୁ ଭାରତ ଅନ୍ୟୁନ ତାହାର 40 ପ୍ରତିଶତ ବିଦ୍ୟୁତ ଉତ୍ପାଦନ ଅଣ-ଜୀବାଶ୍ମ କ୍ଷେତ୍ରରୁ କରିବ, ଗ୍ରୀନହାଉସ ଗ୍ୟାସ ନିର୍ଗତ ମାତ୍ରା 2005ରେ ଜିଡିପିର ଯେତିକି ରହିଛି 2030 ବେଳକୁ ତାହାର 33ରୁ 35 ପ୍ରତିଶତ ତଳକୁ କମାଇବାକୁ ଉଦ୍ୟମ କରିବ, 2030 ବେଳକୁ ଅଧିକ ବୃକ୍ଷରୋପଣ ଏବଂ ଜଙ୍ଗଲ ସୃଷ୍ଟି କରିବ ଯଦ୍ବାରା 2.5ରୁ 3 ବିଲିଅନ ଟନ୍ କାର୍ବନ ଡାଇଅକ୍ସାଇଡକୁ ନଷ୍ଟ କରିହେବ।
2015ରେ ବିଭିନ୍ନ ରାଷ୍ଟ୍ରକୁ ନେଇ ହୋଇଥିବା ଆଲୋଚନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତତ୍କାଳୀନ ଫ୍ରାନସ ରାଷ୍ଟ୍ରପତି ଫ୍ରାଙ୍କଏ ହଲାଣ୍ଡଙ୍କ ସହିତ ମିଶି ଇଣ୍ଟରନ୍ୟାସନାଲ ସୋଲାର ଆଲିଆନସ(ISA) ମଧ୍ୟ ଆରମ୍ଭ କରିଥିଲେ। ଯେଉଁସବୁ ରାଷ୍ଟ୍ର ସୌର ଶକ୍ତିରେ ସମୃଦ୍ଧ ସେମାନଙ୍କୁ ନେଇ ଗଠିତ ଏହି ମେଣ୍ଟ ସେମାନଙ୍କର ଶକ୍ତି ଚାହିଦାକୁ ମେଣ୍ଟାଇବା ଦିଗରେ ସମ୍ମିଳିତ ଉଦ୍ୟମ କରିବାକୁ ସ୍ଥିର ହୋଇଥିଲା।
କର୍କଟ ରେଖାରୁ ମକର ରେଖା ମଧ୍ୟରେ ଆସୁଥିବା ସମସ୍ତ 121 ସମ୍ଭାବ୍ୟ ସଦସ୍ୟ ରାଷ୍ଟ୍ର ପାଇଁ ISA ଉନ୍ମୁକ୍ତ ରଖାଯାଇଛି। ଏହାର ମୁଖ୍ୟ କାର୍ଯ୍ୟାଳୟ ଭାରତର ଗୁରୁଗ୍ରାମରେ ରଖାଯାଇଛି। ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି କୋଠା ନିର୍ମାଣ ଏବଂ 2016-17ରୁ 2020-21 ଯାଏଁ ପାଞ୍ଚ ବର୍ଷ ପାଇଁ ପରିଚାଳନା ଖର୍ଚ୍ଚ ତୁଲାଇବା ସକାଶେ ଏକ କର୍ପସ ପାଣ୍ଠି ସୃଷ୍ଟି କରିବାକୁ ଭାରତ 125 କୋଟି ଟଙ୍କା ସହାୟତା ଦେବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲା। ସୌରଶକ୍ତି ପରିଚାଳିତ ପ୍ଲାଣ୍ଟରୁ ବିଦ୍ୟୁତଶକ୍ତି ଉତ୍ପାଦନ ପାଇଁ ଭାରତର ପ୍ରୟାସ ଯଦିଓ କୋଭିଡ- 19 ମହାମାରୀ ଯୋଗୁଁ ପ୍ରଭାବିତ ହୋଇଛି, ତଥାପି 2020 ଜୁନ୍ 30 ସୁଦ୍ଧା ଭାରତର ଏକ୍ଷେତ୍ରରୁ ଉତ୍ପାଦିତ ବିଦ୍ୟୁତ ଶକ୍ତି ପରିମାଣ 35 GWରେ ପହଞ୍ଚିଥିଲା।