ହାଇଦ୍ରାବାଦ: ପ୍ରସିଦ୍ଧ ତାମିଲ ଇଣ୍ଡଷ୍ଟ୍ରି ଅଭିନେତା ତଥା ସଙ୍ଗୀତକାର ବିଜୟ ଆଣ୍ଟୋନିଙ୍କ ଝିଅ ମୀରାଙ୍କ ଦେହାନ୍ତ ହୋଇଛି । 19 ସେପ୍ଟେମ୍ବର ମଙ୍ଗଳବାର ଦିନ ଚେନ୍ନାଇ ସ୍ଥିତ ତାଙ୍କ ଘରେ ମୀରା ଜୀବନ ହାରିଥିବା ଖବର ମିଳିଛି । ମୃତ୍ୟୁ ବେଳକୁ ମୀରାଙ୍କୁ 16 ବର୍ଷ ବୟସ ହୋଇଥିଲା । ଖବର ଅନୁଯାୟୀ, ସକାଳ 3ଟା ସମୟରେ ଚେନ୍ନାଇର ତେନାମ୍ପେଟ୍ ଅଞ୍ଚଳରେ ମୀରାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ପରିବାର ଲୋକେ ସଙ୍ଗେସଙ୍ଗେ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ସମ୍ପର୍କରେ ବିଜୟ ଏବଂ ତାଙ୍କ ପରିବାର ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହାଁନ୍ତି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିଜୟଙ୍କ ଝିଅ ମୀରା ମାନସିକ ଚାପ ବା ଡିପ୍ରେସନରେ ଥିଲେ ଏବଂ ଏଥିପାଇଁ ସେ ଚିକିତ୍ସିତ ହେଉଥିଲେ । ସେ ଚେନ୍ନାଇର ଏକ ଘରୋଇ ବିଦ୍ୟାଳୟରେ ପଢ଼ୁଥିଲେ । ତେବେ ଡିପ୍ରେସନ୍ର ପ୍ରକୃତ କାରଣ କ’ଣ ତାହା ବର୍ତ୍ତମାନ ସୁଦ୍ଧା ଯାଏ ଜଣାପଡିନାହିଁ ବୋଲି ପୋଲିସ ଅଧିକାରୀମାନେ ସୂଚନା ଦେଇଛନ୍ତି । ମୀରା ନିଜ କୋଠରୀରେ ଝୁଲୁଥିବା ତାଙ୍କ ପରିବାର ଲୋକେ ଦେଖିବାକୁ ପାଇଥିଲେ । ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ପୋଲିସ ଅଧିକାରୀମାନେ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି ।