ମୁମ୍ବାଇ:ଅଭିନେତା ଶାହନଓ୍ବାଜ ପ୍ରଧାନଙ୍କ ପରଲୋକ । ଓ୍ବେବ ସିରିଜ ମିର୍ଜାପୁର ମାଧ୍ୟମରେ ସେ ଲୋକପ୍ରିୟ ହୋଇଥିଲେ । ୫୬ବର୍ଷ ବୟସରରେ ଶୁକ୍ରବାର ବିଳମ୍ବିତ ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୁମ୍ବାଇର ଧିରୁବାଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ।
ସୂଚନାଅନୁସାରେ, ଶୁକ୍ରବାର ରାତିରେ ଶାହନଓ୍ବାଜ ପ୍ରଧାନ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେହି ସମୟରେ ସେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ତଳେ ପଡିଯାଇଥିଲେ । ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମୁମ୍ବାଇର କୋକିଳାବେନ ଧିରୁବାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ପ୍ରଚେଷ୍ଟା ସତ୍ତ୍ବେ ମଧ୍ୟ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରିନଥିଲା । ଶେଷରେ ଚିର ନିଦ୍ରାରେ ଶୋଇଯାଇଥିଲେ ଅଭିନେତା ଶାହନଓ୍ବାଜ ପ୍ରଧାନ ।
ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିବା ବେଳେ ଆଜି ଅନ୍ତିମ ସଂସ୍କାର କରାଯିବ । ପ୍ରସିଦ୍ଧ କଳାକାର ଶାହନାୱାଜ ପ୍ରଧାନ 6 ଡିସେମ୍ବର 1963 ମସିହାରେ ଓଡିଶାର ନୂଆପଡା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । କିନ୍ତୁ ଶାହନାୱାଜଙ୍କୁ ୭ବର୍ଷ ହେବାପରେ ପରିବାର ଲୋକେ ନୂଆପଡା ଛାଡି ଛତିଶଗଡର ରାଜଧାନୀ ରାୟପୁର ବାସିନ୍ଦା ହୋଇଥିଲେ । ସେ ରାୟପୁରର ଏକ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢିଥିବା ବେଳେ ରବି ଶଙ୍କର ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ । ଶାହନାୱାଜ ନିଜ ପିତାମାତାଙ୍କ ଏକମାତ୍ର ପୁଅ ରହିଥିଲେ ଏବଂ ସେ ପିଲାବେଳୁ ପାଠପଢିବା ଏବଂ ଭ୍ରମଣରେ ରୁଚି ରଖିଥିଲେ ।