ମୁମ୍ବାଇ:ଅଦା ଶର୍ମାଙ୍କ ଫିଲ୍ମ 'ଦ କେରଳ ଷ୍ଟୋରୀ' ଲୋକପ୍ରିୟତା ହାସଲ କରିବାରେ ଲାଗିଛି । ବିବାଦ ପରେ ବି କମିନି ଫିଲ୍ମର କ୍ରେଜ୍ । ସଫଳତାର ସହ ଫିଲ୍ମର ଆୟ ବୃଦ୍ଧି ପାଇବାରେ ଲାଗିଛି । ଖୁବଶୀଘ୍ର ଫିଲ୍ମ 100କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ପ୍ରାଥମିକ ଆକଳନ ଅନୁଯାୟୀ, ଫିଲ୍ମ ଅଷ୍ଟମ ଦିନରେ 12.50 କୋଟି ଟଙ୍କା ବ୍ୟବସାୟ କରି ମୋଟ 93କୋଟିରୁ ଅଧିକ ଆୟ କରିବାରେ ସଫଳ ହୋଇଛି । ଫିଲ୍ମଟି ଆଗାମୀ ଗୋଟିଏ କିମ୍ବା ଦୁଇ ଦିନରେ ଏହା 100 କୋଟି କ୍ଲବରେ ସାମିଲ ହେବ ବୋଲି କୁହାଯାଉଛି ।
ମେ 5ରେ 'ଦ କେରଳ ଷ୍ଟୋରୀ' ରିଲିଜ୍ ହେବାପରେ ପ୍ରଥମ ଦିନରେ 8.03 କୋଟି ଟଙ୍କାରେ ଓପେନିଂ ଆୟ କରିଥିଲା । । ମେ 6 (ଦ୍ବିତୀୟ ଦିନ) ଏହା 11.22 କୋଟି ଟଙ୍କା, ମେ 7 (ତୃତୀୟ ଦିନ)16.40 କୋଟି ଟଙ୍କା ଆୟ କରିଥିଲା । ସେହିପରି ମେ 8 (4ର୍ଥ ଦିନ)ରେ 10.07 କୋଟି ଟଙ୍କା, ମେ 9 (5ମ ଦିନ) 11.14 କୋଟି ଏବଂ ମେ 10 (ଷଷ୍ଠ ଦିନ) 12 କୋଟି, ମେ 11 (ସପ୍ତମ ଦିନ) 12.50 କୋଟି ଏବଂ ମେ 12 (ଅଷ୍ଟମ ଦିନ) 12.50 କୋଟି ଟଙ୍କା ଆୟ କରିଛି । ଫିଲ୍ମର ମୋଟ ଆୟ 93.86 କୋଟି ଟଙ୍କା ହୋଇଛି ।
ସୂଚନା ଅନୁସାରେ, 'ଦ କେରଳ ଷ୍ଟୋରୀ' ଖୁବଶୀଘ୍ର ସଲମାନ ଖାନ୍ଙ୍କ ଅଭିନୀତ ଫିଲ୍ମ କିସି କା ଭାଇ କିସି କି ଜାନଙ୍କୁ ପଛରେ ପକାଇ ଅଧିକ ଆୟ କରିବାରେ ସଫଳ ହେବ ବୋଲି ଆକଳନ କରାଯାଉଛି । କିସି କା ଭାଇ କିସି କି ଜାନ୍ ଫିଲ୍ମ କେବଳ 107.71 କୋଟି ହିଁ ଆୟ କରିପାରିଛି। ଏହା ପୂର୍ବରୁ ଅଜୟ ଦେବଗନଙ୍କ ଅଭିନୀତ ଭୋଲା (82.04କୋଟି ଟଙ୍କା), ଅକ୍ଷୟ କୁମାରଙ୍କ ଫିଲ୍ମ ସେଲ୍ଫି (16.85 କୋଟି ଟଙ୍କା) ଏବଂ କାର୍ତ୍ତିକ ଆର୍ଯ୍ୟନ ଅଭିନୀତ ଶେହଜାଦା (32.20 କୋଟି ଟଙ୍କା) ଆୟ କରିଥିଲା । ତେବେ ଫିଲ୍ମ ଦ କେରଳ ଷ୍ଟୋରୀ ଏହି ସବୁ ଫିଲ୍ମକୁ ପଛରେ ପକାଇ 100 କୋଟି ଅତିକ୍ରମ କରି ସଫଳତା ହାସଲ କରିବାକୁ ଯାଉଛି ।
ସୂଚନା ଥାଉ କି, ଫିଲ୍ମଟି ମେ 5'ରେ ରିଲିଜ କରିଥିଲା । ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶରେ ଫିଲ୍ମ ଉପରେ ଟ୍ୟାକ୍ସ ଫ୍ରି' କରାଯାଇଥିବା ବେଳେ ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ବ୍ୟାନ୍ କରାଯାଇଥିଲା । ଏନେଇ ବର୍ତ୍ତମାନ ସୁପ୍ରିମକୋର୍ଟ ଏହି ଫିଲ୍ମକୁ ନେଇ ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ସରକାରଙ୍କୁ ନୋଟିସ ପଠାଇଛନ୍ତି । ଦୁଇ ରାଜ୍ୟରେ ଫିଲ୍ମ ଉପରେ ବ୍ୟାନ୍ର କାରଣ ପଚାରି କୋର୍ଟ ଉତ୍ତର ମାଗିଛନ୍ତି ।
ସୁଦିପ୍ତୋ ସେନ୍ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଭିପୁଲ ଅମୃତଲାଲ ଶାହାଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ଅଦା ଶର୍ମା, ଯୋଗିତା ବିହାନୀ, ସିଦ୍ଧ ଇଡନୀ ଏବଂ ସୋନିଆ ବାଲାନି ପ୍ରମୁଖ ଅଭିନୟ କରିଛନ୍ତି । ସେନ୍ଙ୍କ ଫିଲ୍ମ କେରଳ ଷ୍ଟୋରୀର ଟ୍ରେଲରରେ ରାଜ୍ୟର 32,000 ଯୁବତୀ ନିଖୋଜ ହୋଇଯାଇଥିଲେ ଏବଂ ପରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସରେ ଯୋଗ ଦେଇଥିବା ଦର୍ଶାଯାଇଥିଲା । ଯାହାକୁ ନେଇ ସମାଲୋଚନା କରାଯିବା ସହ ବିବାଦ ସୃଷ୍ଟି ହୋଇଥିଲା ।