ନୂଆଦିଲ୍ଲୀ: ଅନେକ ବାଦ ବିବାଦ ପରେ ମଧ୍ୟ ବହୁ ଚର୍ଚ୍ଚିତ ଫିଲ୍ମ 'ଦ କେରଳ ଷ୍ଟୋରୀ' ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ)ରେ ପ୍ରଦର୍ଶିତ ହୋଇଛି । ଏପରିକି ଫିଲ୍ମ ରିଲିଜ ଉପରେ ପ୍ରତିବନ୍ଧକ ଲଗାଇବାକୁ ଅନେକ ସଙ୍ଗଠନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାର ଶୁଣାଣି କରିବାକୁ ମନା କରି ଫିଲ୍ମ ରିଲିଜ କରିବାକୁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ । ତେବେ ଏହାରି ମଧ୍ୟରେ ବର୍ତ୍ତମାନ JNUରେ ପ୍ରଦର୍ଶିତ କରାଯାଇଛି । ଏବଂ ଏହି ସମୟରେ 'ଦ କେରଳ ଷ୍ଟୋରୀ'ର ନିର୍ଦ୍ଦେଶକ ସୁଦୀପ୍ତୋ ସେନ୍, ନିର୍ମାତା ଅମୃତଲାଲ ଶାହା ଏବଂ ଅଭିନେତ୍ରୀ ଅଦା ଶର୍ମା ଜେଏନୟୁରେ ଉପସ୍ଥିତ ରହି ଫିଲ୍ମକୁ ନେଇ ନିଜ ବକ୍ତବ୍ୟ ରଖିଥିଲେ ।
ତେବେ ସାଧାରଣତଃ JNUରେ କୌଣସି ଫିଲ୍ମର ସ୍କ୍ରିନିଂ ଦେଖାଇବା ପରେ ଧମାକା ହୋଇଥାଏ । କିନ୍ତୁ ଏହି ଫିଲ୍ମ ସହ ତାହା ହୋଇନଥିଲା । ବରଂ ବହୁ ସଂଖ୍ୟକ ଛାତ୍ର ଏହି ଫିଲ୍ମରେ ଦର୍ଶାଯାଇଥିବା ଯନ୍ତ୍ରଣାକୁ ବୁଝିଥିଲେ ଏବଂ ଏହାକୁ ଦେଖି ଛାତ୍ରଛାତ୍ରୀ ବେଶ ଉତ୍ସାହିତ ହୋଇଥିଲେ । ଛାତ୍ରମାନଙ୍କୁ ଫିଲ୍ମ 'ଦ କେରଳ ଷ୍ଟୋରୀ' ଦେଖାଇବା ପାଇଁ ଏବିଭିପି ସମସ୍ତ ଦାୟିତ୍ବ ଗ୍ରହଣ କରିଥିଲା । ସୋସିଆଲ ମିଡିଆରେ ସେ ଏଥିପାଇଁ ପ୍ରଚାର ମଧ୍ୟ କରିଥିଲେ ।
ମଙ୍ଗଳବାର ସନ୍ଧ୍ୟାରେ କେରଳର 32 ହଜାର ଝିଅଙ୍କ ନିଖୋଜକୁ ଆଧାର କରି ନିର୍ମିତ ବହୁ ଚର୍ଚ୍ଚିତ ଫିଲ୍ମ 'ଦ କେରଳ ଷ୍ଟୋରୀ' ଜେଏନୟୁର ଅଡିଟୋରିୟମ୍ ନମ୍ବର 1 ରେ କନଭେନସନ୍ ସେଣ୍ଟରରେ ପ୍ରଦର୍ଶିତ ହୋଇଥିଲା । ଫିଲ୍ମରେ ଅନେକ ଦୃଶ୍ୟ ଥିଲା ଯାହା ଚକିତ କରିଥିଲା । ତେବେ ସ୍କ୍ରିନିଂ ସମୟରେ ଜେଏନୟୁରେ ଉପସ୍ଥିତ ଫିଲ୍ମର ନିର୍ଦ୍ଦେଶକ ସୁଦୀପ୍ତୋ ସେନ୍, ନିର୍ମାତା ଭିପୁଲ ଅମୃତଲାଲ ଶାହା ଏବଂ ମୁଖ୍ୟ ଅଭିନେତ୍ରୀ ଅଦା ଶର୍ମାଙ୍କୁ ଫିଲ୍ମ ସ୍କ୍ରିନିଂ ପରେ, ଛାତ୍ରମାନେ ସେମାନଙ୍କ ମନରେ ଆସିଥିବା ପ୍ରଶ୍ନ ପଚାରିଥିଲେ ।