ମୁମ୍ବାଇ:ବଲିଉଡର ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ(Veteran actor Vikram Gokhale) ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିଛି । ତାଙ୍କର ମୃତ୍ୟୁ ହୋଇନାହିଁ । ସୋସିଆଲ ମିଡିଆରେ ଅଭିନେତା ଗୋଖଲେଙ୍କ ମୃତ୍ୟୁ ସମ୍ପର୍କିତ ଖବରକୁ ତାଙ୍କ ପରିବାର ଲୋକେ ଖଣ୍ଡନ କରିଛନ୍ତି । ବିକ୍ରମ ଗୋଖଲେ ପୁଣେ ସ୍ଥିତ ଦିନାନାଥ ମଙ୍ଗେସକର ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଏବେ ସେ କୋମାରେ ଅଛନ୍ତି । ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଛି । ତେଣୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଅଭିନେତାଙ୍କ ଝିଅ ନିବେଦନ କରିଛନ୍ତି ।
ସୂଚନା ମୁତାବକ, ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ ହୋଇଯାଇଥିବା ଗତକାଲି ରାତିରେ ସୋସିଆଲ ମିଡିଆରେ ପ୍ରଚାରିତ ହୋଇଥିଲା । ଏପରିକି ମହାରାଷ୍ଟ୍ର ସରକାରଙ୍କ MAHA INFO CENTRE ଟ୍ବିଟର ହ୍ୟାଣ୍ଡେଲରେ ଅଭିନେତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ହେଲେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଆଜି ସକାଳୁ କିଛି ନ୍ୟୁଜ ଏଜେନ୍ସିରେ ଖବର ପ୍ରକାଶ ପାଇଥିଲା ଏବଂ ତାଙ୍କ ଝିଅ ଏହି ସୂଚନା ଦେଇଥିବା କୁହାଯାଇଥିଲା । ତେବେ ପ୍ରକୃତ ସତ୍ୟାସତ୍ୟ ଯାଞ୍ଚ ନକରି ରାଜ୍ୟ ସରକାରୀଙ୍କ ସରକାରୀ ଟ୍ବିଟର ଆକାଉଣ୍ଟରୁ ଏହି ଭେଟେରାନଙ୍କ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯିବା ଘଟଣାକୁ ସମାଲୋଚନା କରାଯାଇଛି ।