ମୁମ୍ବାଇ: ନ୍ୟୁଡ ଫଟୋସୁଟ୍ ମାମଲାରେ ଅଭିନେତା ରଣଭୀର ସିଂହଙ୍କ ମୁସ୍କିଲ ପୁଣି ବଢିପାରେ । ଅଗଷ୍ଟ 22 ରେ ମୁମ୍ବାଇ ପୋଲିସ ତାଙ୍କୁ ପଚରାଉଚରା ପାଇଁ ଡାକିଛି । ଏନେଇ ପୋଲିସ ତାଙ୍କୁ ନୋଟିସ୍ ପଠାଇଛି । ଗତ ଜୁଲାଇ 22 ତାରିଖରେ ରଣଭୀର ଏକ ପେପର ମାଗାଜିନ୍ ପାଇଁ ନ୍ୟୁଡ୍ ଫଟୋସୁଟ କରିଥିଲେ । ଏହି ଫଟୋ ସୋସିଆଲ ମିଡିଆରେ ପଦାକୁ ଆସିବା ପରେ ମୁମ୍ବାଇର ଏକ ଏନଜିଓ ଦ୍ୱାରା ରଣବୀରଙ୍କ ବିରୋଧରେ ଏତଲା ଦିଆଯାଇଥିଲା ।
ଆଇଟି ଆକ୍ଟ ଅନୁଯାୟୀ ମାମଲା ପଞ୍ଜୀକୃତ ହୋଇଥିଲା
ଏନଜିଓ କହିଛି ଯେ, ରଣଭୀର ତାଙ୍କ ନ୍ୟୁଡ ଫଟୋ ଦ୍ୱାରା ମହିଳାଙ୍କ ଭାବନାକୁ ଆଘାତ ଦେଇଛନ୍ତି ଏବଂ ସେମାନଙ୍କୁ ଅପମାନିତ କରିଛନ୍ତି । ତେଣୁ ତାଙ୍କ ଫଟୋ ଟ୍ୱିଟର ଏବଂ ଇନଷ୍ଟାଗ୍ରାମରୁ ହଟାଯିବା ଉଚିତ୍ । ତାଙ୍କ ଗିରଫଦାରୀ ପାଇଁ ମଧ୍ୟ ଦାବି କରାଯାଇଥିଲା । ଆଇପିସିର ଧାରା 509, 292, 293, ଆଇଟି ଆକ୍ଟର ଧାରା 67A ଅନୁଯାୟୀ ରଣଭୀରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା ।
ରଣଭୀରଙ୍କୁ ଜେଲ୍ ହୋଇପାରେ
ଉକ୍ତ ଏନଜିଓ ତରଫରୁ ମାମଲା ରୁଜୁ କରିଥିବା ଓକିଲଙ୍କ କହିବା ମୁତାବକ, ସେ ରଣବୀରଙ୍କ ଗିରଫଦାରୀ ଚାହୁଁଛନ୍ତି । ଅଭିଯୋଗ ପଞ୍ଜିକୃତ ହେବା ପରେ ମୁମ୍ବାଇ ପୋଲିସ 48 ଘଣ୍ଟା ସମୟ ମାଗିଥିଲା । ଏହା ପରେ ରଣଭୀରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ଆଇପିସିର ଧାରା 292 ଅନୁଯାୟୀ 5 ବର୍ଷ ଏବଂ ଧାରା 293 ଅନୁଯାୟୀ 3 ବର୍ଷ ପାଇଁ ଜେଲ୍ ହୋଇପାରେ । ଏଥିସହିତ, ରଣଭୀରଙ୍କୁ ମଧ୍ୟ ଆଇଟି ଆକ୍ଟ 67A ଅନୁଯାୟୀ 5 ବର୍ଷ ଜେଲ ଦଣ୍ଡାଦେଶ ହୋଇପାରେ ।