ମୁମ୍ବାଇ:ସଡ଼କ ଦୁର୍ଘଟଣା ହେଲା କାଳ । ଅକାଳରେ ଚାଲିଗଲା ମରାଠୀ ଅଭିନେତ୍ରୀ କଲ୍ୟାଣୀ କୁରାଲେଙ୍କ ଜୀବନ (Marathi actress Kalyani Kurale Jadhav dies) । ମରାଠୀ ଭାଷାରେ ପ୍ରସାରିତ ଟେଲିଭିଜନ ଶୋ' 'ତୁଝୟାତ ଜୀବ ରଙ୍ଗଲା' (Tujhyat Jeev Rangla) ଓ 'ଡାକାଞ୍ଚା ରାଜା ଜ୍ୟୋତିବା' (Dakkhancha Raja Jyotiba)ରୁ ସେ ଲୋକପ୍ରିୟତା ହାସଲ କରିଥିବା ବେଳେ ତାଙ୍କ ମୃତ୍ୟୁ ଖବର ପ୍ରଶଂସକଙ୍କୁ ଝଟକା ଦେଇଛି । କଲ୍ୟାଣୀ ମୃତ୍ୟୁର ୨୨ ଘଣ୍ଟା ପୂର୍ବରୁ ଏକ ସୋସିଆଲ ପୋଷ୍ଟ ମଧ୍ୟ କରିଥିଲେ, ଯାହାକି ଏବେ ଖୁବ ଭାଇରାଲ ହେଉଛି । ମାତ୍ର ୩୨ ବର୍ଷ ବୟସରେ କଲ୍ୟାଣୀଙ୍କ ଘଟିଛି ମୃତ୍ୟୁ ।
ଶନିବାର ରାତିରେ ଏହି ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି କଲ୍ୟାଣୀ । ମହାରାଷ୍ଟ୍ର କୋଲହାପୁର ଠାରେ ଏକ ଡମ୍ପର ଗାଡ଼ି ସହିତ ତାଙ୍କ କାର ଧକ୍କା ଖାଇବା ପରେ ଘଟିଛି ଏହି ଦୁର୍ଘଟଣା । କଲ୍ୟାଣୀ ଅଭିନୟ କରିବା ସହିତ ଏକ ରେସ୍ତୋରାଁ ମଧ୍ୟ ଚଲାଉଥିଲେ । ତେବେ ଶନିବାର ପ୍ରାୟ ରାତି ୧୧ଟାରେ ସେ ରେସ୍ତୋରାଁ ବନ୍ଦ କରି ଘରକୁ ଫେରୁଥିବା ବେଳେ ହଠାତ୍ ଏହି ଦୁର୍ଘଟଣାର ଶିକାର ହୋଇଥିଲେ । କଲ୍ୟାଣୀଙ୍କ ରେସ୍ତୋରାଁଟି ହଲୋଣ୍ଡିରେ ରହିଛି । ଦୁର୍ଘଟଣା ରେସ୍ତୋରାଁ ନିକଟରେ ହିଁ ଘଟିଛି । ଏନେଇ ଶିରୋଲି ଏମଆଇଡିସି ପୋଲିସ ଷ୍ଟେସନ ପକ୍ଷରୁ ସୂଚନା ଦିଆଯାଇଛି ।