ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି । ମୁମ୍ବାଇ ବାନ୍ଦ୍ରାସ୍ଥିତ କିଙ୍ଗଖାନଙ୍କ ବଙ୍ଗଳା ମନ୍ନତରେ ପଶିଲେ ଦୁଇ ଅଜଣା ଯୁବକ । ଗୁରୁବାର ରାତିରେ ଦୁଇ ଜଣ ଯୁବକ ସୁରକ୍ଷା ବଳୟ ଭେଦ କରି ଶାହାରୁଖଙ୍କ ବଙ୍ଗଳାରେ ପଶିଥିବାର ଖବର ମିଳିଛି । ବାହାର କାନ୍ଥ ଦେଇ ଘର ଭିତରେ ପଶିବା ସମୟରେ ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡ ଦୁହିଁଙ୍କୁ ଧରି ପକାଇଥିଲେ । ଉଭୟଙ୍କୁ ଏବେ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ତେବେ ଦୁଇ ଜଣ ଯୁବକ ଗୁଜୁରାଟର ହୋଇଥିବା ବେଳେ ନିଜକୁ ଶାହାରୁଖଙ୍କ ପ୍ରଶଂସକ ବୋଲି କହିଛନ୍ତି ।
ଯାହା ସୂଚନା ମିଳିଛି, ଉଭୟ ଯୁବକଙ୍କ ବୟସ ୨୦ରୁ ୨୨ ବର୍ଷ ମଧ୍ୟରେ ହେବ । ଗତକାଲି(ଗୁରୁବାର) ରାତି ପ୍ରାୟ ସାଢେ ୯ଟା ସମୟରେ ଏହି ଦୁଇ ଜଣ ସୁରକ୍ଷାକର୍ମୀଙ୍କ ଆଖିରେ ଧୂଳି ଦେଇ ମନ୍ନତ ଭିତରେ ପ୍ରବେଶ କରିଥିଲେ । ଦୁହେଁ ବଙ୍ଗଳାର ତୃତୀୟ ମହଲା ଯାଏଁ ପହଞ୍ଚି ଯାଇଥିଲେ । ଠିକ୍ ସେହି ସମୟରେ ସେମାନଙ୍କ ଉପରେ ସିକ୍ୟୁରିଟି ଗାର୍ଡଙ୍କ ନଜର ପଡିଥିଲା । ସିକ୍ୟୁରିଟି ଗାର୍ଡ ଦୁହିଁଙ୍କୁ ଧରି ପୋଲିସର ଜିମା ଦେଇଥିଲେ । ତେବେ ପୋଲିସର ପଚରାଉଚରା ସମୟରେ ଦୁହେଁ କହିଛନ୍ତି ଯେ, ସେମାନେ ଅଭିନେତା ଶାହାରୁଖ ଖାନଙ୍କ ବଡ ପ୍ରଶଂସକ । ନିଜ ପ୍ରିୟ ଅଭିନେତାଙ୍କୁ ଭେଟିବା ପାଇଁ ସେମାନେ ଗୁଜୁରାଟରୁ ଆସିଥିଲେ । ତେବେ ଏନେଇ ବାନ୍ଦ୍ରା ପୋଲିସ ଉଭୟଙ୍କ ବିରୁଦ୍ଧରେ ମାମଲା ଅପରାଧିକ ମାମଲା ରୁଜୁ କରିବା ସହ ଘଟଣା ସମ୍ପର୍କରେ ଅଧିକ ଛାନଭିନ କରୁଛି ।