ମୁମ୍ବାଇ:ଜନ୍ମମାନେ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ସମୟ ପୂର୍ବରୁ ଦୁନିଆକୁ ଅଲବିଦା କହୁଥିବା ଲୋକଙ୍କୁ ଭୁଲିବା କଷ୍ଟକର ହୋଇଥାଏ । ସେହିପରି ଜଣେ ବ୍ୟକ୍ତିତ୍ବ ହେଉଛନ୍ତି ବଲିଉଡର ଚାନ୍ଦିନୀ ଶ୍ରୀଦେବୀ । ତାଙ୍କ ମୃତ୍ୟୁକୁ ଆଜକୁ ୫ ବର୍ଷ ହୋଇଯାଇଥିଲେ ସୁଦ୍ଧା ଆଜି ବି ସେ ସମସ୍ତଙ୍କ ହୃଦୟରେ ଚାନ୍ଦିନୀ ହୋଇ ରହିଛନ୍ତି ।
ଆଜି ଅଭିନେତ୍ରୀ ଶ୍ରୀଦେବୀଙ୍କ ୫ମ ଶ୍ରାଦ୍ଧବାର୍ଷିକୀ । ଆଜିର ଦିନରେ ହିଁ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ଖବର ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ୨୪ ଫେବୃଆରୀ ୨୦୧୮ମସିହାରେ ଦୁବାଇରେ ଶ୍ରୀଦେବୀଙ୍କ ଦେହାନ୍ତ ହୋଇଥିଲା । ଦୁବାଇକୁ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଯାଇଥିବା ବେଳେ ବାଥରୁମରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ଫିଲ୍ମ ନିର୍ମାତା ତଥା ସ୍ବାମୀ ବୋନି କପୁର ଶ୍ରୀଦେବୀଙ୍କୁ ମନେପକାଇବା ସହ ଭାବବିହ୍ବଳ ହୋଇ ଏକ ଫଟୋ ସେୟାର କରିଛନ୍ତି ।
ଶ୍ରୀଦେବୀ ୧୯୬୩ ମସିହା ଅଗଷ୍ଟ ୧୩ରେ ତାମିଲନାଡ଼ୁର ଶିବକାଶୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ନାମ ଥିଲା ଶ୍ରୀ ଆମ୍ମା ୟାଙ୍ଗର ଆୟାପାନ୍। ପିତା ଆୟାପ୍ପାନ ଥିଲେ ତାମିଲ ଏବଂ ମା’ ରାଜେଶ୍ୱରୀ ଥିଲେ ତେଲୁଗୁ । ୧୯୯୬ରେ ଶ୍ରୀଦେବୀ ୩୩ ବର୍ଷ ବୟସରେ ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କୁ ବିବାହ କରିଥିଲେ । ସେମାନଙ୍କର ଦୁଇ ଝିଅ ଜାହ୍ନବୀ ଏବଂ ଖୁସି । ଅଭିନେତା ଅନୀଲ କପୁର ଏବଂ ସଂଜୟ କପୁରଙ୍କ ବଡ଼ ଭାଇ ହେଉଛନ୍ତି ବୋନି କପୁର।
ଇନଷ୍ଟାଗ୍ରାମରେ ଫଟୋ ଏବଂ ଭିଡିଓ ସେୟାର କଲେ ବୋନୀ କପୁର:ବଲିଉଡ ଚାନ୍ଦିନୀ ଶ୍ରୀଦେବୀଙ୍କ ଶ୍ରାଦ୍ଧବାର୍ଷିକୀରେ ଇନଷ୍ଟାଗ୍ରାମରେ ଏକରୁ ଅଧିକ ପୁରୁଣା ସ୍ମୃତିକୁ ସେୟାର କରି ମନେପକାଇଲେ ସ୍ବାମୀ ବୋନି କପୁର । ସେ ଶ୍ରୀଦେବୀ ଏବଂ ତାଙ୍କର ଏକ ଫଟୋ ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି, "ମୋର ପ୍ରଥମ ଫଟୋ(୧୯୮୪) ।" ଏହାସହ ବୋନୀ କପୁର ଦୁଇଟି ଭିଡିଓ ମଧ୍ୟ ସେୟାର କରିଛନ୍ତି । ଶ୍ରୀଦେବୀଙ୍କ ସହ ପ୍ରଥମ ସାକ୍ଷାତ ଏବଂ ବ୍ୟକ୍ତିଗତ ଜୀବନ ସହ ଜଡିତ କିଛି ଭିଡିଓ ସେୟାର କରିଛନ୍ତି ।