ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ସହ ଜଡିତ ଡ୍ରଗ୍ସ ମାମଲାରେ ଏନସିବି ରିପୋର୍ଟରେ ବଡ ତଥ୍ୟ ସାମ୍ନାକୁ ଆସିଛି । ଆର୍ଯ୍ୟନ୍ ଖାନ ଡ୍ରଗ୍ସ ମାମଲାରେ ରହିଛି ଅନେକ ତୃଟି । ଏହି ମାମଲାର ଅନୁସନ୍ଧାନରେ ଅନେକ ଅନିୟମିତତା ହୋଇଥିଲା ବୋଲି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଏକ ଆଭ୍ୟନ୍ତରୀଣ ରିପୋର୍ଟରୁ ଜଣାପଡିଛି । ସଂପୃକ୍ତ ରିପୋର୍ଟରେ ଏଜେନ୍ସିର 7ରୁ 8ଜଣ ଅଧିକାରୀଙ୍କ ଉପରେ ସନ୍ଦେହଜନକ ଆଚରଣର ଅଭିଯୋଗ ଉଠିଛି । ଏଥିରେ ସେହି ଲୋକମାନେ ସାମିଲ ଅଛନ୍ତି, ଯେଉଁମାନେ ପ୍ରତିନିଯୁକ୍ତି ପୂରା କରିଛନ୍ତି ଏବଂ ନିଜ ଘର କ୍ୟାଡରକୁ ଫେରିଛନ୍ତି । ବର୍ତ୍ତମାନ ଏହି ପ୍ରସଙ୍ଗରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି ।
ଏହି ରିପୋର୍ଟରେ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି । ଯେଉଁଥିରେ ବ୍ୟୁରୋ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି । ଯାଞ୍ଚ ସମୟରେ 65 ଜଣଙ୍କ ବୟାନ ରେକର୍ଡ କରାଯାଇଥିଲା । ଏହା ପରେ ପରବର୍ତ୍ତୀ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏନସିବି ରିପୋର୍ଟରେ ଦର୍ଶାଯାଇଛି ଯେ, ଆର୍ଯ୍ୟନ୍ ଖାନଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ଖାରଜ କରିବାବେଳେ ସମୀର ୱାଙ୍ଖଡେ ବ୍ୟୁରୋର ମୁମ୍ବାଇ ଜୋନର ଆଞ୍ଚଳିକ ନିର୍ଦ୍ଦେଶକ ଥିଲେ ।