ହାଇଦ୍ରାବାଦ: ବଲିଉଡ ଅଭିନେତା ବିକି କୌଶଲଙ୍କ ଅଭିନୀତ 'ସାମ ବାହାଦୂର' ଡିସେମ୍ବର ୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ର ରିଲିଜ ହେବାର ପ୍ରଥମ ଦିନରେ ବକ୍ସ ଅଫିସରେ ରଣବୀର କପୁରଙ୍କ 'ଆନିମଲ' ସହ ପ୍ରତିଦ୍ବନ୍ଦ୍ବିତା କରିବ । ତେବେ ଉଭୟ ଚଳଚ୍ଚିତ୍ରକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି । ଆନିମଲ ଆଡଭାନ୍ସ ବୁକିଂ ୨୫ରୁ ଆରମ୍ଭ ହୋଇଥିବା ବେଳେ ୨୬ରୁ ଆରମ୍ଭ ହୋଇଛି ସାମ ବାହାଦୂରର ଆଡଭାନ୍ସ ବୁକିଂ ।
'ସାମ୍ ବାହାଦୂର' ର ପ୍ରଥମ ଦିନର ଆଡଭାନ୍ସ ବୁକିଂ କଲେକ୍ସନ
ବିକି କୌଶଲଙ୍କ 'ସାମ୍ ବାହାଦୂର' ମଧ୍ୟ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର । ନିକଟରେ ଏହି ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହୋଇଥିଲା ଯାହା ଦର୍ଶକଙ୍କ ଭଲ ପ୍ରତିକ୍ରିୟା ପାଇଥିଲା । ବର୍ତ୍ତମାନ ପ୍ରଥମ ଦିନର ଆଡଭାନ୍ସ ବୁକିଂର ରିପୋର୍ଟ ସାମ୍ନାକୁ ଆସିଛି । ସାକ୍ନିଲ୍କିଙ୍କ ରିପୋର୍ଟ ଅନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ 'ସାମ ବାହାଦୂର' ୧୮ହଜାର ୮୬୧ ଟିକେଟ୍ ବିକ୍ରି ହୋଇଛି । ଯାହା ପରେ ଫିଲ୍ମ ଏପର୍ଯ୍ୟନ୍ତ ୬୪ଲକ୍ଷ ୧୩ ହଜାର ଟଙ୍କା କଲେକ୍ସନ କରିଛି ।
'ସାମ୍ ବାହାଦୂର'ର ପ୍ରଥମ ଶୋ' ପାଇଁ ଆଡଭାନ୍ସ ବୁକିଂ ବହୁତ ମନ୍ଥର ରହିଛି । ପ୍ରି-ଟିକେଟ୍ ବିକ୍ରିରେ ଫିଲ୍ମ ଏପର୍ଯ୍ୟନ୍ତ ୧ କୋଟି ମଧ୍ୟ ଆୟ କରିପାରିନାହିଁ । କିନ୍ତୁ ସେପଟେ ରଣବୀର କପୁରଙ୍କ 'ଆନିମଲ' ବମ୍ପର ଆଡଭାନ୍ସ ଟିକେଟ୍ ବୁକିଂ ଅଧିକା ରହିଛି । ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଟିକେଟ୍ ବିକ୍ରିରେ ୬ କୋଟିରୁ ଅଧିକ ଟଙ୍କା ଆୟ କରିଛି । ଏଭଳି ପରିସ୍ଥିତିରେ ବିକି କୌଶଲଙ୍କ 'ସାମ ବାହାଦୂର' 'ଆନିମଲ' ତୁଳନାରେ ଫିକା ଦେଖାଯାଉଛି । ଏବେ ଦେଖିବାକୁ ବାକି ରହିଲା ଯେ ରଣବୀରଙ୍କ ଆନିମଲ ବିକି କୌଶଲଙ୍କ 'ସାମ ବାହାଦୂର' କିଏ ବାଜି ମାରିବ । ରିଲିଜ ହେବା ପରେ ବକ୍ସ ଅଫିସରେ କିଏ କେତେ ରୋଜଗାର କରିପାରିବ ?
ଏହା ମଧ୍ୟ ପଢନ୍ତୁ:ରିଲିଜ ପୂର୍ବରୁ 'ଆନିମଲ' କ୍ରେଜ, ବୁକିଂର ଦ୍ୱିତୀୟ ଦିନରେ ଏତେ କୋଟି ରୋଜଗାର କଲା ଫିଲ୍ମ
'ସାମ ବାହାଦୂର'ର କାହାଣୀ ବିଷୟରେ କହିବାକୁ ଗଲେ, ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ତଥା ସୈନ୍ୟ ପରାକ୍ରମୀ ସାମ୍ ମାନିକଶାହଙ୍କ ଜୀବନ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ବିକି ସାମ ମାନିକଶାହଙ୍କ ଭୂମିକାରେ ଅଭିନୟ କରିଥିବାବେଳେ ଫାତିମା ସାନା ଶେଖଙ୍କୁ ଇନ୍ଦିରା ଗାନ୍ଧୀ ଏବଂ ସାନ୍ୟା ମାଲହୋତ୍ରାଙ୍କୁ ସାମ ମାନିକଶାହଙ୍କ ପତ୍ନୀ ସିଲୁଙ୍କ ଭୂମିକାରେ ଦେଖିବାକୁ ମିଳିବ । ମେଘନା ଗୁଲଜାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ରୋନି ସ୍କ୍ରୁ'ଭାଲାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରଟି ଡିସେମ୍ବର ୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।