ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ହତ୍ୟା ଧମକ । ଗତ 5 ତାରିଖ (ରବିବାର) ଦିନ ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଥିଲା। ସଲମାନଙ୍କ ପିତା ସଲିମ ଖାନ ଯେତେବେଳେ ମର୍ଣ୍ଣିଂ ଓ୍ବାକରେ ଯାଇଥିଲେ ସେତେବେଳେ ଏହି ଧମକପୂର୍ଣ୍ଣ ଚିଠି ପାଇଥିଲେ । ଏହି ଚିଠି ପାଇବା ପରେ ପୋଲିସ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ଏହି ମାମଲାରେ ମୁମ୍ବାଇ ପୋଲିସ ସଲମାନ ଖାନ ଓ ତାଙ୍କ ପିତା ସଲିମ ଖାନଙ୍କ ସୁରକ୍ଷା ବଢାଇ ଦେଇଛି ।
ସୂଚନାଯୋଗ୍ୟ ଯେ, ସଲମାନଙ୍କ ବାପା ମର୍ଣ୍ଣିଂ ଓ୍ବାକରେ ଯାଇଥିବାବେଳେ ଏକ ବେଞ୍ଚରେ କିଛି ସମୟ ବିଶ୍ରାମ କରିଥିଲେ । ସେଠାରେ ଏହି ଚିଠିଟି ତାଙ୍କର ହସ୍ତଗତ ହୋଇଥିଲା । ଏଥିରେ ଉଭୟ ବାପ-ପୁଅଙ୍କୁ ହତ୍ୟା କରାଯିବା ନେଇ ଉଲ୍ଲେଖ ରହିଥିଲା । ତେବେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମୃତ୍ୟୁ ପରେ ଏହି ଚିଠି ସଲମାନଙ୍କୁ ପଠାଯାଇଛି ।