ହାଇଦ୍ରାବାଦ:ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଆନିମଲ' ଡିସେମ୍ବର ୧ ରେ ମୁକ୍ତିଲାଭ ପାଇଁ ପ୍ରସ୍ତୁତ । ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରକୁ ସେନ୍ସର ବୋର୍ଡ ପକ୍ଷରୁ 'A' ସାର୍ଟିଫିକେଟ ଦେଇଛି । ଏହାସହ ସିବିଏଫସି ଫିଲ୍ମରେ ପାଞ୍ଚଟି ସିନ ପରିବର୍ତ୍ତନ କରିବାକୁ କହିଛି । କେବଳ ଏତିକି ନୁହେଁ, ସୋସିଆଲ ମିଡିଆରେ ସେନସର ବୋର୍ଡର ଏକ 'ସାର୍ଟିଫିକେଟ୍' ଅନଲାଇନରେ ଲିକ୍ ହୋଇଛି, ଯେଉଁଥିରେ ସେନ୍ସର ବୋର୍ଡ ରଣବୀର ଏବଂ ରଶ୍ମିକାଙ୍କ ଅନ୍ତରଙ୍ଗ ସିନର ସମୟ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଭାଇରାଲ୍ ସାର୍ଟିଫିକେଟ୍ ଅନୁଯାୟୀ, ବିଜୟ ଏବଂ ଜୋୟାଙ୍କ ଅନ୍ତରଙ୍ଗ ତଥା କ୍ଲୋଜ ଅପ୍ ସଟ୍ ହଟାଇବାକୁ 'ଆନିମଲ' ନିର୍ମାତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଫିଲ୍ମରେ ରଣବୀର କପୁର ବିଜୟ ଭୂମିକାରେ ଏବଂ ରଶ୍ମିକା ମନ୍ଦାନା ଜୋୟା ଭୂମିକାରେ ଅଭିନୟ କରିଥିବା ଜଣାପଡିଛି । ଅନ୍ତରଙ୍ଗ ସିନ ପରେ ସେନ୍ସର ବୋର୍ଡ ନିର୍ମାତାମାନଙ୍କୁ ଫିଲ୍ମରୁ 'ବସ୍ତ୍ର' ଶବ୍ଦକୁ 'ପୋଷାକ' ସହ ବଦଳାଇବାକୁ ପରାମର୍ଶ ଦେଇଛି । ସିବିଏଫସି ନିର୍ମାତାମାନଙ୍କୁ ଫିଲ୍ମରୁ ଆଉ କିଛି ଲାଇନ ଏବଂ ସବଟାଇଟଲ୍ସ ବଦଳାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି । ଏହା ବ୍ୟତୀତ ଶପଥ ପାଠକୁ ହଟାଇବାକୁ ମଧ୍ୟ କୁହାଯାଇଛି । ତେବେ ଏହାକୁ ନେଇ ଆନିମଲ୍ ମେକର୍ସଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।