ଭୁବନେଶ୍ବର: ପୁଣି ଓଡିଆ ଅଭିନୟ ଜଗତ ପାଇଁ ଦୁଃଖଦ ଖବର ଆସିଛି । ଆଉ ନାହାନ୍ତି ଅଭିନେତା ସୋମଦତ୍ତ ଦାସ । ହୃଦଘାତରେ ଦୁନିଆକୁ ଅଲବିଦା କହିଛନ୍ତି ସୋମଦତ୍ତ । ମୃତ୍ୟୁ ବେଳକୁ ତାଙ୍କୁ 48 ବର୍ଷ ହୋଇଥିଲା । ଗତକାଲି (ବୁଧବାର) ସଂନ୍ଧ୍ୟାରେ ଭୁବନେଶ୍ବରସ୍ଥିତ ସହୀଦନଗର ବାସ ଭବନରେ ତାଙ୍କର ପରଲୋକ ହୋଇଛି । ସୋମଦତ୍ତ ଦାସ ଓରଫ ଲିଟୁଙ୍କୁ ହରାଇ ଶୋକରେ ବୁଡିଛି ଓଡିଆ କଳା ଜଗତ । ସୋମଦତ୍ତଙ୍କ ବିୟୋଗରେ ବହୁ ଓଡିଆ ଅଭିନେତା ଓ ସିନେ କଳାକାର ଶୋକ ପ୍ରକାଶ କରିଛନ୍ତି ।
ସୋମଦତ୍ତ ଦାସଙ୍କୁ ସମସ୍ତ ଲିଟୁ ଭାଇ ନାମରେ ଜାଣନ୍ତି । ତାଙ୍କର ଅଭିନୟ ଖୁବ ନିଖୁଣ ଥିଲା । ଦମଦାର ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟରେ ଘର କରିଥିଲେ ସୋମଦତ୍ତ । ପାଖାପାଖି 15ରୁ ଅଧିକ ଟିଭି ସିରିୟଲରେ ଅଭିନୟ କରିଛନ୍ତି ସୋମଦତ୍ତ । ଏହା ସହ କିଛି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ସୋମଦତ୍ତ ଦାସ ଅଭିନୟ କରିଥିବା ସିରିୟଲ ଗୁ଼ଡିକ ହେଲା ସିନ୍ଦୁର ବିନ୍ଦୁ, ଦେବୀ, ଦାମିନୀ, ଦୁହିତା ଓ ଦାସି । ନେଗେଟିଭ ଓ ପଜିଟିଭ ଚରିତ୍ରରେ ଅଭିନୟ କରିବାରେ ମାହିର ଥିଲେ ସୋମଦତ୍ତ । ଓଡିଆ ଫିଲ୍ମ 'ଅଜବ ସଞ୍ଜୁର ଗଜବ ଲଭ'ରେ ମଧ୍ୟ ଅଭିନୟ କରିଥିଲେ ସୋମଦତ୍ତ ଦାସ । ଏବେ ଆଉ ପରଦାର ତାଙ୍କୁ ଦେଖିବାକୁ ମିଳିବ ନାହିଁ । ଜଣେ ଦକ୍ଷ କଳାକାରଙ୍କ ବିୟୋଗରେ ଓଡିଉଡ ଜଗତରେ ଶୋକର ଛାୟା ଖେଳାଯାଇଛି ।
ଏହା ବି ପଢନ୍ତୁ...Kirron Kher Corona: କିରନ୍ ଖେର ଅସୁସ୍ଥ, ଟ୍ୱିଟ୍ କରି ଦେଲେ ସୂଚନା