ହାଇଦ୍ରାବାଦ:ତାଙ୍କ କଣ୍ଠରେ ଥିଲା ଯାଦୁ । ତାଙ୍କ ସ୍ବରର ପ୍ରତିଟି ଗୀତ ଅନେକ ହୃଦୟକୁ ଯୋଡିଛି ତ ପୁଣି ବିରହ ବେଦନାରେ ପ୍ରେମରେ ବିଫଳ ହେବାର ସେ କଷ୍ଟକୁ ବଖାଣିଛି । ସୁମଧୁର ସ୍ବରରେ ସଙ୍ଗୀତର ମାହୋଲ ତିଆରି କରୁଥିବା ସେହି ପ୍ରସିଦ୍ଧ ବଲିଉଡ କଣ୍ଠଶିଳ୍ପୀ ଆଉ କେହି ନୁହନ୍ତି କେକ ଓରଫ କିଷ୍ଣକୁମାର କୁନ୍ନଥ । ଆଜି ସେ ନାହାନ୍ତି । ଅବେଳରେ ଅଦିନରେ କେକେ ଦୁନିଆକୁ ଅଲବିଦା କହିବାକୁ ଆଜି ଗୋଟିଏ ବର୍ଷ ହୋଇଛି । ହେଲେ ସେ ଆଜି ବି ସମସ୍ତଙ୍କ ମନରେ ଘର କରିଛନ୍ତି । ଆଜି ବି ଲୋକ କେକେ ଓରଫ କିଷ୍ଣକୁମାର କୁନ୍ନଥଙ୍କ ଗୀତକୁ ଶୁଣି ହଜିଯାଆନ୍ତି କେଉଁ ଅଜଣା ଦୁନିଆରେ ।
2022 ମେ 31 । ଦିନଟି ସମଗ୍ର ବଲିଉଡ ସଙ୍ଗୀତ ଜଗତ ପାଇଁ କଳାଦିନ ଥିଲା । ରାତି ପ୍ରାୟ ସାଢେ 11ଟା ହେବ । ଅଚାନକ ତୀବ୍ର ଗତିରେ ଖବର ବ୍ୟାପି ଯାଇଥିଲେ ବଲିଉଡ ଗାୟକ କେକେ ଆଉ ନାହାନ୍ତି । ଆଉ ତା ପରେ ସ୍ତବ୍ଧ ସମଗ୍ର ସଙ୍ଗୀତ ଜଗତ । ନୀରବ କେକଙ୍କୁ ଭଲ ପାଉଥିବା ପ୍ରତିଟି ସଙ୍ଗୀତ ପ୍ରେମୀ । ମାତ୍ର 53 ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଥିଲେ କେକେ । ଯେଉଁ ସଙ୍ଗୀତ ପାଇଁ ପରିଚୟ, ପ୍ରଶଂସା ସାଉଁଟିଥିଲେ ସେହି ଗୀତ ପରିବେଶଷ କରୁ କରୁ ହିଁ ଦୁନିଆରୁ ବିଦାୟ ନେଇଥିଲେ କେକେ ।
କୋଲକାତାରେ ଏକ କାର୍ଯ୍ୟକ୍ରମରେ ମଞ୍ଚରେ ଗୀତ ପରିବେଶଣ କରିବା ପରେ ସେ ହୋଟେଲକୁ ଫେରିଥିଲେ । ଏହା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନିଆଯାଇଥିଲା । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତାଙ୍କ ଦେହାନ୍ତ କଳା ଜଗତ ସ୍ତବ୍ଧ କରି ଦେଇଥିଲା । କେକେଙ୍କ ବିୟୋଗକୁ ଶ୍ରୋତାଙ୍କ ବିଶ୍ବାସ କରିବା ଅସମ୍ଭବ ହୋଇଯାଇଥିଲା । ଆଜି କେକେଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ହେଲେ ଆଜି ତାଙ୍କ ଅନୁପସ୍ଥିତିକୁ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପ୍ରଶଂସକଙ୍କଠୁ ନେଇ ସାଙ୍ଗସାଥୀ ।