ହାଇଦ୍ରାବାଦ: ସନ୍ନି ଦେଓଲ ବ୍ୟାଙ୍କ୍ରୁ ଋଣ ଆଣି ସୁଝି ପାରି ନାହାନ୍ତି । ଫଳରେ ତାଙ୍କ ବଙ୍ଗଳା ନିଲାମ ନେଇ ବିଭିନ୍ନ ଖବର ସାମ୍ନାକୁ ଆସିଥିଲା । ସନ୍ନିଙ୍କ ଭିଲା ନିଲାମ ଖବର ମଧ୍ୟରେ ଆଉ ଏକ ଖବର ପ୍ରଚାର ହୋଇଥିଲା ଯେ, ଅକ୍ଷୟ କୁମାର ସନ୍ନି ଦେଓଲଙ୍କ ଋଣ ସୁଝିବାକୁ ଆଗେଇ ଆସିଛନ୍ତି । ତେବେ ଏନେଇ ବର୍ତ୍ତମାନ ଅକ୍ଷୟଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି । ତାଙ୍କ ମୁଖପାତ୍ର କହିଛନ୍ତି ଯେ, ଏହି ଦାବିଗୁଡିକ ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ସେପଟେ ସନ୍ନିଙ୍କ ଟିମ୍ ମଧ୍ୟ ଏହି ଦାବିକୁ ସମ୍ପୂର୍ଣ୍ଣ ଭୁଲ ବୋଲି କହିଛନ୍ତି ।
ସୂଚନା ଅନୁସାରେ ଏକ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ସନ୍ନି ଦେଓଲ 56 କୋଟି ଟଙ୍କା ଋଣ ନେଇ ସୁଝିନଥିଲେ । ଫଳରେ ବ୍ୟାଙ୍କ ଅଫ୍ ବରୋଦା ସେହି ଟଙ୍କା ଫେରସ୍ତ ପାଇଁ ତାଙ୍କ ସମ୍ପତ୍ତି ନିଲାମ କରିବାକୁ ଏକ ନୋଟିସ ପଠାଇଥିଲା । ଏହାର ବିଜ୍ଞାପନ ଖବରକାଗଜରେ ମଧ୍ୟ ଦିଆଯାଇଥିଲା । 24 ଘଣ୍ଟା ମଧ୍ୟରେ ବ୍ୟାଙ୍କ୍ ଅଫ୍ ବରୋଦା ଏହା ଉପରେ ସ୍ପଷ୍ଟ କରି କହିଛି ଯେ ପ୍ରକାଶିତ ବିଜ୍ଞାପନ ଏକ ବୈଷୟିକ ତ୍ରୁଟି । ଏହାରି ମଧ୍ୟରେ ଅକ୍ଷୟଙ୍କ ନାଁ ବି ସନ୍ନିଙ୍କ ସହ ଯୋଡ଼ା ହୋଇଥିଲା । ଏକ ରିପୋର୍ଟରେ ଦାବି କରାଯାଇଥିଲା ଯେ, ସନ୍ନିଙ୍କ ଋଣ ସୁଝିବା ପାଇଁ ଅକ୍ଷୟ 30ରୁ 40 କୋଟି ଟଙ୍କା ଦେବେ । ତେବେ ଏହି ଗୁଜବ ଖବର ମଧ୍ୟରେ ଅକ୍ଷୟଙ୍କ ମୁଖପାତ୍ର ଏହି ଅଭିଯୋଗକୁ ଖାରଜ କରି କହିଛନ୍ତି ଯେ ଏହିପରି ସମସ୍ତ ଦାବି ସମ୍ପୂର୍ଣ୍ଣ ମିଥ୍ୟା ଅଟେ ।