ମୁମ୍ବାଇ:ଏବେ ବି ରହସ୍ୟ ଘେରରେ ରହିଛି ବଲିଉଡ଼ର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ । ଯେତେବେଳେ ସେ ସଫଳତାର ଶୀର୍ଷରେ ରହିଥିଲେ, ଠିକ ସେତିକି ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁଃଖଦ ଖବର ଅଭିନେତାଙ୍କ ପ୍ରଶଂସକଙ୍କ ସମେତ ସାରା ଦେଶକୁ ଦୋହଲାଇ ଦେଇଥିଲା । ସାଥୀ କଳାକାର ଓ ବଲିଉଡ଼ ହତବାକ୍ ହୋଇପଡ଼ିଥିଲା । ଆଜି ତାଙ୍କ ଜନ୍ମ ବାର୍ଷିକୀ ହୋଇଥିବା ବେଳେ ତାଙ୍କ ମୃତ୍ୟକୁ ନେଇ ଲଞ୍ଚ ହୋଇଛି ' Who Killed SSR ?' ପୁସ୍ତକ । ନୂଆଦିଲ୍ଲୀରେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ଶନିବାର ସନ୍ଧ୍ୟାରେ ଏହି ପୁସ୍ତକକୁ ଲଞ୍ଚ କରିଛନ୍ତି ।
ରହସ୍ୟଘେରରେ ସୁଶାନ୍ତଙ୍କ ମୃତ୍ୟୁ:-୧୯୮୬ ମସିହା ଜାନୁଆରୀ ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ଏହି ବିଶିଷ୍ଟ ଅଭିନେତା । ପାଠପଢା ସାଙ୍ଗକୁ ଅଭିନୟରେ ମଧ୍ୟ ସେ ବେଶ ଧୁରନ୍ଧର ଥିଲେ । ମାତ୍ର ୨୦୨୦ ମସିହା ଜୁନ ୧୪ ତାରିଖରେ ଆସିଥିଲା ତାଙ୍କର ମୃତ୍ୟୁ ଖବର । ସେ କେବେ ହେଲେ ଆତ୍ମହତ୍ୟା କରିପାରିବେ ନାହିଁ ବୋଲି ତାଙ୍କ ପରିବାର ଓ ସହ-କଳାକାର ଦାବି କରୁଥିଲେ । ହେଲେ ଆଜି ପର୍ଯ୍ୟନ୍ତ ମଧ୍ୟ ତାଙ୍କ ମୃତ୍ୟୁର ରହସ୍ୟ ଉପରୁ ପରଦା ଉଠିପାରି ନାହିଁ । ଅଭିନେତାଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ଏବେ ବି ଅସ୍ପଷ୍ଟ । ସେପଟେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରିଥିବା କପୁର ହସ୍ପିଟାଲର କର୍ମଚାରୀଙ୍କ ନିକଟରେ ଦେଇଥିବା ବୟାନକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । ସେ ଯେତେବେଳେ ଅଭିନେତାଙ୍କ ମୃତଦେହ ଦେଖିଥିଲେ, ତାଙ୍କୁ ହତ୍ୟା କରାଯାଇଥିଲା ବୋଲି ସେ ସନ୍ଦେହ କରିଥିଲେ । ଏ ନେଇ ସେ ସ୍ପଷ୍ଟ ଭାବେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି । ଏହାପରେ ଅଭିନେତାଙ୍କ ମୃତ୍ୟକୁ ନେଇ ସନ୍ଦେହ ଅଧିକ ଘନେଇଛି ।