ମୁମ୍ବାଇ:ବଲିଉଡ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଆଜି 60 ତମ ଜନ୍ମଦିନ । ଏହି ବିଶେଷ ଅବସରରେ ଶ୍ରୀଦେବୀଙ୍କ ସ୍ୱାମୀ ତଥା ଚଳଚ୍ଚିତ୍ର ନିର୍ମାତା ବୋନି କପୁର ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରି ତାଙ୍କ ପତ୍ନୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଛନ୍ତି । ଏଥି ସହିତ ଝିଅ ଖୁସି କପୁର ମଧ୍ୟ ଏକ ପୁରୁଣା ଫଟୋ ସେୟାର କରି ତାଙ୍କ ମା'ଙ୍କୁ ଶୁଭକାମନା ଜଣାଇଛନ୍ତି ।
ଶ୍ରୀଦେବୀଙ୍କ ଜନ୍ମଦିନରେ ସ୍ୱାମୀ ତଥା ଚଳଚ୍ଚିତ୍ର ନିର୍ମାତା ବୋନି କପୁର ମଧ୍ୟରାତ୍ରିରେ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି । ଫଟୋରେ ସେ ଶ୍ରୀଦେବୀଙ୍କୁ ଧରିଥିବାର ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ସେ ଶ୍ରୀଦେବୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଫଟୋରେ ଶ୍ରୀଦେବୀ ବ୍ଲାକ ଜ୍ୟାକେଟ୍ ଏବଂ ଖୋଲା କେଶରେ ନଜର ଆସିଥିବା ବେଳେ ବୋନି କପୁର ଲାଲ କ୍ୟାପ୍ ଏବଂ ଧୂସର ରଙ୍ଗର ଏକ ଜ୍ୟାକେଟରେ ଖୁବ ସୁନ୍ଦର ଲାଗୁଛନ୍ତି । ଏହି ସୁନ୍ଦର ଫଟୋ ସେୟାର କରି ବୋନି କପୁର ଏକ ଲାଲ୍ ହାର୍ଟ ଇମୋଜି ସହ ପତ୍ନୀଙ୍କୁ 'ହାପି ବର୍ଥ ଡେ' ୱିସ୍ କରିଛନ୍ତି । ସେପଟେ ବୋନି କପୁରଙ୍କ ଏହି ପୋଷ୍ଟକୁ ତାଙ୍କ ବଡ଼ ଝିଅ ତଥା ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି ।
ବୋନି କପୁର ଏହି ପୋଷ୍ଟ ସେୟାର କରିବା ମାତ୍ରେ ପ୍ରଶଂସକମାନେ ଏହାକୁ ଲାଇକ କରିବା ସହ ପ୍ରତିକ୍ରିୟାରେ ଅଭିନେତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି । ଜଣେ ପ୍ରଶଂସକ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, 'ନିଜ ଜୀବନର ପ୍ରେମ ପାଇଁ ବଞ୍ଚିବା ଏବଂ ତାଙ୍କ ଜନ୍ମଦିନକୁ ସମ୍ମାନ ଦେବା, ସେ ପ୍ରକୃତରେ ଜଣେ ମହାନ ବ୍ୟକ୍ତି ।' ଏହି ସମୟରେ, ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, 'ଭୁଲି ବିସରୀ ଏକ କାହାନୀ, ଫିର୍ ଆ ଗୟି ୟାଦ୍ ପୁରାନୀ' ଏହାର ଅର୍ଥ 'ଭୁଲିଯାଇଥିବା କାହାଣୀ, ପୁଣି ମନେ ପଡିଗଲା' । ଏଥିସହ ବୋନି କପୁର ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଗୁଗୁଲ ଡୁଡଲ ସେୟାର କରିଥିବା ଶ୍ରୀଦେବୀଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି ।