ନୂଆଦିଲ୍ଲୀ:ଭାରତରେ ଚାଲୁଥିବା OTT ପ୍ଲାଟଫର୍ମକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କଡା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ଭାରତୀୟ ସମାଜ ଏବଂ ସଂସ୍କୃତିକୁ ଖରାପ ଢଙ୍ଗରେ ଚିତ୍ର କରୁଥିବା କୌଣସି ବିଷୟବସ୍ତୁକୁ ସରକାର ବରଦାସ୍ତ କରିବେ ନାହିଁ । ବିଷୟବସ୍ତୁ ନିୟନ୍ତ୍ରଣ ସହ ଜଡିତ ସମସ୍ୟାର ସମାଧାନ ପାଇଁ (ଓଟିଟି) ପ୍ଲାଟଫର୍ମର ବରିଷ୍ଠ ଅଧିକାରୀଙ୍କ ସହ ମଙ୍ଗଳବାର ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ମନ୍ତ୍ରୀ ଏହା ପ୍ରକାଶ କରିଛନ୍ତି ।
ଭାରତୀୟ ସମାଜ ଏବଂ ସଂସ୍କୃତିର ଅପମାନକୁ ବନ୍ଦ କରିବା ଉପରେ ଗୁରୁତ୍ୱ ଦେଇ କ୍ରିଏଟିଭ୍ ଫ୍ରିଡମ୍ ଏବଂ ଦାୟିତ୍ୱହୀନ ବିଷୟବସ୍ତୁ ମଧ୍ୟରେ ସନ୍ତୁଳନ ସୃଷ୍ଟି କରିବା ଏହି ସଭାର ଉଦ୍ଦେଶ୍ୟ ଥିଲା । ସୃଜନଶୀଳ ସ୍ବତନ୍ତ୍ରତା ନାମରେ ଭାରତୀୟ ସଂସ୍କୃତି ଏବଂ ସମାଜକୁ ସରକାର ଅପମାନିତ ହେବାକୁ ଦେବେ ନାହିଁ । ଏହି ବୈଠକରେ ଜଡିତ ଅନ୍ୟମାନେ କହିଛନ୍ତି ଯେ OTT ପ୍ଲାଟଫର୍ମଗୁଡିକର ଉଲ୍ଲଙ୍ଘନ, ଅଭିଯୋଗର ସମାଧାନ କରିବା ପାଇଁ ଦଣ୍ଡବିଧାନ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଛି ।
ଭାରତୀୟ ଧର୍ମ ଓ ପରମ୍ପରାକୁ ଅନେକ ସମୟରେ OTTରେ ଭୁଲ ଭାବରେ ଦର୍ଶାଯାଇଛି । ଅଶ୍ଳୀଳତା, ହିଂସା, ଅନାବଶ୍ୟକ ବିଷୟବସ୍ତୁ ଏବଂ OTT ବିଷୟବସ୍ତୁରେ ଭାରତୀୟ ଧର୍ମ ଏବଂ ପରମ୍ପରାର ନକରାତ୍ମକ ଚିତ୍ରଣକୁ ନେଇ କେନ୍ଦ୍ରମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ଏହି ପ୍ରସଙ୍ଗରେ ଆଲୋଚନା କରି ସେ କହିଛନ୍ତି ଯେ, ଭାରତୀୟ ସମାଜ ତଥା ସଂସ୍କୃତିକୁ ଅପମାନିତ କରୁଥିବା ପ୍ରଚାର ଏବଂ ଆଦର୍ଶଗତ ପକ୍ଷପାତ ପାଇଁ OTT ପ୍ଲାଟଫର୍ମ କାହିଁକି ବ୍ୟବହାର କରାଯାଉଛି ? ଏଥିସହ ଏଥିରେ କିପରି ସୁଧାର ଆଣିହେବ ସେନେଇ 15 ଦିନ ମଧ୍ୟରେ ପରାମର୍ଶ ଦେବାକୁ ଠାକୁର ଅଧିକାରୀଙ୍କୁ କହିଛନ୍ତି ।