ମୁମ୍ବାଇ: ବଲିଉଡରେ ଜାରି ରହିଛି ବିବାହ ଋତୁ । ଗଣମାଧ୍ୟମ ଠାରୁ ଦୂରରେ ରହି ବିବାହ କରୁଛନ୍ତି ବଲିଉଡ ଷ୍ଟାର । ନିକଟରେ ସିଦ୍ଧାର୍ଥ କିଆରାଙ୍କ ବିବାହ ହୋଇଥିବା ବେଳେ ସିକ୍ରେଟ ମ୍ୟାରେଜ କରିଛନ୍ତି ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର । ସେ ବିବାହ କରିଥିବା ନେଇ ଗତକାଲି ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ସୂଚନା ଦେଇଥିଲେ । ଗତ ଜାନୁଆରୀ 6 ତାରିଖରେ କୋର୍ଟରେ ସମାଜବାଦୀ ପାର୍ଟିର ନେତା ଫହାଦ ଅହମ୍ମଦଙ୍କୁ ପ୍ରେମ ବିବାହ କରିଥିବା ନେଇ ସ୍ବରା ସୂଚନା ଦେଇଥିଲେ । ତେବେ ଫହାଦ ଅହମ୍ମଦଙ୍କ ପ୍ରେମରେ କେବେ ପ଼ଡିଥିଲେ ସ୍ବରା ଓ ଏହାପରେ କେଉଁ ପରିସ୍ଥିତିରେ ବିବାହ କରିବାକୁ ନିଷ୍ପତ୍ତି ନେଲେ ତା ଉପରେ ନଜର ପକାନ୍ତୁ ।
ଫ୍ୟାନ୍ସକୁ ବିବାହ ଖବର ଦେଇ ଚମକାଇ ଦେଇଛନ୍ତି ସ୍ବରା:ଗୁରୁବାର ସ୍ବରା ସୋସିଆଲ ମିଡିଆରେ ସ୍ବାମୀଙ୍କ ସହ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସ୍ବାମୀଙ୍କ ପ୍ରଥମ ସାକ୍ଷାତରୁ ବିବାହ ପର୍ଯ୍ୟନ୍ତ ପ୍ରତିଟି ମୁହୁର୍ତ୍ତ ଦେଖିବାକୁ ମିଳିଛି । ଯାହା ଦେଖି ସ୍ବରାଙ୍କ ପ୍ରଶଂସକ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
କେବେ ହୋଇଥିଲା ସ୍ବରା ଓ ଫହାଦଙ୍କ ପ୍ରଥମ ସାକ୍ଷାତ:2019ରେ ଏକ ରାଲିରେ ସାମିଲ ହୋଇ ଭାଷଣ ଦେଉଥିଲେ ସ୍ବରା । ଏହି ସମୟରେ ସେ ବିରୋଧ କରିବା ଆମର ଅଧିକାର ବୋଲି କହିଥିଲେ । ଏହାପରେ 2020 ମସିହାରେ ସ୍ବରା ପୁଣି ଏକ ରାଲିରେ ସାମିଲ ହୋଇଥିଲେ, ଯେଉଁଠାରେ ଫହାଦ ଏକ ହଳଦିଆ ରଙ୍ଗର ସାର୍ଟ ପିନ୍ଧିଥିଲେ । ଏହି ରାଲିରେ ସେ ସ୍ବରାଙ୍କୁ ପ୍ରେମଭରା ନଜରେ ଦେଖିଥିଲେ।