ମୁମ୍ବାଇ:ଫିଲ୍ମ 'ଜରା ହଟକେ ଜରା ବଚକେ'କୁ ନେଇ ଚର୍ଚ୍ଚାରେ ବଲିଉଡ ଅଭିନେତା ବିକି କୌଶଲ ଏବଂ ଅଭିନେତ୍ରୀ ସାରା ଅଲି ଖାନ । ପୂର୍ବରୁ ଫିଲ୍ମରୁ ଉଭୟଙ୍କ ପ୍ରଥମ ଲୁକ୍ ଆଉଟ ହୋଇଥିବା ବେଳେ ବର୍ତ୍ତମାନ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ବଡ଼ ପରଦାରେ ବିକି ଏବଂ ସାରାଙ୍କୁ ଏକାଠି ସ୍କ୍ରିନ ସେୟାର କରୁଥିବା ଦେଖିବାକୁ ମିଳିବ । ଫିଲ୍ମର ଟ୍ରେଲର ଦମଦାର ରହିଥିବା ବେଳେ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ସାମ୍ନାକୁ ଆସିଛି । ଏହି ଫିଲ୍ମ ଚଳିତବର୍ଷ ଜୁନ୍ 2ରେ ରିଲିଜ ହେବ।
ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ଏହି ଫିଲ୍ମର 2.20 ମିନିଟର ଟ୍ରେଲରରୁ ଜଣାପଡିଛି ଯେ ଫିଲ୍ମଟି ଏକ ଫ୍ୟାମିଲି ରୋମାଣ୍ଟିକ ଡ୍ରାମା କମେଡି ଫିଲ୍ମ । ଏହି ଫିଲ୍ମଟି ଇନ୍ଦୋରର ଜଣେ ମଧ୍ୟବିତ୍ତ ପରିବାରର ଦମ୍ପତିଙ୍କ ଖଟାମିଠା ମନାନ୍ତର ଉପରେ ନିର୍ମିତ । ଯେତେବେଳେ ଆବଶ୍ୟକତା ବଢ଼ିଯାଏ ସେତେବେଳେ ଭଲପାଇବା କାମରେ ଆସନେି । ତାହା ଟ୍ରେଲରରେ ଦର୍ଶାଯାଇଛି । ଏହି ଫିଲ୍ମର କାହାଣୀ ଇନ୍ଦୋରର ଜଣେ ମଧ୍ୟବିତ୍ତ ବିବାହିତ ଦମ୍ପତିଙ୍କ ବିଷୟରେ ଲେଖାଯାଇଛି।
ପୂର୍ବରୁ ମ୍ୟାଡକ୍ ଫିଲ୍ମସ୍ ଏହାର ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ 'ଜରା ହଟକେ ଜରା ବଚ୍କେ'ର ପୋଷ୍ଟର ରିଲିଜ କରିଥିଲା । ଯେଉଁଥିରେ ବିକି ଏବଂ ସାରାଙ୍କ ମହାନ ରୋମାଣ୍ଟିକ ଫଟୋ ଦେଖିବାକୁ ମିଳିଥିଲା । ନିର୍ମାତାମାନେ ଫିଲ୍ମର ଦୁଇଟି ରୋମାଣ୍ଟିକ ଏବଂ ସୁନ୍ଦର ପୋଷ୍ଟର ସେୟାର କରିଥିଲେ । ଆଜି ସୋସିଆଲ ମିଡିଆରେ ଫିଲ୍ମର ଟ୍ରେଲର ରିଲିଜ କରିଛି । ମେ' 16ରେ କୌଶଲଙ୍କ ଜନ୍ମଦିନ ପୂର୍ବରୁ ସୋମବାର ଦିନ ଏହି ଟ୍ରେଲର ରିଲିଜ ହୋଇଛି । ଶରୀବ ହାଶ୍ମିଙ୍କ ଅଭିନୀତ 'ଜରା ହଟକେ ଜରା ବଚକେ' ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଲକ୍ଷ୍ମଣ ଉତ୍ତେକର। ଇନ୍ଦୋରରେ ଏହି ଫିଲ୍ମର ସୁଟିଂ ହୋଇଛି । 'ଜରା ହଟକେ ଜରା ବଚକେ' ମୈତ୍ରେ ବାଜପାୟୀ, ରମିଜ ଇଲହାମ ଖାନ ଏବଂ ଲକ୍ଷ୍ମଣ ରଚନା କରିଛନ୍ତି ।
ବିକିଙ୍କୁ କପିଲ ଭୂମିକାରେ ଏବଂ ସାରା ଏହି ଫିଲ୍ମରେ ସୌମ୍ୟା ଭୂମିକାରେ ନଜର ଆସିଛନ୍ତି । ଦୁହିଁଙ୍କ ମଧ୍ୟରେ ମତଭେଦ ଯୋଗୁଁ ଉଭୟ ଉଭୟଙ୍କୁ ଛାଡ଼ପତ୍ର ଦେବାକୁ ଚାହୁଁଛନ୍ତି । କପିଲ ଏବଂ ସୌମ୍ୟାଙ୍କ ଛାଡ଼ପତ୍ର ଖବର ସମଗ୍ର ପରିବାରକୁ ଚକିତ କରିଛି । ବର୍ତ୍ତମାନ ଏହି ମଧ୍ୟବିତ୍ତ ଦମ୍ପତି କିପରି ଜୀବନ ବିତାଉଛନ୍ତି, ତାହା ହିଁ ଫିଲ୍ମରେ ଦର୍ଶା ଯାଇଛି । ତିନି ବର୍ଷ ପରେ ସାରାଙ୍କ ଫିଲ୍ମ 'ଜରା ହଟକେ ଜରା ବଚକେ' ରିଲିଜ ହେବ । ତାଙ୍କର ଶେଷ ଫିଲ୍ମ 2020 ରେ 'ଲଭ ଆଜ କଲ୍' ରିଲିଜ୍ ହୋଇଥିଲା । ଯାହା ପରେ ସେ ଡିଜିଟାଲ୍ ରିଲିଜ୍ ହୋଇଥିବା କୁଲି ନମ୍ବର 1, ଅତରଙ୍ଗି ରେ ଏବଂ ଗ୍ୟାସ୍ ଲାଇଟ୍ରେ ଅଭିନୟ କରିଥିଲେ । ଜରା ହଟକେ ଜରା ବଚକେ ଏକ ରୋମାଣ୍ଟିକ ଡ୍ରାମା ଫିଲ୍ମ । ତେବେ ଏହି ଫିଲ୍ମ ଚଳିତବର୍ଷ ଜୁନ୍ 2ରେ ରିଲିଜ ହେବ ।