ମୁମ୍ବାଇ:ଆଉ ମାତ୍ର କେଇ ଘଣ୍ଟା ପରେ ବଧୂ ସାଜିବେ ଆଲିଆ ଭଟ୍ଟ । କପୁର ଖାନ୍ଦାନର ହେବେ ବୋହୂ । ଏଥିପାଇଁ ଗତକାଲିଠୁ ଆଲିଆଙ୍କ ହାତରେ ଲାଗିସାରିଛି ରଣବୀରଙ୍କ ନାଁର ମେହେନ୍ଦି । ସେହି ରଣବୀର ବି ନିଜ ହାତରେ ଆଲିଆଙ୍କ ନାଁରେ ମେହେନ୍ଦି ଲଗାଇଛନ୍ତି । ଆଲିଆ-ରଣବୀର ବିବାହ ପ୍ରସ୍ତୁତି ମଧ୍ୟରେ ନୀତୁ କପୁରଙ୍କୁ ତାଙ୍କ ନିର୍ବନ୍ଧ କଥା ମନେ ପଡିଯାଇଛି । ଏହି ଖୁସିର ମାହୋଲ ଭିତରେ ନୀତୁ କପୁର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ, ନୀତୁ କପୁରଙ୍କର ହାତରେ ଲାଗିଛି ଦିବଂଗତ ସ୍ବାମୀ ଋଷି କପୁରଙ୍କ ନାଁର ମେହେନ୍ଦି । ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।
ମେହେନ୍ଦି ପରେ ଆଜି ବାଜିବ ଶାହାନାଇ । ଦିନ 2 ଟାରେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ସାତ ଫେରା ନେବେ, କିନ୍ତୁ ଏହାପୂର୍ବରୁ ସକାଳ 11 ଟାରେ ଦମ୍ପତିଙ୍କ ହଳଦି ସମାରୋହ ସରିଛି, ଯେଉଁଥିପାଇଁ ଉଭୟ ପକ୍ଷ ବାସ୍ତୁରେ ଏକାଠି ହୋଇଥିଲେ । ରଣବୀରଙ୍କ ମାଆ ନୀତୁ କପୁର ଏବଂ ଭଉଣୀ ରିଦ୍ଧିମା ହଳଦି ସମାରୋହରେ ଉପସ୍ଥିତ ଥିଲେ । ଆଲିଆଙ୍କ ପକ୍ଷରୁ ମଧ୍ୟ ଲୋକମାନେ ପହଞ୍ଚିଛନ୍ତି ।