ମୁମ୍ବାଇ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଆମେରିକା ଗସ୍ତ କରିଥିଲେ । ଏହି ସମୟରେ ମୋଦିଙ୍କୁ ହ୍ବାଇଟ ହାଉସରେ 'ଛୟାଁ ଛୟାଁ' ଗୀତରେ ସ୍ୱାଗତ କରାଯାଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ତେବେ ବର୍ତ୍ତମାନ ବଲିଉଡ କିଙ୍ଗଖାନ ଶାହାରୁଖ ଖାନ ଏନେଇ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି । ଶାହାରୁଖ କହିଛନ୍ତି, ''କାସ ମୁଁ ସେଠାରେ ଡ୍ୟାନ୍ସ କରିବାକୁ ଥାଆନ୍ତି।''
ବଲିଉଡ କିଙ୍ଗଖାନ ଶାହାରୁଖ ଖାନ ତାଙ୍କର 1992ରେ ରିଲିଜ ହୋଇଥିବା 'ଦିୱାନା' ସହ ବଲିଉଡରେ ଡେବ୍ୟୁ କରିଥିଲେ । ତେବେ ବର୍ତ୍ତମାନ ଶାହାରୁଖ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କ 31 ବର୍ଷର ଯାତ୍ରା ପୂରଣ କରିଛନ୍ତି । ତାଙ୍କ ଏହି ଯାତ୍ରା ବେଶ ସଫଳ ରହିଛି । ଏହି ବିଶେଷ ଅବସରରେ କିଙ୍ଗଖାନ ରବିବାର ଦିନ ତାଙ୍କ ପ୍ରଶଂସକଙ୍କ ସହ AskSRK ସେସନ ଆୟୋଜନ କରିଥିଲେ । ଏହି ସମୟରେ ପ୍ରଶଂସକମାନେ ତାଙ୍କୁ ଅନେକ ମଜାଦାର ପ୍ରଶ୍ନ ପଚାରିଥିଲେ । ଏତିକି ବେଳେ ଜଣେ ପ୍ରଶଂସକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ଉପରେ ମଧ୍ୟ ପ୍ରଶ୍ନ କରିଥିଲେ । ଯାହାର ଏକ ମଜାଳିଆ ଉତ୍ତର ଦେଇଥିଲେ ଶାହାରୁଖ।
AskSRK ସେସନରେ ଜଣେ ପ୍ରଶଂସକ ଶାହାରୁଖଙ୍କୁ ପଚାରିଥିଲେ, 'ଛୟାଁ ଛୟାଁ' ଗୀତ ସହିତ ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱାଗତ ବିଷୟରେ ଆପଣ କ’ଣ କହିବାକୁ ଚାହାଁନ୍ତି ? ଜବାବରେ ଅଭିନେତା ଥଟ୍ଟାରେ ଉତ୍ତର ଦେଇଥିଲେ, ''କାସ ମୁଁ ସେଠାରେ ଡ୍ୟାନ୍ସ କରିବାକୁ ଥାଆନ୍ତି । କିନ୍ତୁ ମୁଁ ଭାବୁଛି ସେମାନେ ଟ୍ରେନକୁ ଭିତରକୁ ଯିବାକୁ ଦେଇନଥାନ୍ତେ ।''
ସୂଚନାଥାଉ କି, 'ଛୟାଁ ଛୟାଁ' ଗୀତ ଶାହାରୁଖ ଖାନଙ୍କ ଫିଲ୍ମ 'ଦିଲ ସେ'ର ଏକ ଲୋକପ୍ରିୟ ଗୀତ । ଏହି ଫିଲ୍ମ 1998ରେ ରିଲିଜ ହୋଇଥିଲା । ଗୀତଟି ଶାହାରୁଖ ଏବଂ ମଲାଇକା ଆରୋରା ଥିବା ଟ୍ରେନର ଛାତରେ ସୁଟିଂ କରାଯାଇଥିଲା । ଏହାର ଡ୍ୟାନ୍ସ ଏବଂ ଗୀତ ବେଶ ଲୋକପ୍ରିୟତା ହାସଲ କରିଥିଲା । ତେବେ ଏହି ଗୀତରେ ଡ୍ୟାନ୍ସର କ୍ରେଜ ଆଜି ବି ଲୋକଙ୍କ ମଧ୍ୟରେ ରହିଛି ।
22 ଜୁନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାରେ ଗସ୍ତରେ ଯାଇଥିଲେ । ଯେଉଁଠାରେ ସେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କୁ ଭେଟିଥିଲେ । ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ସମୟରେ ଶାହରୁଖ ଖାନଙ୍କ ସୁପରହିଟ୍ 'ଛୟାଁ ଛୟାଁ' ପରିବେଷଣ କରାଯାଇଥିଲା । ଏହି ବିଶେଷ ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହୋଇଥିଲା ।