ହାଇଦ୍ରାବାଦ:ଛବି ମିତ୍ତଲ ଟିଭି ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ । ଏହି ଅଭିନେତ୍ରୀ ଅନେକ ଟିଭି ଶୋ' ସହ ୱେବ୍ ସିରିଜ୍ ରେ ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଜିତିଛନ୍ତି । ହେଲେ ଦୀର୍ଘ ସମୟ ଧରି ଛବି ପରଦାରୁ ଦୂରରେ ରହିଛନ୍ତି । କିନ୍ତୁ ଏହି ଅଭିନେତ୍ରୀ ଗତ କିଛି ମାସ ମଧ୍ୟରେ ଅନେକଙ୍କ ପାଇଁ ଏକ ପ୍ରେରଣା ରହି ଆସିଛନ୍ତି । ବାସ୍ତବରେ ଛବି କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ସେ ଏକ ନୋଟ୍ ସେୟାର କରିଛନ୍ତି । ଏଥିରେ ଅଭିନେତ୍ରୀ ପ୍ରଶଂସକ ଏବଂ ଫଲୋର୍ସଙ୍କ ସହ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ କହିଛନ୍ତି ।
ଛବି ସ୍ତନ କର୍କଟରେ ଆକ୍ରାନ୍ତ ହେବା ପରେ ସେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ । ଏହାପରେ ସେ ତାଙ୍କର କର୍କଟ ରୋଗ ନିର୍ଣ୍ଣୟ, ଅସ୍ତ୍ରୋପଚାର ଏବଂ ପୁନରୁଦ୍ଧାର ପ୍ରକ୍ରିୟାର ପ୍ରତ୍ୟେକ ବିବରଣୀ ଫ୍ୟାନ୍ସଙ୍କ ସହ ସେୟାର କରନ୍ତି । ବର୍ତ୍ତମାନ ଛବି ମିତ୍ତଲ ନିଜ ଇନ୍ଷ୍ଟାଗ୍ରାମରେ ଏକ ଲମ୍ବା ନୋଟ୍ ସେୟାର କରିଛନ୍ତି । ଏହି ନୋଟ୍ରେ ଅଭିନେତ୍ରୀ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏଥିସହ ଅଭିନେତ୍ରୀ କିପରି ଯନ୍ତ୍ରଣା ସହ୍ୟ କରୁଛନ୍ତି ତାହା ମଧ୍ୟ ଉଲ୍ଲେଖ କରିଛନ୍ତି ଏବଂ ଏହି ପରିସ୍ଥିତି ଦେଇ ଗତି କରିଥିବା ସମସ୍ତ କର୍କଟ ରୋଗୀଙ୍କ ମଧ୍ୟ ପ୍ରଶଂସା କରିଛନ୍ତି ।
ଛବି ନୋଟରେ ଲେଖିଛନ୍ତି, "ସ୍ତନ କର୍କଟ କାରଣରୁ ଚିକିତ୍ସା ଆରମ୍ଭ ହୋଇଥିଲା, ଯାହାର ଏକ ମୁଖ୍ୟ ଅଂଶ ହେଉଛି ଟୈମୋସିଫେନ୍ ଯାହା ମୋତେ ପ୍ରତିଦିନ 10 ବର୍ଷ ନେବାକୁ ପଡିବ । ଟୈମୋକ୍ସିଫେନ୍ ହରମୋନ୍ ପରିବର୍ତ୍ତନ କରେ ଏବଂ ଏଥିସହ ଆହୁରି ବହୁତ କିଛି ପରିବର୍ତ୍ତନ ହୁଏ । ହାଡର ଘନତ୍ୱ ସହ ମିନେରାଲ୍ ନଷ୍ଟ ହୋଇଯାଇଥାଏ । ଏହି କାରଣରୁ ହାଡ଼ ଫ୍ୟାକ୍ଚର ହେବାର ସମ୍ଭାବନା ରହିଥାଏ । ଯେପରି ମୋର ଗୋଡ ହୋଇଥିଲା । ଏହାର ଚିକିତ୍ସା ଏକ ଇଞ୍ଜେକ୍ସନ୍, ଯାହା ମୁଁ ଦୁଇ ଦିନ ପୂର୍ବରୁ ନେଇଥିଲି ଏବଂ ସେହି ଇଞ୍ଜେକ୍ସନ୍ର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଅଛି ।