ହାଇଦ୍ରାବାଦ:ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ତଥା ଲୋକସଭା ସାଂସଦ ହେମା ମାଳିନୀ । ନିକଟରେ ଆସାମର ଗଣପର୍ବ 'ବିହୁ'କୁ 'ବିହାରର ପର୍ବ' କହିଥିଲେ ହେମା ମାଳିନୀ । ଯାହାକୁ ନେଇ ଫ୍ୟାନ୍ସ ତାଙ୍କୁ ସମଲୋଚନା କରିବା ସହ ଖୁବ ଟ୍ରୋଲ୍ କରିଥିଲେ । ଘଟଣା ନେଇ ହେମା ଦୁଃଖ ପ୍ରକାଶ କରିବା ସହ କ୍ଷମା ମାଗିଛନ୍ତି ।
ଆସାମରେ ପାଳନ କରାଯାଉଥିବା ଏକ ପ୍ରମୁଖ ପର୍ବ ମଧ୍ୟରୁ ରଙ୍ଗୋଲୀ ବିହୁ ପର୍ବ ଅନ୍ୟତମ । ଏହି ପର୍ବକୁ ଆସାମର ନୂତନ ବର୍ଷ ଭାବେ ପାଳନ କରାଯାଇଥାଏ । ଏହାରି ମଧ୍ୟରେ ଅଭିନେତ୍ରୀ ହେମା ମାଳିନୀ ଭୁଲରେ ବିହୁକୁ ବିହାରର ପର୍ବ ବୋଲି କହି ଫ୍ୟାନ୍ସକୁ ଶୁଭେଚ୍ଛା ଜଣାଇଥିଲେ । ଫଳରେ ଏନେଇ ଇଣ୍ଟରନେଟ୍ ୟୁଜର୍ସମାନେ ସମାଲୋଚନା କରିବା ସହ ଟ୍ରୋଲ୍ କରିଥିଲେ । ଯାହା ପରେ ସେ ଦୁଃଖ ପ୍ରକାଶ କରିଥିଲେ ଏବଂ କ୍ଷମା ମାଗିଥିଲେ ।
ହେମା ମାଳିନୀ ତାଙ୍କ ଟ୍ବିଟର ହ୍ୟାଣ୍ଡେଲରେ ପୂର୍ବରୁ ଲେଖିଥିଲେ ଯେ, "ଏହା ବର୍ତ୍ତମାନ ଅମଳର ଋତୁ । ତାମିଜ ପୁଥଣ୍ଡୁ (ତାମିଲନାଡ଼ୁ), ବୈଶାଖୀ (ପଞ୍ଜାବ), ବିହୁ (ବିହାର) ଏବଂ ପୋହେଲା ବୈଶାଖ (ବଙ୍ଗଳା) କିଛି ପର୍ବ ପାଳନ କରାଯାଉଛି । ଆପଣ ସମସ୍ତଙ୍କୁ ଏହି ମହାନ୍ ପର୍ବର ଶୁଭେଚ୍ଛା। " ତେବେ ଆସାମର ପର୍ବ 'ବିହୁ'କୁ ବିହାରର କହିବା ପରେ ୟୁଜର୍ସ ମାନେ ଡ୍ରିମ ଗାର୍ଲଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିଥିଲେ । ଟ୍ରୋଲ ହେବା ପରେ ଅଭିନେତ୍ରୀ ତାଙ୍କ ଭୁଲ୍କୁ ବୁଝିବା ପରେ ଆଉ ଏକ ଟ୍ବିଟ୍ କରି କ୍ଷମା ପ୍ରାର୍ଥନା କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି "ଭୁଲରେ ମୁଁ ବିହୁକୁ ବିହାରରେ ପର୍ବ ବୋଲି କହିଥିଲି । ଏଥିପାଇଁ ମୁଁ ଦୁଃଖିତ ! ବିହୁ ଆସାମର ପର୍ବ ଅଟେ ।"
ଗୁରୁବାର ବିହୁ ନୃତ୍ୟ ପ୍ରଦର୍ଶନ କରି ଇତିହାସ ରଚିଛି ଆସାମ । 11,000ରୁ ଅଧିକ ନୃତ୍ୟଶିଳ୍ପୀ ଏବଂ ଡ୍ରମର୍ସ ଗୌହାଟୀର ସାରୁସଜଇ ଷ୍ଟାଡିୟମରେ ଏକତ୍ରିତ ହୋଇ ରଙ୍ଗୋଲି ବିହୁ ପର୍ବ ଅବସରରେ ନୃତ୍ୟ ପରିବେଷଣ କରିଥିଲେ । ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସାମିଲ ହୋଇଛି ଆସାମ । ଯାହା ଆସାମବାସୀଙ୍କ ପାଇଁ ଗୌରବର ବିଷୟ ଥିଲା । ଏହି ସମୟରେ ଅଭିନେତ୍ରୀଙ୍କ ଏଭଳି ଟ୍ବଟ୍ ତାଙ୍କୁ ବିବାଦକୁ ଟାଣିଛି।
ନିକଟରେ ହେମା ମାଳିନୀ ମୁମ୍ବାଇ ମେଟ୍ରୋରେ ଯାତ୍ରା କରୁଥିବା ଦେଖିବାକୁ ମିଳିଥିଲା । ଅଭିନେତ୍ରୀ ମେଟ୍ରୋ ଯାତ୍ରା କରିବାର ଅନୁଭୂତିକୁ ନିଜ ଫ୍ୟାନ୍ସଙ୍କ ସହ ବାଣ୍ଟିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହୋଇଥିଲା ।