ହ୍ରାଇଦ୍ରାବାଦ:ବଲିଉଡ ଅଭିନେତ୍ରୀ ଅଦା ଶର୍ମାଙ୍କ ଅଭିନୀତ ଫିଲ୍ମ 'ଦ କେରଳ ଷ୍ଟୋରୀ' ସଫଳତାର ସହ ବକ୍ସ ଅଫିସରେ ଧମାକା କରୁଛି। ଏଥିସହ ଏହି ଫିଲ୍ମରେ ତାଙ୍କର ଦୃଢ ଅଭିନୟ ପାଇଁ ଅଦା ବେଶ ଲୋକପ୍ରିୟତା ହାସଲ କରିବା ସହ ପ୍ରଶଂସା ସାଉଁଟିଛନ୍ତି। ଏହାରି ମଧ୍ୟରେ ବର୍ତ୍ତମାନ ଏକ ବଡ ଖବର ଆସିଛି। ସଡକ ଦୁର୍ଘଟଣାରେ ଅଦା ଶର୍ମା ଏବଂ ନିର୍ଦ୍ଦେଶକ ସୁଦୀପ୍ତୋ ସେନ୍ ମଧ୍ୟ ଆହତ ହୋଇଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଟିମ ସହ ଅଭିନେତ୍ରୀ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ନିଜ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି ଅଦା ଏବଂ ନିର୍ଦ୍ଦେଶକ। ସମସ୍ତେ ସୁସ୍ଥ ଥିବା କହିବା ସହ ଫ୍ୟାନ୍ସଙ୍କ ଚିନ୍ତା ପାଇଁ ଧନ୍ୟବାଦ ଜଣାଇଛନ୍ତି।
'ଦ କେରଳ ଷ୍ଟୋରୀ' ଟିମ ତେଲେଙ୍ଗାନାର କରିମନଗରରେ ହିନ୍ଦୁ ଏକତା ଯାତ୍ରାରେ ଯୋଗଦେବାକୁ ଯାଉଥିଲେ। ଏହି ସମୟରେ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଇଭେଣ୍ଟ ବାତିଲ କରାଯାଇଥିଲା। ତେବେ ଅଦା ତାଙ୍କ ସୋସିଆଲ ମିଡିଆରେ ନିଜ ସ୍ୱାସ୍ଥ୍ୟ ଅପଡେଟ୍ ସେୟାର କରିଛନ୍ତି। ଟ୍ୱିଟରରେ ଅଦା ତାଙ୍କ ଫ୍ୟାନ୍ସଙ୍କୁ ସେମାନଙ୍କ ଚିନ୍ତା ପାଇଁ ଧନ୍ୟବାଦ ଜଣାଇଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ, ମୁଁ ଭଲ ଅଛି ସାଙ୍ଗମାନେ। ଆମର ଦୁର୍ଘଟଣା ର ଖବର ପ୍ରସାରିତ ପରେ ବହୁତ ମେସେଜ ମିଳିଛି। ପୁରା ଟିମ ଭଲ ଅଛନ୍ତି। ଆମ ସମସ୍ତେ ଭଲ ଅଛୁ, ଗମ୍ଭୀର କିଛି ନୁହେଁ, କିଛି ବଡ଼ ନୁହେଁ କିନ୍ତୁ ଚିନ୍ତା ପାଇଁ ଧନ୍ୟବାଦ।"