ମୁମ୍ବାଇ: ସଲମାନ ଖାନଙ୍କ ମୁମ୍ବାଇର ପନବେଲ ସ୍ଥିତ ଫାର୍ମ ହାଉସରେ ପଶିବା ଉଦ୍ୟମ କରିଥିଲେ ୨ ଅଜଣା ବ୍ୟକ୍ତି । ସିକ୍ୟୁରିଟି ଗାର୍ଡ ଉଭୟଙ୍କୁ ଧରିବା ସହ ପୋଲିସରେ ଜିମା ଦେଇଥିଲେ । ପୋଲିସ ଉଭୟ ସନ୍ଦିଗ୍ଧଙ୍କୁ ଗିରଫ କରିଛି ଏବଂ ସେମାନଙ୍କ ଠାରୁ ନକଲି ଆଇକାର୍ଡ ଜବତ କରିଛି । ତେବେ ବର୍ତ୍ତମାନ ସଲମାନ ଖାନଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଥିବା ବେଳେ ଏପରି ଘଟଣା ଘଟିବା ନେଇ ଅଭିନେତାଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠୁଛି ।
ସୂଚନା ଅନୁସାରେ, ଗତ ଦୁଇ ଦିନ ତଳେ ସଲମାନ ଖାନଙ୍କ ଫାର୍ମ ହାଉସକୁ ଜବରଦସ୍ତି ପଶିଥିଲେ । ଉଭୟ ନିଜକୁ ସଲମାନଙ୍କ ଫ୍ୟାନ ବୋଲି ପରିଚୟ ଦେଇଥିଲେ । ଉଭୟ ଗଛ ଉପରେ ଚଢି କାନ୍ଥ ଦେଇ ଫାର୍ମ ହାଉସରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ପରେ ଫାଟକ ନିକଟରେ ସୁରକ୍ଷାକର୍ମୀ ସେମାନଙ୍କୁ ଦେଖି ଅଟକାଇବାକୁ ଚେଷ୍ଟା କରିଥିଲେ ଏବଂ ଯେତେବେଳେ ସେମାନେ ସେମାନଙ୍କର ପରିଚୟ ମାଗିଥିଲେ, ସେମାନେ ଘଟଣା ବିଷୟରେ କିଛି କହିବାକୁ ମନା କରିଦେଇଥିଲେ । ଏନେଇ ସୁରକ୍ଷାକର୍ମା ସେମାନଙ୍କୁ କାହୁ କରିବା ସହ ସ୍ଥାନୀୟ ପନବେଲ ଗ୍ରାମୀଣ ପୋଲିସ ଷ୍ଟେସନକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଗିରଫ କରି ତଦନ୍ତ ଚଳାଇଛି ।
ପୋଲିସ ଏନେଇ କହିଛନ୍ତି ଯେ, ଏହି ଘଟଣା ସମୟରେ ସଲମାନ ଖାନ ସେଠାରେ ଉପସ୍ଥିତ ନଥିଲେ । ଗିରଫ ବ୍ୟକ୍ତିଙ୍କ ନାଁ ଅଜେଶ କୁମାର ଗିଲ ଏବଂ ଗୁରୁ ସେବକ ବୋଲି ପୋଲିସ ଜାଣିବାକୁ ପାଇଛି । ପଚରାଉଚରା ବେଳେ ଉଭୟ ପଞ୍ଜାବ ଏବଂ ରାଜସ୍ଥାନର ବୋଲି ସୂଚନା ମିଳିଛି । ତେବେ ଏମାନେ କେଉଁ ଉଦ୍ଦେଶ୍ୟରେ ଭାଇଜାନଙ୍କ ଫାର୍ମ ହାଉସକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ତାହାର ଖୋଳତାଡ କରୁଛି ପୋଲିସ । ଏଥିସହ ନକଲି ଆଇ କାର୍ଡ ନେଇ ମଧ୍ୟ ପୋଲିସ ବିଭିନ୍ନ ବିଭାଗ ଅଧୀନରେ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଛି ଏବଂ ତଦନ୍ତ ଆରମ୍ଭ କରିଛି ।