ବେଙ୍ଗାଲୁରୁ: କର୍ଣ୍ଣାଟକ ଶିକ୍ଷା ବିଭାଗ ପକ୍ଷରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ଆୟୋଜିତ ହେବାକୁ ଯାଉଥିବା କର୍ଣ୍ଣାଟକ ଶିକ୍ଷକ ନିଯୁକ୍ତି ପରୀକ୍ଷା (Karnataka TET) ପାଇଁ ଆଡମିଟ୍ କାର୍ଡ ଜାରି କରାଯାଇଛି, ଯେଉଁଥିରେ ଏକ ବଡ ଭୁଲ ଦେଖିବାକୁ ମିଳିଛି । INC କର୍ଣ୍ଣାଟକର ଚେୟାରମ୍ୟାନ୍ ବି.ଆର ନାଇଡୁ ଟ୍ୱିଟରରେ ସୂଚନା ଦେଇଛନ୍ତି ଯେ, ଜଣେ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡରେ ଅଭିନେତ୍ରୀ ସନ୍ନି ଲିଓନଙ୍କ ଅଶ୍ଳୀଳ ଫଟୋ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଆଡମିଟ କାର୍ଡର ଫଟୋ ଭାଇରାଲ ହେବା ପରେ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
ବି.ଆର ନାଇଡୁ ତାଙ୍କ ଟ୍ୱିଟରେ ଏହା ବି କହିଛନ୍ତି ଯେ, ଶିକ୍ଷକ ନିଯୁକ୍ତି ପାଇଁ ଆଡମିଟ୍ କାର୍ଡରେ ପରୀକ୍ଷାର୍ଥୀଙ୍କ ସ୍ଥାନରେ ବ୍ଲୁ-ଫିଲ୍ମ ଷ୍ଟାରଙ୍କ ଫଟୋ ଛପା ଯାଇଛି । ଯେଉଁ ଦଳର ସଦସ୍ୟ ବିଧାନସଭାରେ ଆପତ୍ତିଜନକ ଚଳଚ୍ଚିତ୍ର ଦେଖୁଛନ୍ତି, ସେହି ଦଳ ଠାରୁ କଣ ଆଶା କରାଯାଇପାରିବ ବୋଲି ସେ କହିଛନ୍ତି ? @BCNagesh_ bjp ବ୍ଲୁ ଫିଲ୍ମ ଷ୍ଟାର ଦେଖିବାକୁ ଅଛି ତ ଦେଖନ୍ତୁ, ମାତ୍ର ଶିକ୍ଷା ବିଭାଗର ବ୍ୟବହାର କରନ୍ତୁ ନାହିଁ ।' ସେ ଆଡମିଟ୍ କାର୍ଡର ଫଟୋ ଟୁଇଟ୍ କରି ବିଜେପିକୁ ଟାର୍ଗେଟ କରିଛନ୍ତି ।