ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ତଥା ଲୋକପ୍ରିୟ ଅଭିନେତା ସତୀଶ କୌଶିକ ଆଉ ଆମ ଗହଣରେ ନାହାଁନ୍ତି । ଆଜି ସକାଳେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଦୁଃଖଦ ଖବର ସତୀଶ କୌଶିକଙ୍କ ବିଶେଷ ବନ୍ଧୁ ତଥା ଅଭିନେତା ଅନୁପମ ଖେର ସୋସିଆଲ ମିଡିଆରେ ସେୟାର କରିଥିଲେ । ସତୀଶ କୌଶିକଙ୍କ ମୃତ୍ୟୁ ବଲିଉଡ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ସତୀଶ କୌଶିକଙ୍କ ନିଧନ ପରେ ଶୋକ ପ୍ରକାଶ କରିଛନ୍ତି ବଲିଉଡ ଜଗତର ଜଣାଶୁଣା ଅଭିନେତା ତଥା ଅଭିନେତ୍ରୀ ।
ମନୋଜ ବାଜପେୟୀ ସତୀଶ କୌଶିକଙ୍କ ମୃତ୍ୟୁ ବିଷୟରେ ଲେଖିଛନ୍ତି, "ଏହି ଖବର ଶୁଣି ମୁଁ ମର୍ମାହତ, ଏହା ଆମ ପାଇଁ ଏକ ବଡ଼ କ୍ଷତି, ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ଗଭୀର ସମବେଦନା ଜଣାଇବା ସହ ତାଙ୍କ ଆତ୍ମାର ସଦଗତି କାମନା କରୁଛି ।"
ସେହିପରି ବଲିଉଡ ଅଭିନେତା ଅଜୟ ଦେବଗନ ମଧ୍ୟ ଟ୍ବିଟ୍ କରି କହିଛନ୍ତି, "ତାଙ୍କ ସହ ଫିଲ୍ମ ପରଦାରେ ହେଉ କି ବ୍ୟକ୍ତିଗତ ଜୀବନରେ ମୋର ଭଲ ସମ୍ପର୍କ ରହିଥିଲା । ଆମେ ଯେବେ ବି ପରସ୍ପରକୁ ଭେଟିଥୁଲୁ, ଉଭୟଙ୍କ ମୁହଁରେ ହସ ଫୁଟୁଥିଲା । ଏହି ଦୁଃଖର ସମୟରେ ମୁଁ ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି ।"
ବଲିଉଡ ଅଭିନେତା ସୋନୁ ସୁଦ, ରିତେଶ ଦେଶମୁଖ ଏବଂ ଅରବାଜ ଖାନ, ଗୀତିକାର ଜାଭେଦ ଅଖତର ମଧ୍ୟ ଗଭୀର ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ପରିବାରକୁ ସମବେଦନା ଜଣାଇଛନ୍ତି।
ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଟ୍ବିଟ୍ କରି କହିଛନ୍ତି, "ସକାଳଉ ଉଠିବା ବେଳକୁ ଏହି ଦୁଃଖଦ ଖବର ଶୁଣିଲି । ସେ ମୋତେ ସବୁବେଳେ ଉତ୍ସାହିତ କରୁଥିଲେ । ସେ ଜଣେ ସଫଳ ଅଭିନେତା ନିର୍ଦ୍ଦେଶକ ସହ ଦୟାଳୁ ବ୍ୟକ୍ତିତ୍ୱ ଥିଲେ । ତାଙ୍କ ସହ କାମ କରିବାର ସୌଭାଗ୍ୟ ଅର୍ଜନ କରିଛି। ଓମ୍ ଶାନ୍ତି ।"
ଅନ୍ୟପଟେ ଅଭିନେତାଙ୍କ ମୃତ୍ୟୁକୁ ସମବେଦନା ଜଣାଇ ବଲିଉଡର ଭେଟେରାନ ନିର୍ଦ୍ଦେଶକ ମଧୁର ଭଣ୍ଡାରକର ଲେଖିଛନ୍ତି, "ସତୀଶ ଜୀଙ୍କର ଦେହାନ୍ତ ଖବର ଶୁଣି ମୁଁ ମର୍ମାହତ । ସେ ଜଣେ ଏନର୍ଜେଟିକ୍ ଖୁସ ମିଜାଜ୍, ସଫଳ ଅଭିନେତା ତଥା ନିର୍ଦ୍ଦେଶକ ଥିଲେ । ଫିଲ୍ମ ଜଗତ ତାଙ୍କୁ ସବୁବେଳେ ମନେ ରଖିବ । ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛି ।"
ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ତଥା କୋରିଓଗ୍ରାଫର ଫରହା ଖାନ ସତୀଶ କୌଶିକଙ୍କ ଦେହାନ୍ତକୁ ସମବେଦନା ଜଣାଇ ଲେଖିଛନ୍ତି, "ସତୀଶ ଜୀ ଆପଣଙ୍କ ଆତ୍ମାକୁ ସଦଗତି ପ୍ରାପ୍ତ ହେଉ ।"
କପିଲ ଶର୍ମା ସୋ'ର ଖ୍ୟାତିସମ୍ପନ୍ନ ହାସ୍ୟ ଅଭିନେତା କିକୁ ଶାରଦା ସତୀଶ କୌଶିକଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କିକୁ ଲେଖିଛନ୍ତି, "ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଖବର । ଆପଣଙ୍କ ଭଳି ଭଲ ମଣିଷ, ପ୍ରତିଭା ସବୁବେଳେ ମନେ ରହିବେ ସାର୍ । ଓମ୍ ଶାନ୍ତି ।"
ସେପଟେ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ମଧ୍ୟ ସତୀଶ କୌଶିକଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।