ନ୍ୟୁୟର୍କ: ସେଲିବ୍ରିଟି ସେଫ୍ ବିକାଶ ଖାନ୍ନା ନ୍ୟୁୟର୍କ ସହରର ପ୍ରତିଷ୍ଠିତ ଟାଇମ୍ସ ସ୍କୋୟାରରେ ଓଡିଶାର ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଚକ୍ରର ପ୍ରତିକୃତି ଉନ୍ମୋଚନ କରିଛନ୍ତି । ସ୍ବାଧୀନତା ଦିବସ ଅବସର (ଅଗଷ୍ଟ 15)ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନ୍ୟୁୟର୍କ କନସୁଲେଟ୍ ଜେନେରାଲ୍ ରଣଧୀର ଜୟସଓ୍ବାଲ, ଇଣ୍ଡୋ ଆମେରିକାନ୍ ଆର୍ଟସ କାଉନସିଲ୍ ଏବଂ ଭାରତୀୟ-ଆମେରିକୀୟମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଏହାକୁ ନେଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ବିକାଶ ଖାନ୍ନା ।
ଉଲ୍ଲେଖନୀୟ ଯେ, ଓଡ଼ିଶାର ଲଲିତଗିରି ଗାଁର ଅନେକ କଳାକାର କୋଣାର୍କ ପ୍ରତିକୃତି ଉପରେ ମାସ ମାସ ଧରି କାମ କରିଛନ୍ତି, ଯାହା ବାଲୁକା ପଥରରେ ନିର୍ମିତ ଏବଂ ଏହାର ଓଜନ ପ୍ରାୟ 4,000 ପାଉଣ୍ଡ । ଖାନ୍ନା ଏହା ପୂର୍ବରୁ ଟ୍ୱିଟ କରି ଜଣାଇଥିଲେ କି, “ଯେତେବେଳେ ମୁଁ ପ୍ରାୟ ପାଞ୍ଚ ବର୍ଷ ଧରି ଏହି ମୁହୂର୍ତ୍ତ ବିଷୟରେ ସ୍ୱପ୍ନ ଦେଖୁଥିଲି ଏବଂ ଏହାର କଳ୍ପନା କରୁଥିଲି, ଭାରତରେ କାର୍ଯ୍ୟ କରୁଥିବା ପ୍ରତିଭାଶାଳୀ କଳାକାରମାନେ ଏହାକୁ ଜୀବନ୍ତ କରିବା ପାଇଁ ଅନେକ ମାସ ଧରି ଦିନରାତି ପରିଶ୍ରମ କରୁଥିଲେ । ଏହା ଏକ ଯାଦୁକରୀ ମୁହୂର୍ତ୍ତ ହେବ ! ” 2024ରେ ଖାନ୍ନାଙ୍କ ଆଗାମୀ ନ୍ୟୁୟର୍କ ସିଟି ରେସ୍ତୋରାଁରେ କଳା ପ୍ରତିକୃତିକୁ ଭାରତୀୟ ପ୍ରବାସୀ ଏବଂ ଆମେରିକା ମଧ୍ୟରେ ଏକତାର ପ୍ରତୀକ ଭାବରେ ପ୍ରଦର୍ଶିତ କରାଯିବ ।
ଏହା ମଧ୍ୟ ପଢନ୍ତୁ: Gadar 2 BO Collection day 5: ସିନେମା ଇତିହାସରେ କଲା ନୂଆ ରେକର୍ଡ, 200 କୋଟି କ୍ଲବରେ ସାମିଲ
ନ୍ୟୁୟର୍କରେ ସେଫ୍ ବିକାଶ ଖାନ୍ନା
ଖାନ୍ନା କହିଥିଲେ ଯେ, ‘‘ଓଡିଶାର ସୁନାମଧନ୍ୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କୋଣାର୍କ ଚକ୍ରର ଯେଉଁ ବାଲୁକା କଳା ତିଆରି କରିଥିଲେ, ସେଥିରେ ମୁଁ ଅନୁପ୍ରାଣିତ ହୋଇଛି ।’’ ଉନ୍ମୋଚନ ହେବାର ଏକ ଭିଡିଓରେ ପ୍ରତିକ୍ରିୟା ଦେଇ ପଟ୍ଟନାୟକ (ପୂର୍ବ ଟ୍ୱିଟର) ରେ ଲେଖିଛନ୍ତି, “ଭାରତୀୟ ସ୍ୱାଧୀନତା ଦିବସ ଅବସରରେ ଟାଇମ୍ ସ୍କୋୟାରରେ ବିଶ୍ୱ ଐତିହ୍ୟ ସ୍ମାରକୀ କୋଣାର୍କ ଚକ୍ରର ପ୍ରତିକୃତି ଉନ୍ମୋଚନ କରି ଆପଣ ଇତିହାସ ସୃଷ୍ଟି କରିଛନ୍ତି । ଏହା ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ । ଭାରତୀୟ କଳା ଓ ସଂସ୍କୃତିର ପ୍ରଚାରରେ ଯୋଗଦାନ ପାଇଁ ପୁଣିଥରେ ଧନ୍ୟବାଦ ।”
ନ୍ୟୁୟର୍କରେ ସେଫ୍ ବିକାଶ ଖାନ୍ନା
ପୁରୀର କୋଣାର୍କରେ 13 ତମ ଶତାବ୍ଦୀର ସୂର୍ଯ୍ୟ ମନ୍ଦିର ଭାରତର ବିଭିନ୍ନ ସ୍ଥାନ ତଥା ବିଦେଶରୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସୁଛି । ତେବେ ଯେଉଁ ଆମେରିକୀୟମାନେ ଏପର୍ଯ୍ୟନ୍ତ କୋଣାର୍କ ପରିଦର୍ଶନ କରିନାହାଁନ୍ତି, ସେମାନେ ମନ୍ଦିରର ସ୍ଥାପତ୍ୟ ଡିଜାଇନ୍ ବିଷୟରେ ଧାରଣା ପାଇବେ । 77 ତମ ସ୍ୱାଧୀନତା ଦିବସ ଅବସରରେ ଭାରତୀୟ ପ୍ରଭାସୀ ବହୁ ସଂଖ୍ୟାରେ ଏକାଠି ହୋଇଥିଲେ । ଏଥିରେ ଲୋକମାନେ ପାରମ୍ପାରିକ ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଦେଶଭକ୍ତ ଗୀତ ଗାନ କରାଯାଇଥିଲା ।